‘ବୀଜାପୁର’ର ସୁଲତାନ୍ ‘ଇସ୍ମାଇଲ୍ ଆଦିଲ୍ଶାହା’ ରାଜା କୃଷ୍ଣଦେବରାୟଙ୍କର ବୀରତ୍ୱକୁ ନେଇ ଖୁବ୍ ଚିନ୍ତାରେ ପଡିଯାଇଥାଆନ୍ତି । କାଳେ କେତେବେଳେ କୃଷ୍ଣଦେବରାୟ ତାଙ୍କ ରାଜ୍ୟକୁ ଆକ୍ରମଣ କରିବେ । ସେହି ଚିନ୍ତା ହିଁ ଖାଲି ତାଙ୍କୁ ଗ୍ରାସ କରୁଥାଏ । ରାଜା କୃଷ୍ଣଦେବରାୟ ମଧ୍ୟ ତାଙ୍କ ବୀରତ୍ୱ ବଳରେ କୋଣ୍ଡପଲ୍ଲୀ, ଶ୍ରୀରଙ୍ଗପଟ୍ଟନମ୍, ଉଦୟଗିରି ଇତ୍ୟାଦି ରାଜ୍ୟ ଜୟ କରିସାରିଥିଲେ । ସୁଲତାନ୍ ଭାବିଲେ, ତାଙ୍କ ରାଜ୍ୟକୁ ରକ୍ଷା କରିବାକୁ ହେଲେ କୃଷ୍ଣଦେବରାୟଙ୍କୁ ହତ୍ୟା କରିବା ଏକାନ୍ତ ଆବଶ୍ୟକ । ହେଲେ ଏପରି କାର୍ଯ୍ୟ କରିବ କିଏ? ସେଥିପାଇଁ ଆଦିଲ୍ଶାହା ବହୁ ଧନରତ୍ନର ଲୋଭ ଦେଖାଇ ତେନାଲୀରାମାଙ୍କର ପୁରୁଣା ବନ୍ଧୁ ତଥା ତାଙ୍କର ମାମୁଁଙ୍କର ଜଣେ ସଂପର୍କୀୟ ‘କନକରାଜୁ’ ନାମକ ଏକ ବ୍ୟକ୍ତିକୁ ଠିକ୍ କଲେ ।
କିଛି ଦିନପରେ ସେ କନକରାଜୁ ଯାଇ ତେନାଲୀରାମାଙ୍କର ଘରେ ପହଁଚିଲେ । ବହୁଦିନପରେ ପୁରୁଣା ବନ୍ଧୁଙ୍କୁ ଦେଖି ତେନାଲୀରାମା ତାଙ୍କର ଉପଯୁକ୍ତ ସତ୍କାର କଲେ ଏବଂ ନିଜ ଘରେ ତାଙ୍କୁ କିଛି ଦିନ ରହିବାପାଇଁ ମଧ୍ୟ କହିଲେ । କନକରାଜୁ ତ’ ଏହି ସୁଯୋଗ ଅପେକ୍ଷାରେ ଥାଆନ୍ତି । ଦିନେ ତେନାଲୀରାମା କୌଣସି ଏକ କାମରେ ବାହାରକୁ ଯାଇ ଥାଆନ୍ତି । ସେଦିନ କନକରାଜୁ ତେନାଲୀରାମାଙ୍କ ତରଫରୁ ରାଜାଙ୍କ ନିକଟକୁ ଏକ ସନ୍ଦେଶ ପ୍ରେରଣ କଲେ– “ଆପଣ ସଂଗେ ସଂଗେ ମୋର ଘରକୁ ଆସନ୍ତୁ । କାହିଁକିନା ମୁଁ ଆପଣଙ୍କୁ ଏକ ଅଦ୍ଭୁତ ଦ୍ରବ୍ୟ ଦେଖାଇବାକୁ ଚାହୁଁଛି ।” ରାଜା ତେନାଲୀରାମା ପତ୍ର ପଠାଇଛନ୍ତି ବୋଲି ଭାବି ବିନା ହତିଆରରେ ତେନାଲୀରାମାଙ୍କର ଗୃହ ଅଭିମୁଖେ ଚାଲିଲେ । ତେନାଲୀରାମାଙ୍କର ଘରେ ପହଁଚିବା କ୍ଷଣି ସେ କନକରାଜୁ ରାଜାଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ ଆରମ୍ଭ କରିଦେଲେ । ରାଜା କିନ୍ତୁ କନକରାଜୁଙ୍କୁ କାବୁ କରିନେବା ମାତ୍ରକେ ରାଜାଙ୍କ ଅଙ୍ଗରକ୍ଷୀମାନେ ଆସି କନକରାଜୁଙ୍କୁ ବାନ୍ଧି ପକାଇଲେ ।