ବାସ୍, ଏଥର ବୁଢ଼ା ମାଙ୍କଡ଼ ଖୁବ୍ ଖୁସି ହୋଇଯାଇ ରାଜାଙ୍କ ସହିତ ରାଜ୍ୟର ବହୁ ପ୍ରଜାମାନଙ୍କୁ ଧରି ଯାଇ ସେହି ପୋଖରୀ ପାଖରେ ପହଞ୍ଚାଇ ଦେଇ କହିଲା – ଦେଖନ୍ତୁ ଛାମୁ! ଏହି ପୂଜା ନିମନ୍ତେ ଯେଉଁମାନେ ଆସିଛନ୍ତି ସେମାନେ ଏକାବେଳକେ ପୁଷ୍କରିଣୀ ମଧ୍ୟକୁ ପ୍ରବେଶ କରିବେ ଓ ଏକା ସାଥିରେ ବୁଡ଼ିବେ । କିନ୍ତୁ ଆପଣଙ୍କୁ ଅପେକ୍ଷା କରିବାକୁ ହେବ । ଏହାର କାରଣ ହେଲା ଛାମୁ ହେଉଛନ୍ତି ଆମ ସମସ୍ତଙ୍କ ଉପରେ ଶ୍ରେଷ୍ଠ । ଏଥିପାଇଁ କହୁଥିଲି କି ସାଧାରଣ ପ୍ରଜାମାନେ ପ୍ରଥମ ସେମାନଙ୍କର ମୋତିମାଳା ପାଇଯିବା ପରେ ଆପଣ ତା’ପରେ ବୁଡ଼ ପକାଇଲେ ସୂର୍ଯ୍ୟ ଦେବତା ଆପଣଙ୍କ ପ୍ରତି ସନ୍ତୁଷ୍ଟ ହୋଇ ଆପଣଙ୍କୁ ଖୁବ୍ ମୂଲ୍ୟବାନ୍ ମୋତି ମାଳାଟିଏ ପ୍ରଦାନ କରିବେ।
ବୁଢ଼ା ମାଙ୍କଡ଼ କଥାରେ ପ୍ରଥମ ସମସ୍ତ ପୁଷ୍କରିଣୀ ମଧ୍ୟରେ ପ୍ରବେଶ କରି ବୁଡ଼ ପକାଇଲେ । ରାଜା ପୁଷ୍କରିଣୀରେ ପାହାଚ ଉପରେ ବସିଥାଆନ୍ତି । ଏହା ମଧ୍ୟରେ ପ୍ରଜାମାନେ ପୁଷ୍କରିଣୀରେ ବୁଡ଼ିବାର ବହୁ ସମୟ ଅତିବାହିତ ହୋଇଯିବାରୁ ରାଜା ମାଙ୍କଡ଼କୁ ଏହି ବିଳମ୍ବ ହେବାର କାରଣ ପଚାରନ୍ତେ ବୁଢ଼ା ମାଙ୍କଡ଼ କହିଲା – ହେ ମହାରାଜ! ପୁଷ୍କରିଣୀ ମଧ୍ୟରେ ଏକ ଜଳ ରାକ୍ଷାସ ରହୁଅଛି । ବର୍ତ୍ତମାନ ସୁଦ୍ଧା ଯେତେ ପ୍ରଜା ତା’ ମଧ୍ୟକୁ ପ୍ରବେଶ କରିଛନ୍ତି ଆଉ ସେମାନେ କାହିଁକି ଫେରୁନାହାଁନ୍ତି ତାହାର କାରଣ କ’ଣ ଆପଣ ଜାଣିପାରୁ ନାହାଁନ୍ତି ।
ରାଜାଙ୍କ ମନରେ ମାଙ୍କଡ଼ର କଥାରୁ ସନ୍ଦେହ ଆସିଲା । ସେ ଯେତେବେଳେ ମାଙ୍କଡ଼କୁ ଏହାର କାରଣ ଜାଣିବାକୁ ଇଚ୍ଛା କରନ୍ତି ସେତେବେଳକୁ ମାଙ୍କଡ଼ ନିକଟରେ ଥିବା ଉଚ୍ଚ ବୃକ୍ଷ ଉପରକୁ ଚଢ଼ିଯାଇ ସାରିଥାଏ । ରାଜା ତଳୁ ଥାଇ ମାଙ୍କଡ଼କୁ ଚାହାଁନ୍ତେ ବୁଢ଼ା ମାଙ୍କଡ଼ ହସିଦେଇ କହିଲା – ଆପଣଙ୍କର ଘୋଡ଼ା ଭଲ ହେବା ନିମନ୍ତେ ଆପଣ ମୋ ବଂଶ ମାରି ତାଙ୍କର ଚର୍ବି ନେଇଗଲେ । ସେତେବେଳେ ତ ଆପଣଙ୍କୁ ଦୁଃଖ ଲାଗି ନଥିଲା । ଏଥର ପ୍ରଜାମାନଙ୍କୁ ଜଳ ରାକ୍ଷାସ ଖାଇଗଲା । ଏଥିରେ ଆପଣ ଦୁଃଖ ନକରି ନିଜର ରାଜାବାଟୀକୁ ଫେରିଯାଆନ୍ତୁ ।
ମାଙ୍କଡ଼ର ପ୍ରତିଶୋଧ ପରାୟଣ କଥାକୁ ଶୁଣିସାରି ରାଜା କିଛିକ୍ଷଣ ପାଇଁ ସ୍ତବ୍ଧ ହୋଇଗଲେ । ତା’ ପରେ ଅନେକ ଗୁଡାଏ ମାଙ୍କଡ଼କୁ ମାରିଥିବା କାରଣ ନେଇ ସେ ବହୁତ ମନସ୍ତାପ କରି ପରିଶେଷରେ ଘୋଡ଼ା ଉପରେ ବସି ନିଜ ରାଜ୍ୟକୁ ଫେରିଗଲେ ।