ରାଜକୁମାରୀ ଏକଥା ଶୁଣି ଭାବିଲା ଏପରି ଘୃଣ୍ୟ, ଓଦା ସରସର ଆଉ ଡିମା ଆଖିଆ ବେଙ୍ଗଟାକୁ ତା ତକିଆ ତଳେ ଶୁଆଇବା ତା ପକ୍ଷରେ ଏକବାରେ ଅସମ୍ଭବ । ତେଣୁ ସେ ମନେ ମନେ ଧୀରେ ଧୀରେ କାନ୍ଦିବାକୁ ଲାଗିଲା ଏବଂ କାନ୍ଦି କାନ୍ଦି ଶେଷରେ ନିଦରେ ଶୋଇ ପଡିଲା ।
ଯେତେବେଳେ ରାତି ପାହି ସକାଳ ହେଲା ଏବଂ ପ୍ରଭାତର ସୂର୍ଯ୍ୟ କିରଣ ଝରକା ଦେଇ ସେ ଘର ଭିତରକୁ ଉଛୁଳି ପଡିଲା ଠିକ୍ ସେତିକିବେଳେ ବେଙ୍ଗଟି ଗୁରୁଣ୍ଡି ଗୁରୁଣ୍ଡି ତକିଆ ତଳୁ ବାହାରି ଆସି ଶେଯରୁ ତଳକୁ ଡେଇଁ ପଡିଲା । ତାର ପାଦ ଚଟାଣରେ ବାଜିଛି କି ନାହିଁ ହଠାତ୍ ଏକ ବିଚିତ୍ର ଘଟଣା ସେଠାରେ ଘଟିଲା । ସେ ଆଉ ସେହି ଡିମା ଆଖିଆ ବେଙ୍ଗ ହୋଇ ରହିଲା ନାହିଁ ବରଂ ଏକ ସୁନ୍ଦର ରାଜ କୁମାରରେ ପରିଣତ ହୋଇଗଲା ।
ସେ କହିଲା, ତୁମେ ଚାହିଁ ଦେଖ । ମୁଁ ଯେପରି ଦେଖା ଯାଉଥିଲି ସେପରି ନାହିଁ । ଗୋଟିଏ ଦୁଷ୍ଟ ସ୍ତ୍ରୀଲୋକ ମୋତେ ଗୁଣି କରି ବେଙ୍ଗରେ ପରିଣତ କରି ଦେଇଥିଲା । ତୁମେ ସେ ଯାଦୁବିଦ୍ୟାକୁ ଖଣ୍ଡନ କରି ମୋତେ ସାହାଯ୍ୟ କଲ । ମୁଁ ତୁମର ଏଇ ସାହାଯ୍ୟ ପାଇଁ ଅପେକ୍ଷା କରିଥିଲି ରାଜକୁମାରୀ ।’
ରାଜକୁମାରୀ ଏହା ଦେଖି ଆଶ୍ଚର୍ଯ୍ୟରେ ଆବାକ୍ ହୋଇ ଉଠିଲା ଏବଂ ତାର ଆଖି ଝଲସି ଉଠିଲା ।
ବେଙ୍ଗ ରାଜକୁମାର ହସି ହସି କହିଲା, ‘ମୋତେ ତୁମେ ଏଥର ତୁମ ଖେଳସାଥୀ କରିବ ତ? ସେ କୂଅମୂଳ ପ୍ରତିଜ୍ଞା କଥା ଥରେ ମନେ ପକାଅ ତ?’
ଏହା ଶୁଣି ସେ ରାଜକୁମାରୀ ହସି ଉଠିଲା ଏବଂ ଉଭୟେ ସୁନାର ବଲ୍ ଖେଳିବାକୁ ଦୌଡି ଦୌଡି ବାହାରିଗଲେ ।
ଅନେକ ବର୍ଷ ପର୍ଯ୍ୟନ୍ତ ସେମାନେ ଖେଳସାଥୀ ହୋଇ ରହିଲେ ଏବଂ ଯାହା ବିଶ୍ୱାସ କରାଯାଏ ସେମାନେ ବଡ ହୋଇ ଶେଷରେ ପରସ୍ପର ବିବାହ ବଂଧନରେ ଆବଦ୍ଧ ହେଲେ ।