ରାଜା ବୈଦ୍ୟଙ୍କର ଏକଥା ଶୁଣିବା ପରେ ସୈନ୍ୟମାନଙ୍କୁ ଡାକି କହିଲେ -ଆମର ବହୁ ମୂଲ୍ୟବାନ ଘୋଡ଼ାଗୁଡ଼ିକ ମରିଯିବେ । ସେମାନଙ୍କର ଭଲ ହେବା ଲାଗି ମାଙ୍କଡ଼ମାନଙ୍କର ଚର୍ବି ଦରକାର । ଯାଅ ଅଯଥାରେ ରାଜ୍ୟରେ ଅନେକ ଗୁଡ଼ିକଏ ମାଙ୍କଡ଼ ଅଛନ୍ତି । ସେମାନେ ଥିବାରୁ ରାଜ୍ୟରେ କୌଣସି ଫଳମୂଳ ରହୁ ନାହିଁ । ସେମାନଙ୍କୁ ମାରିଦେଲେ ଆମର ଦୁଇ ପ୍ରକାର ଲାଭ ହେବ ନିଶ୍ଚୟ । ତେଣୁ ରାଜ୍ୟରେ ଯେଉଁଠାରେ ଯେତେ ମାଙ୍କଡ଼ ପାଇବ ସେମାନଙ୍କୁ ତୁରନ୍ତ ମାରି ସେମାନଙ୍କ ଚର୍ବି ସଂଗ୍ରହ କରି ଆଣ । ଯାହାଦ୍ୱାରା ଘୋଡ଼ାଗୁଡ଼ିକ ଆମର ଭଲ ହୋଇଯିବେ ।
ରାଜାଙ୍କର ଆଦେଶ ହେବାରୁ ସୈନ୍ୟମାନେ ଆଉ ମୁହୂର୍ତ୍ତେ ମାତ୍ର ଅପେକ୍ଷା କଲେ ନାହିଁ । ସେ ସଙ୍ଗେ ସଙ୍ଗେ ବାହାରିଗଲେ ଓ ଅନେକ ଗୁଡ଼ିଏ ମାଙ୍କଡ଼ ମାରି ପକାଇ ସେମାନଙ୍କର ଚର୍ବି ଆଣି ରାଜବୈଦ୍ୟଙ୍କୁ ଦେଲେ ।
ଏହି ବିପଦ ସମୟରେ ସମସ୍ତ ମାଙ୍କଡ଼ମାନଙ୍କ ମଧ୍ୟରେ ଗୋଟିଏ ବୁଢ଼ା ମାଙ୍କଡ଼ ଥାଏ । ସେ ଯେତେବେଳେ ଦେଖିଲା ସୈନ୍ୟମାନେ ଗୋଡ଼ାଇ ଗୋଡ଼ାଇ ନିଜ ବଂଶକୁ ମାରୁଛନ୍ତି ତାହାଦେଖି ସେ ଛାନିଆ ହୋଇ ଲୁଚି ଲୁଚି ଆଉ ଗୋଟିଏ ଜଙ୍ଗଲ ମଧ୍ୟକୁ ପଳାଇଗଲା । ଆଉ ମଧ୍ୟ ସେ ରାଜ୍ୟର ରାଜା ଓ ସୈନ୍ୟମାନଙ୍କ ଉପରେ ତାର ବହୁତ କ୍ରୋଧ ହେଲା । ସେଥିଲାଗି ସେ ନିଜ ବଂଶକୁ ହତ୍ୟା କରିଥିବା ଯୋଗୁ ପ୍ରତିଶୋଧ ନେବାକୁ ଚିନ୍ତା କଲା ।
ଏମିତି ଚିନ୍ତା କରି ଯାଉ ଯାଉ ମାର୍ଗରେ ଥିବା ଗୋଟିଏ ପୁଷ୍କରିଣୀ ନିକଟରେ ପହଞ୍ଚିଲା । ବୁଢ଼ା ମାଙ୍କଡ଼କୁ ଶୋଷ ହେଉଥିଲା । ଯେ ଯେତେବେଳେ ପାଣି ପିଇବାକୁ ପୁଷ୍କରଣୀ ପାଖକୁ ଯାଏ ସେ ସେହି ଘାଟରେ ଦେଖିଲା ଯେ ଏହା ପୂର୍ବରୁ ଅନେକ ପଶୁ ମଧ୍ୟ ସେହି ପୋଖରୀରୁ ପାଣି ପିଇବାକୁ ଆସିଛନ୍ତି । ତାହାଦେଖି ସେ ବଡ଼ ଆଶ୍ଚର୍ଯ୍ୟ ହୋଇଗଲା । ସେ ଭାବିଲା ଯେଉଁ ପଶୁମାନେ ଏ ପୁଷ୍କରିଣୀକୁ ପାଣି ପିଇବାକୁ ଆସିଥିଲେ ସେମାନଙ୍କର ଫେରିଯିବାର ପାଦଚିହ୍ନ ଏଠାରେ କାହିଁ । ତେଣୁ ଚତୁର ବୁଢ଼ା ମାଙ୍କଡ଼ ସିଧା ପୁଷ୍କରିଣୀରୁ ପାଣି ପିଇଲା ନାହିଁ । ସେ ଗୋଟିଏ ପଦ୍ମନାଡ଼ ଟାଣି ଆଣି ସେହି ନାଡ଼ ସାହାଯ୍ୟରେ ପାଣି ପିଇବାକୁ ଲାଗିଲା ।