ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୃଷଭ ବୁଝିଲା

ବହୁଦିନ ତଳର କଥା । ମହାଦେବଶାସ୍ତ୍ରୀ ନାମକ ଜଣେ ମହାନ୍ ପଣ୍ଡିତ ଗୋଟିଏ ଗୁରୁକୂଳ ପ୍ରତିଷ୍ଠା କରି ସେଠାରେ ତାଙ୍କ ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥାନ୍ତି । ଶାସ୍ତ୍ରୀ ଅନେକ ପ୍ରକାର ମନ୍ତ୍ରତନ୍ତ୍ରରେ ସିଦ୍ଧି ଲାଭ କରିଥିବା କଥା ତ ସମସ୍ତଙ୍କୁ ଜଣାଥିଲା । ତେବେ ଶାସ୍ତ୍ରୀ କେବେବି ମନ୍ତ୍ରଚର୍ଚ୍ଚା କରୁ ନଥିଲେ କି ନିଜ ସିଦ୍ଧିର ପରିଚୟ କାହାରିକୁ ବି ଦେଉ ନଥିଲେ । ସେ କହୁଥାନ୍ତି, “ଆଜିକାଲି ଲୋକେ ମନ୍ତ୍ର ଶିଖି ତା’ର ଦୁରୁପଯୋଗ କରୁଛନ୍ତି । ତେଣୁ ମୁଁ କାହାକୁ ମଧ୍ୟ ମନ୍ତ୍ରତନ୍ତ୍ର ଶିଖାଇବି ନାହିଁ ବୋଲି ସ୍ଥିର କରିଛି । କେହି ମୋତେ ସେଭଳି ଅନୁରୋଧ କରିବେ ନାହିଁ ବୋଲି ମୁଁ ଜଣାଇ ଦେଇଛି । ଶାସ୍ତ୍ର ଅଧ୍ୟୟନ କରି ଜ୍ଞାନୀ ହୁଅ, ଭଲ କାମ କର, ସତ୍ୟବାଦୀ ହୁଅ, ଭଗବାନଙ୍କୁ ଭକ୍ତି କର । ଏଥିରେ ହିଁ ଜୀବନର ସାର୍ଥକତା ରହିଛି । ମନ୍ତ୍ରତନ୍ତ୍ର ଶିଖି ତୁମେମାନେ କ’ଣ କରିବ?”

                ଶାସ୍ତ୍ରୀଙ୍କ ଘରେ ଗୋଟିଏ ଭାଡି ଉପରେ ବାକ୍ସରେ କେତେକ ମନ୍ତ୍ର ପୋଥି ଥାଏ । ଶାସ୍ତ୍ରୀ କହିଦେଇଥାନ୍ତି, ସେ ବାକ୍ସକୁ କେହି ଯେମିତି ଖୋଲିବେ ନାହିଁ କି ସେ ପୋଥି ପଢିବେ ନାହିଁ । ସବୁ ଛାତ୍ର ସେ ନିର୍ଦ୍ଧେଶ ମାନି ଚଳୁଥାନ୍ତି । କିନ୍ତୁ ସେମାନଙ୍କ ଭିତରେ ବୃଷଭ ନାମକ ଏକ ଯୁବକ ଥାଏ । ତା’ର ଗୋଟାଏ ବଡ ସ୍ୱପ୍ନ ଥିଲା ଯେ, କୌଣସି ମତେ କିଛି ଅଦ୍ଭୁତ ବିଦ୍ୟା ଶିଖି ସମସ୍ତଙ୍କଠାରୁ ନିଜର ସ୍ୱତନ୍ତ୍ରତା ଦେଖାଇବା  । ତେଣୁ ସେ ସୁଯୋଗକୁ ଅପେକ୍ଷା କରିଥାଏ ।

                ଦିନେ ସେ ଶାସ୍ତ୍ରୀ ରାଜାଙ୍କ ନିମନ୍ତ୍ରଣ କ୍ରମେ ରାଜଧାନୀକୁ ଗଲେ । ରାତିରେ ସବୁ ଛାତ୍ର ଶୋଇ ପଡିବା ପରେ ବୃଷଭ ସିଡି ଲଗାଇ ଭାଡିରେ ଚଢିଲା ଓ ବାକ୍ସରୁ ପୋଥିତକ ବାହାର କରି ପଢିବାକୁ ଲାଗିଲା । ଅଧିକାଂଶ ପୋଥି ସେ ବୁଝି ପାରିଲା ନାହିଁ । କିନ୍ତୁ ଗୋଟାଏ ପୋଥିରେ ସେ ସରଳ ମନ୍ତ୍ରଟିଏ ଲେଖାଥିବାର ଦେଖିଲା । ସେ ମନ୍ତ୍ରଟି ପଢି ଯିଏ ଯେଉଁ ପ୍ରକାର ଜନ୍ତୁ ହେବାକୁ ଚାହିଁବ, ସେ ସେହି ଜନ୍ତୁରେ ପରିଣତ ହେବ ।

ବୃଷଭ ସଙ୍ଗେ ସଙ୍ଗେ ମନ୍ତ୍ରଟି ଲେଖି ନେଲା । ଦୈନିକ ସହସ୍ର ଥର ସେ ମନ୍ତ୍ର ସ୍ନାନ ବେଳେ ଜପ କରିବା କଥା ଏବଂ ଦିନ ଭିତରେ ଥରେ ମାତ୍ର ଭୋଜନ କରିବା କଥା । ସାତ ଦିନ ଏପରି କଲେ ସିଦ୍ଧି ହୁଏ । ବୃଷଭ ସାତ ଦିନ କାଳ ଠିକ୍ ସେପରି କଲା । ଅନ୍ୟ ଛାତ୍ରମାନେ ପଚାରୁଥାନ୍ତି, “କିରେ, କଥା କ’ଣ? କିଛି ମନ୍ତ୍ରସିଦ୍ଧି କରୁଛୁ କି?” ସେମାନଙ୍କ କଥା ଶୁଣି ସେ ହସି ଦେଇ ରହିଯାଏ । ମାତ୍ର କିଛି ବି କହେ ନାହିଁ ।

ଅଷ୍ଟମ ଦିନ ଛାତ୍ରମାନେ ବଣ ଭିତରକୁ ଗଲେ । ସେଦିନ ଜାଳେଣି କାଠ ଓ କିଛି ଫଳମୂଳ ସଂଗ୍ରହ କରିବା କଥା । ସେ ବଣ ଭିତରେ ସମସ୍ତଙ୍କ ଆଗରେ ନିଜର ବାହାଦୂରୀ ଦେଖାଇବା ନିମନ୍ତେ ହଠାତ୍ ବୃଷଭର ପ୍ରବଳ ଆଗ୍ରହ ହେଲା । ଏପରି ଚିନ୍ତା କରି ସେ କହିଲା, “ତମେମାନେ ଜାଣ? ମୁଁ ଇଚ୍ଛା କଲେ ଯେ କୌଣସି ଜନ୍ତୁର ଆକାର ବି ଧାରଣ କରିପାରେ!”


ଗପ ସାରଣୀ

ତାଲିକାଭୁକ୍ତ ଗପ