ବୃଷଭର ଏଭଳି କଥାରେ ତା’ବନ୍ଧୁମାନେ ତାକୁ ଥଟ୍ଟା କରି କହିଲେ “ସତେ? ତାହେଲେ ତୋ ନାମ ତ ବୃଷଭ । ଦେଖିବା, ବୃଷଭ ରୂପ ତୁ ଧାରଣ କଲୁ!”
ସେମାନେ ତାକୁ ବିଶ୍ୱାସ କରୁ ନାହାଁନ୍ତି ଦେଖି ବୃଷଭ ସଙ୍ଗେ ସଙ୍ଗେ ମନ୍ତ୍ର ପଢି ସତକୁ ସତ ଗୋଟାଏ ଗୋରୁରେ ପରିଣତ ହେଲା ଓ ତା’ ସାଙ୍ଗମାନଙ୍କୁ ମାରି ଗୋଡାଇଲା ।
ସାଙ୍ଗମାନେ ପ୍ରଥମେ କିଛି ବି ବୁଝିପାରିଲେ ନାହିଁ । ବୃଷଭ କୁଆଡେ ହଠାତ୍ ଅର୍ନ୍ତଧ୍ୟାନ ହୋଇଗଲା ଓ ହଠାତ୍ ଗୋଟାଏ ଗୋରୁ କୁଆଡୁ ଆସିଲା, ସେକଥା ଠଉରାଇବା ପାଇଁ ଚେଷ୍ଟା କରି ସେମାନେ ବୁଝିଲେ ଯେ ବାସ୍ତବିକ ସେମାନଙ୍କ ସାଙ୍ଗ ବୃଷଭହିଁ ଅସଲ ବୃଷଭରେ ପରିଣତ ହୋଇଛି । ତା’ପରେ ସେମାନଙ୍କ ବିସ୍ମୟର ଆଉ ସୀମା ରହିଲା ନାହିଁ । ଏଣେ ସେମାନଙ୍କ ଅତର୍ଚ୍ଛା ଭାବ ଦେଖି ବୃଷଭର ଆନନ୍ଦ କଥା କହିଲେ ନ ସରେ । ସେ ଆହୁରି ଉତ୍ସାହରେ ଶିଙ୍ଘ ବାଗେଇ ସେମାନଙ୍କୁ ହଇରାଣ କଲା ।
ଜଣେ ଦୁଇଜଣ ବନ୍ଧୁ ଦୂରରୁ ପାଟି କରି କହିଲେ “ଆରେ ବୃଷଭ, ହେଲା, ହେଲା, ଯଥେଷ୍ଟ ହେଲା । ଏଥର ବୃଷଭ ରୂପ ସମ୍ବରଣ କର!” କିନ୍ତୁ ସେମାନଙ୍କ କଥା ପ୍ରତି ଧ୍ୟାନ ନଦେଇ ବୃଷଭ ସେମାନଙ୍କୁ ମାରି ଗୋଡାଇଲା । ଫଳରେ ସେମାନେ ସେଠାରୁ ପ୍ରାଣ ବିକଳରେ ଅନ୍ୟତ୍ର ପଳାଇଗଲେ । ଏସବୁ ଦେଖି ସେ ବୃଷଭ ଭାରି ଖୁସି!
ଠିକ୍ ସେତିକିବେଳେ ଅଦୂରରୁ ବାଘର ଗର୍ଜନ ଶୁଭିଲା । ସଙ୍ଗେ ସଙ୍ଗେ ଛାତ୍ରମାନେ ଗଛ ଚଢିଗଲେ । ଠିକ୍ ସେତିକିବେଳକୁ ବୃଷଭ ତା’ ନିଜ ଭୁଲ୍ ସମ୍ପର୍କରେ ଚେତିଲା । କାହିଁକିନା ଗୋରୁ ରୂପରେ ତ ଗଛ ଚଢିବା ଆଦୌ ସମ୍ଭବପର ନୁହେଁ । ତେଣେ ପଶୁ ହେବା ମନ୍ତ୍ରଟି ସେ ସିନା ଶିଖିଛି, ହେଲେ ପୁଣି ମଣିଷ ହେବା ମନ୍ତ୍ର ତ ସେ ଶିଖି ନାହିଁ ।
ସେ ଏସବୁ ଭାବିବା ବେଳକୁ ବାଘ ଦେଖାଗଲା । ତେଣିକି ସେ ତା’ପ୍ରାଣମୂର୍ଚ୍ଛା ଦୌଡିଲା । ଜଙ୍ଗଲ ବାହାରକୁ ଆସିବା ବାଟ ଜାଣିଥିବା ଯୋଗୁଁ ସେ ବାଘ କବଳରୁ ବର୍ତ୍ତୀଗଲା । କିନ୍ତୁ ତା’ପରେ କ’ଣ କରିବ? ଏଣେ ଦୌଡି ଦୌଡି ତାକୁ ଭୋକ ଲାଗିଲାଣି । ସେତେବେଳକୁ ଅନ୍ଧାର ବି ହୋଇ ଆସିଲାଣି । ସେ ଗାଁ ବାହାରେ ଗୋଟିଏ କ୍ଷେତରେ ପଶି ଫସଲ ଖାଇବାକୁ ଆରମ୍ଭ କଲା । କିନ୍ତୁ କ୍ଷେତ ମାଲିକ ଯେ ସେଠି ଜଗିଥିଲା, ସେକଥା ସେ ଆଉ ଜାଣି ନଥିଲା । ପଛ ପାଖରୁ ଧିରେ ଧିରେ ଆସି ସେ ଏହି ବୃଷଭକୁ ଅକଥନୀୟ ଭାବରେ ପିଟିବାକୁ ଲାଗିଲା । ପ୍ରାଣ ବିକଳରେ ସେ ବୃଷଭ ସେଠାରୁ କୌଣସି ମତେ ପଳାଇଗଲା । ସେ ଗାଁ ଭିତରେ ପଶିଛି, ହଠାତ୍ ତାକୁ ଗୋଟେ ବୁଲା ଷଣ୍ଢ ଦେଖିଦେଲା । ଶିଙ୍ଘ ବାଗେଇ ସେ ତାକୁ ମାରିବାକୁ ଆସିଲା । ଏସବୁ ଦେଖି ବୃଷଭ ପୁଣି ଦୌଡିଲା । ଷଣ୍ଢ କିଛି ବାଟ ତା’ର ଅନୁସରଣ କରି ତା’ବାଟେ ସେ ଚାଲିଗଲା ।
ରାତି ପାହିଲା । ବୃଷଭ ଗୋଟାଏ ଗଛ ମୂଳରେ ଠିଆ ହୋଇ ନିଜ ଦୁର୍ଭାଗ୍ୟ କଥା ଚିନ୍ତା କରୁଛି, ଠିକ୍ ସେହି ସମୟରେ ସେ ଅଂଚଳର ଗୋରୁ ବେପାରୀ ଭୈରବନାଥ ତାକୁ ଦେଖିଲା । ସେ ବୁଝି ପାରିଲା ଏ ଗୋରୁଟି ସେ ମୂଲକର ନୁହେଁ । ତେଣୁ ସେ ବୃଷଭକୁ ନିଜ ଗୋଶାଳାକୁ ନେଇ ଯାଇ ତାକୁ ବାନ୍ଧି ରଖିଲା । କିଛି ଘାସ କୁଣ୍ଡା ତାକୁ ଖାଇବାକୁ ଦେଇ ତା’ପରେ ସେ ବୃଷଭକୁ ନିଜ ଗାଡିରେ ଯୋଖିଲା । ବୃଷଭ ତ ଗାଡି ଟାଣିବାରେ ଅଭ୍ୟସ୍ତ ନୁହେଁ, ତେଣୁ ଏହି କାରଣରୁ ତାକୁ ବାରମ୍ବାର ଛାଟ ମାଡ ଖାଇବାକୁ ହେଲା ।
ଠିକ୍ ସଂନ୍ଧ୍ୟାବେଳେ ଭୌରବନାଥ ତା’ ସହକାରୀକୁ କହୁଥିବାର ସେ ଶୁଣିଲା; “କାଲି ସକାଳେ ଏ ନୂଆ ଗୋରୁର ନାକ ଫୁଟାଇ ତହିଁରେ ରସି ଲଗାଇବାକୁ ହେବ ।”
ନାକ ଫୁଟାଇବା କଥା ଶୁଣି ଏଣେ ବୃଷଭ ଭୟରେ ଥରିଗଲା । ସେ ଯନ୍ତ୍ରଣା କ’ଣ, ତାହା ସେ ଅନୁମାନ କରି ପାରିଲା । ଠିକ୍ ମଝି ରାତି ବେଳକୁ ସବୁ ଶୂନ୍ଶାନ୍ ହୋଇଯିବାରୁ ସେ କୌଣସି ମତେ ପଘା ଛିଣ୍ଡାଇ ପ୍ରାଣମୂର୍ଚ୍ଛା ଦୌଡିଲା । ସକାଳ ସୁଦ୍ଧା ସେ ଯାଇ ଗୁରୁକୂଳରେ ପହଁଚିଲା ।
ସେତେବେଳକୁ ତ ଶାସ୍ତ୍ରୀ ରାଜାଧାନୀରୁ ଫେରି ଆସିଥାନ୍ତି ଓ ବୃଷଭ ବଣ ଭିତରେ କିପରି ଗୋରୁ ପାଲଟିଗଲା, ସେକଥା ବି ଶୁଣିଥାନ୍ତି । ବୃଷଭ ଫେରିବା ମାତ୍ରେ ଶିଷ୍ୟମାନେ ଯାଇ ଶାସ୍ତ୍ରୀଙ୍କୁ ଖବର ଦେଲେ । ଶାସ୍ତ୍ରୀ ତୁରନ୍ତ ମନ୍ତ୍ର ପଢି ବୃଷଭକୁ ପୁଣି ମଣିଷ କଲେ । ବୃଷଭ କାନ୍ଦି କାନ୍ଦି ତାଙ୍କ ଗୁରୁଙ୍କ ଗୋଡତଳେ ପଡି ନିଜ ଦୁର୍ଦ୍ଦଶା ବର୍ଣ୍ଣନା କଲା । ତା’ର ସବୁକଥା ଶୁଣି ଶାସ୍ତ୍ରୀ କହିଲେ, “ବାପା! ବାହାଦୂରୀ ଦେଖାଇବା ମୋଟେ ଭଲ ନୁହେଁ । ଯଦି ଦେଖାଇବୁ, ତେବେ ଅନ୍ତତଃ ତା’ ପରିଣତି ବିଷୟ ଆଗରୁ ଚିନ୍ତା କରିଥିବୁ ।”
ବୃଷଭ ଏଥର ନିଜ ଭୁଲ୍ ବୁଝିଲା ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଅନ୍ଧବିଶ୍ୱାସ, ତର୍କ ହୀନତା ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ ।