ବେଙ୍ଗ କହିଲା ‘ତୁମ ପୋଷାକ, ବେକର ହାର, ଅଳଙ୍କାର କିମ୍ବା ତୁମ ସୁନାମୁକୁଟ ମୁଁ ଚାହେଁ ନାହିଁ । ତୁମେ ଯଦି ମୋତେ ଭଲ ପାଇ ମୋତେ ତୁମର ଖେଳସାଥୀ କରିବ, ତୁମ ଖାଇବା ଟେବୁଲ୍ ଉପରେ ବସାଇ ତୁମ ସୁନାଥାଳିରୁ ଖୁଆଇବ ଏବଂ ସୁନାଗିନାରୁ ପାଣି ପିଆଇବ ଏବଂ ତୁମ ଶେଯରେ ଶୁଆଇବାପାଇଁ ପ୍ରତିଜ୍ଞା କରିବ ତେବେ ଅତି ଆନନ୍ଦରେ ତୁମର ବଲ୍କୁ ମୁଁ ପାଣିରୁ କାଢିଆଣି ଦେବି ।’ ରାଜକୁମାରୀ କହିଲା ‘ଓଃ ଏଇଆତ? ତୁମେ ମୋତେ ବଲ୍ଟି ଆଣି ଦିଅ ମୁଁ ପ୍ରତିଜ୍ଞା କରୁଛି ।’ ଏକଥା ସିନା ସେ ରାଜକୁମାରୀ କହିଦେଲା ହେଲେ ମନେମନେ ଭାବିଲା, ଏ ନିର୍ବୋଧ ବେଙ୍ଗଟା କ’ଣ ଚବ୍ ଚବ୍ ହେଉଛି । ସେତ ପାଣିରେ ବାସକରେ ଏବଂ ଅନ୍ୟ ବେଙ୍ଗ ସାଙ୍ଗରେ ସେ ବୋବାଏ । ସେ ପୁଣି ଜଣେ ମଣିଷର ଖେଳ ସାଥୀ ହେବ ।
ବେଙ୍ଗ ଯେମିତି ରାଜକୁମାରୀର ପ୍ରତିଜ୍ଞା ଶୁଣିଲା ସେ କୂଅରୁ ପାଣି ମଧ୍ୟରେ କୁଆଡେ ଅଦୃଶ୍ୟ ହୋଇଗଲା । ପାଣିର ତଳକୁ ବୁଡିଯାଇ ପାଟିରେ ବଲ୍ଟି ଧରି ସେ ଉପରକୁ ଉଠି ଆସିଲା ଏବଂ ବଲ୍ଟିକୁ ରାଜକୁମାରୀ ପାଦ ପାଖକୁ ଫୋପାଡି ଦେଲା । ରାଜକୁମାରୀ ତାର ପ୍ରିୟ ଖେଳନା ବଲ୍ଟିକୁ ପାଇ ଆନନ୍ଦରେ ନାଚି ଉଠିଲା । ତା’ପରେ ସେ ବଲ୍ଟି ଧରି ଆନନ୍ଦରେ ନାଚିନାଚି ଚାଲିଗଲା ହେଲେ ଯେଉଁ ବେଙ୍ଗଟି ତା ବଲ୍ଆଣି ଦେଲା ତା କଥା ଟିକିଏମାତ୍ର ଭାବିଲା ନାହିଁ ।
ରାଜକୁମାରୀ ଚାଲିଯିବାର ଦେଖି ବେଙ୍ଗଟି କକ୍ କକ୍ କରି ବଡ ସ୍ୱରରେ ଚିତ୍କାର କରି ଉଠିଲା ମାତ୍ର ତାର ସ୍ୱର ରାଜକୁମାରୀ ନଶୁଣି ଚାଲିଗଲା । ବେଙ୍ଗଟି ପୁଣି କୂଅ ଭିତରକୁ ଫେରିଗଲା ।
ତା ପରଦିନ ରାତିରେ ଯେତେବେଳେ ରାଜକୁମାରୀ ତାର ଖାଇବା ଟେବୁଲ୍ ପାଖରେ ଖାଇବସିଛି ଠିକ୍ ସେତିକିବେଳେ ‘ଫକ୍ ଫକ୍’ ଶବ୍ଦକରି କିଏ ଜଣେ ଉପରମହଲାକୁ ଚଢିବାର ଶୁଣାଗଲା । କବାଟ ପାଖରେ ସେ ପହଁଚି କହିଲା,
‘ଆଗୋ ରାଜକୁମାରୀ ଦିଅ ଦୁଆର ଖୋଲି’ ରାଜକୁମାରୀ ଖାଇବା ଟେବୁଲ୍ ପାଖରୁ ଉଠି ତାକୁ କିଏ ଡାକୁଛି ବୋଲି କବାଟ ପାଖକୁ ଗଲା । କବାଟ ଖୋଲି ଦେଖିଲାବେଳକୁ କବାଟ ପାଖରେ ସେଇ ଓଦାସରସର ହୋଇ ବେଙ୍ଗଟା ବସିଛି । ତା’ପରେ ସେ ଛୋଟ ରାଜକୁମାରୀ ହଠାତ୍ କବାଟକୁ ଧଡ୍କିନା ବନ୍ଦ କରି ଦେଇ ତାର ଖାଇବା ଟେବୁଲ୍ ପାଖକୁ ଫେରି ଆସିଲା । କିନ୍ତୁ ତା ଛାତି ଧଡପଡ ହେବାକୁ ଲାଗିଲା । ଖାଇବା ଟେବୁଲ୍ ପାଖରେ ବସିଥିବା ରାଜା ତାଙ୍କ ଝିଅର ଏ ଭୟ ଆଉ ବ୍ୟସ୍ତତା ଦେଖି ପଚାରିଲେ ‘କ’ଣ ଝିଅ କାହାକୁ ଦେଖି ଡରୁଛୁ? ସେଠି କ’ଣ କିଏ ଅସୁର ଆସିଛି? ତତେ ନେଇଯିବ ବୋଲି ଭୟ କରୁଛୁ?
ତହୁଁ ସେ ରାଜକୁମାରୀ କହିଲା ‘ନା ଅସୁର ନୁହେଁ, ଗୋଟାଏ କଦାକାର ବୁଢାବେଙ୍ଗ ।’
ରାଜା ପଚାରିଲେ ‘ତାକୁ ଦେଖି ଏତେ ଭୟ କରୁଛୁ କାହିଁକି? ସେ ତୋଠାରୁ କ’ଣ ଚାହୁଁଛି?
ରାଜକୁମାରୀ କହିଲା ‘ବାପା ମୁଁ ଯେତେବେଳେ ଲେମ୍ବୁ ଗଛ ପାଖ କୂଅ ନିକଟରେ ଖେଳୁଥିଲି ଠିକ୍ ସେତେବେଳେ ମୋ ବଲ୍ଟି ସେ କୂଅରେ ପଡିଗଲା । ମୁଁ ଯେମିତି ସେ ବଲ୍ ପାଇଁ ଜୋର୍ରେ କାନ୍ଦିଲି ସେ ବେଙ୍ଗଟି କୂଅରୁ ବଲ୍ଟି ଆଣି ମୋତେ ଦେଲା ଏବଂ ସେହିକ୍ଷଣି ମୁଁ ପ୍ରତିଜ୍ଞା କରି ତାକୁ କହିଥିଲି ଯେ ସେ ମୋର ଖେଳସାଥି ହେବ । ମାତ୍ର ମୁଁ କେବେ ଚିନ୍ତା କରିନଥିଲି ଯେ ସେ ବେଙ୍ଗ ତା କୂଅ ଛାଡି ଏଠାକୁ ଆସିବ । ମାତ୍ର ସେ ଏବେ କୂଅରୁ ଆସି ପ୍ରତିଜ୍ଞା ପୂରଣ କରିବାକୁ କହି ମୋ ସାଥିରେ ଖାଇବାକୁ ଓ ମୋ ଶେଯରେ ଶୋଇବାକୁ ଚାହୁଁଛି । କିନ୍ତୁ ଏହା ମୋ ପକ୍ଷରେ ଖୁବ୍ ଅସହ୍ୟ ବାପା । ଏଇ ଓଦା ସରସର ବେଙ୍ଗଟା ଦେଖିବାକୁ ଖୁବ୍ ଅସୁନ୍ଦର ଓ ତା ଆଖି ଦୁଇଟା ଡିମା ଡିମା ।’