ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବେକା ନା ଭଦ୍ର?

ସୁମଥବାବୁ ନିଜ କନ୍ୟା ସକାଶେ ବର ଖୋଜିବା ନିମନ୍ତେ ବାହାରିଥିଲେ । ସ୍ତ୍ରୀ ପଚାରିଲେ “ତମେ ଆଜି ରାତିରେ କେଉଁଠି ରହିବ?” କାରଣ ସେଦିନ ତ ଆଉ ସୁମଥବାବୁ ସହରରେ ପହଁଚି ପାରିବେ ନାହିଁ ।

                ସୁମଥବାବୁ କହିଲେ “ବାଟରେ ହରିପୁରଠିଁ ମୋ ସାଙ୍ଗ ଦିବାକର ଘରେ ମୁଁ ରହିଯିବି ।”

                ସୁମଥବାବୁଙ୍କ ସ୍ତ୍ରୀ କହିଲେ “ତମେ ଯଦି ଦିବାକରଙ୍କ ଘରେ ରହିବ, ତେବେ ତାଙ୍କ ପୁଅ ରବିଶଙ୍କର ସହ ପ୍ରସ୍ତାବ କାହିଁକି ପକାଇବ ନାହିଁ? ତାକୁ ପିଲାବେଳେ ମୁଁ ଯାହା ଦେଖିଥିଲି । ଭାରି ଭଲ ପିଲା ସେ!”

                “ଭଲ ପିଲା ନା ଆଉ କିଛି! ସେ ଅତ୍ୟନ୍ତ ବୋକା । ତା’ ବାପା ତାକୁ ସବୁବେଳେ ବକିବାର ମୁଁ ଶୁଣେ ।”

                ସ୍ତ୍ରୀ କହିଲେ “ମୁଁ ଅବଶ୍ୟ ରବିଶଙ୍କରକୁ ଥରେ ମାତ୍ର ଦେଖିଥିଲି । ତା’ ସ୍ୱଭାବ କିପରି ମୁଁ ତ ତାହା ଜାଣେ ନାହିଁ । ତେବେ ତମ ବନ୍ଧୁ ଦିବାକର ଭୀଷଣ ବଦ୍ରାଗୀ ।”

                ସୁମଥବାବୁ ଉତ୍ତର ଦେଲେ “ସେକଥା କିଏ ବା ନ ଜାଣେ? ସେ ବଦ୍ରାଗୀକୁ ତା’ ପୁଅ ବୋକା!”

ସ୍ତ୍ରୀ ଆଉ କିଛି କହିଲେ ନାହିଁ । ସୁମଥବାବୁ ସଂନ୍ଧ୍ୟା ସୁଦ୍ଧା ଯାଇ ବନ୍ଧୁ ଦିବାକରଙ୍କ ଘରେ ପହଁଚିଲେ । ହାତଗୋଡ ଧୋଇ ସାରି ସେ ପଚାରିଲେ, “ରବିଶଙ୍କର କାହିଁ?”

“ଆରେ ଭାଇ, ସେ ବୋକା କଥା ଆଉ କୁହନା । ଝିଅ ଘରକୁ ବେଭାର ପଠାଇବି ବୋଲି ମୁଁ ତାକୁ ଆମ୍ବ କିଣିବାକୁ ପଠାଇଛି । ସେ ଆମ୍ବ ବଦଳରେ ଓଲୁଅ ନ ଆଣିଲେ ରକ୍ଷା ।”

ସୁମଥ ଟିକିଏ ବିଶ୍ରାମ କରି କହିଲେ, “ମୁଁ ଟିକିଏ ବୁଲାବୁଲି କରି ନଈ କୂଳରୁ ଆସେ ।”

ସୁମଥବାବୁ ବାହାରି ଯିବାର ଘଂଟାକ ପରେ ରବିଶଙ୍କର ଲେଉଟି ଆସିଲା ।

ଦିବାକର ପଚାରିଲେ “କିରେ ଆମ୍ବ ପାଇଲୁ?”

ରବିଶଙ୍କର କହିଲା “ହଁ । ତେବେ ବହୁ ଦୂର ସ୍ଥାନରୁ ଆଣିବାକୁ ହେଲା ।”

ଦିବାକର ସନ୍ଦେହମିଶ୍ରିତ କଣ୍ଠରେ ପଚାରିଲେ “କ’ଣ ଦର ଦେଲୁ?”

ପ୍ରତ୍ୟୁତ୍ତର ଆସିଲା “ଦଶଟଙ୍କା ଦେଇ ସେ ପଚାଶ ଆମ୍ବ କିଣିଲା ।”

ଦିବାକର କଡା କଣ୍ଠରେ ପଚାରିଲେ “କ’ଣ କହିଲୁ? ଦଶଟଙ୍କା? ତୋ ମୁଣ୍ଡ ଖରାପ ହେଲାଣି କିରେ? ତୋତେ ପରା ମୁଁ କହିଥିଲି ଶସ୍ତାରେ ପାଇଲେ ଆଣିବୁ ବୋଲି?”

ରବିଶଙ୍କର ଦୃଢ ଭାବରେ ଉତ୍ତର ଦେଲା “ବାପା, ଶସ୍ତାର ଅର୍ଥ କ’ଣ? ଆଖପାଖରେ ଏଭଳି ଆମ୍ବ ତ କୋଉଠି ମିଳୁ ନାହିଁ । ମଙ୍ଗଳପୁରରେ ବୁଝିଲି, ପଚାଶ ଆମ୍ବକୁ କୋଡିଏ ଟଙ୍କା ପଡିବ । ସେଥିପାଇଁ ମୁଁ ସେଠାରୁ ଏକ କୋଶ ଦୂରକୁ ଯାଇ ସୁଦାମ ଚୌଧୁରୀଙ୍କ ବଗିଚାରୁ ଏସବୁ କିଣିଲି । ତେଣୁ ଏହା ଶସ୍ତା ହେଲା ନାହିଁ ବୋଲି କହିହେବ ନାହିଁ ।” କିନ୍ତୁ ତା’ କଥାରେ କୌଣସି ପ୍ରକାର ବିରକ୍ତି ବା ଥଟ୍ଟାଳିଆ ଭାବ ନଥାଏ ।

ଦିବାକର ଚିଡି ଯାଇ କହିଲେ “ଚୋପ୍! ତୋତେ ଏତେ କିଏ ପଚାରୁଛି? ତୁ ଏମିତି ବୋକା ବୋଲି ଆଜିଯାଏଁ ତୋତେ କେହିବି କନିଆ ଦେବାକୁ ଆଗଭର ହୋଇ ନାହାଁନ୍ତି । କ’ଣ ବୁଝିଲୁ?”

ରବିଶଙ୍କର ସଂଯତ କଣ୍ଠରେ ହସି ହସି କହିଲା “ବାପା! ସତକଥା କ’ଣ ଜାଣ? ତୁମେ ଯଦି ମୋତେ ସମସ୍ତଙ୍କ ଆଗରେ ବୋକା ବୋଲି କହିବ, ତେବେ ମୋତେ କିଏ କିପରି କନିଆ ଦେବାକୁ ଆସିବ? ମୁଁ ଅବଶ୍ୟ ବିଭା ହେବାକୁ ଏତେଟା ଅଧୀର ନୁହେଁ ।” ଠିକ୍ ସେତିକିବେଳେ ବାରାନ୍ଦାରେ କେହି କାଶିବାର ଶବ୍ଦ ଶୁଭିଲା । ରବିଶଙ୍କର ଓ ଦିବାକର ଚୁପ୍ ହୋଇଗଲେ । ସୁଦାମବାବୁ ଭିତରକୁ ପଶି ଆସିଲେ । ରବିଶଙ୍କର ତାଙ୍କୁ ନମସ୍କାର କଲା । ସୁଦାମବାବୁ ଖୁସି ହୋଇ କହିଲେ, “ଆରେ ରବି, ତୁ କେତେବେଳେ ଆସିଲୁ?”

“ଏଇ ଟିକିଏ ଆଗରୁ ଆଜ୍ଞା । ଆପଣ?”

“ମୁଁ ତ ଘଣ୍ଟାଏ କି ଦେଢଘଂଟା ହେବ ଆସିଲିଣି । ନଈକୂଳ ଆଡେ ଯାଇଥିଲି ।”

ରବିଶଙ୍କର ପଚାରିଲା “ଭଲ କଥା । ଆପଣ ତ ସବୁଥର ଖାଲି ସହରକୁ ଯିବା ବାଟରେହିଁ ଏଠି ଟିକେ ମୁହଁ ମାରିଦେଇ ଚାଲିଯା’ନ୍ତି । ଏଥର ଅନ୍ତତଃ ଦିନଟିଏ ରହିବେ ତ?”

                “ଅନ୍ତତଃ ଆଜି ରାତିକ ରହିବି । ମୁଁ ସହରକୁ ଯାଉ ନାହିଁ । ଏଇଠିକୁ ଆସିଛି । ପୁଣି ଏଇଠୁ ଘରକୁ ଲେଉଟି ଯିବି । ତୋ ବାପା ସହ ବିଶେଷ କଥା ଅଛି ।”

                ଦିବାକର କହିଲେ “ମୋ ସହ କଥା ଅଛି? କାହିଁ, ସେକଥା ତ କହିନାହଁ । ମୁଁ ବି ଭାବିଛି ତମେ ସକାଳେ ସହରକୁ ଯିବ!”

                “କଥା ହେଲା, ମୋ ଝିଅ ସହ ରବିଶଙ୍କରର ବିବାହ ପ୍ରସ୍ତାବ ଧରି ମୁଁ ଆସିଛି । କ’ଣ ତମର ଏଥିରେ ସମ୍ମତି ଅଛିଟି?” ଏତିକି କହି ସୁମଥବାବୁ କଟମଟ କରି ଦିବାକରଙ୍କ ଆଡେ ଅନାଇଲେ ।

                ଦିବାକର କହିଲେ “ସୁମଥ! ତମ ଝିଅ ମୋ ଘରକୁ ଆସିବ, ଏଥିରେ ମୋର ଆପତ୍ତି କରିବାର ପ୍ରଶ୍ନ ଆଉ ରହିଲା କେଉଁଠି?”

                “ବେଶ୍, ବେଶ୍ । ଧନ୍ୟବାଦ ।”

                ପରଦିନ ସୁମଥବାବୁ ଗାଁକୁ ଫେରିଗଲେ । ତାଙ୍କ ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏଡେ ଶୀଘ୍ର କ’ଣ ପଳେଇ ଆସିଲ?”

                ସୁମଥବାବୁ କହିଲେ “ଉପଯୁକ୍ତ ବରପାତ୍ର ସହ – ପ୍ରସ୍ତାବ ପକ୍କା ହୋଇଗଲା!”

                ସ୍ତ୍ରୀ କୌତୁହଳୀ ହୋଇ ପଚାରିଲେ “ସେ କିଏ?”

                ସୁମଥବାବୁ ଦୃଷ୍ଟ ଭାବରେ କହିଲେ “ରବିଶଙ୍କର । ସେ ବୋକା ନୁହେଁ, ଅତ୍ୟନ୍ତ ଭଦ୍ର । ଦିବାକରଟା ହୁଣ୍ଡା । ମୁଁ ନେପଥ୍ୟରୁ ସେ ବାପାପୁଅଙ୍କ କଥାବାର୍ତ୍ତା ଶୁଣିଦେଲି । ରବିଶଙ୍କର ସମ୍ପର୍କରେ ମୋର ଧାରଣା ବଦଳିଗଲା ।” ଏଣେ ତାଙ୍କ ସ୍ତ୍ରୀଙ୍କ ମୁହଁରେ ମଧ୍ୟ ଆନନ୍ଦ ଫୁଟି ଉଠିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ