ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବେଦବର ଜାତକ

ବୋଧିସତ୍ୱ ବାରାଣସୀରେ ଜନ୍ମ ହୋଇ ଜଣେ ବ୍ରାହ୍ମଣଙ୍କର ଶିଷ୍ୟ ହୋଇଥିଲେ । ସେ ମନପ୍ରାଣ ଲଗାଇ ଗୁରୁଙ୍କର ସେବା କରୁଥିଲେ । ଏଇ ବ୍ରାହ୍ମଣ ଗୋଟିଏ ମନ୍ତ୍ର ଜାଣିଥିଲେ । ସେ ମନ୍ତ୍ରର ନାମ ବେଦବର । ବ୍ରାହ୍ମଣ ମନ୍ତ୍ର ପଢି ଆକାଶକୁ ଚାହିଁଦେଲେ ସୁନା ରୂପା ଆଦି ଧନସଂପଦ ବର୍ଷା ହେଉଥିଲା । କେଉଁ ଗ୍ରହ ଓ କେଉଁ ନକ୍ଷତ୍ର ଆକାଶରେ ଥିବାବେଳେ ମନ୍ତ୍ର ପଢିଲେ ଏପରି ଧନ ବର୍ଷାହେବ ବ୍ରାହ୍ମଣ ତାହା ଜାଣିଥିଲେ ।

       ଦିନକର ଘଟଣା । ବ୍ରାହ୍ମଣ କିଛି କାମରେ ଚେତୀୟ ବୋଲି ଗୋଟିଏ ଜାଗାକୁ ଯାଉଥିଲେ । ତାଙ୍କ ସାଙ୍ଗରେ ବୋଧିସତ୍ୱ ବି ଥାନ୍ତି । ବାଟରେ ଗୋଟିଏ ବଣ ପଡିଲା । ସେଇ ବଣରେ ଦଳେ ଡକାୟତ ଥିଲେ । ଡକାୟତ ଦଳରେ ପାଂଚଶହ ଲୋକ ଥାଆନ୍ତି । ସେମାନେ ପଥିକମାନଙ୍କୁ ଦେଖିଲେ ବାନ୍ଧି ରଖୁଥିଲେ । କିନ୍ତୁ ଜଣକୁ ଛାଡିଦେଉଥିଲେ । ସେଇ ଲୋକକୁ କହୁଥିଲେ – “ତୁମେ ଘରକୁ ଯାଇ ଟଙ୍କା ଆଣି ଆମକୁ ଦିଅ । ତା ହେଲେ ଆମେ ତୁମ ଲୋକମାନଙ୍କୁ ଛାଡିଦେବୁ । ଯଦି ଟଙ୍କା ନେଇ ନଆସିବ, ତେବେ ତୁମ ଲୋକମାନଙ୍କୁ ମାରିଦେବୁ ।” ଛାଡପାଇଥିବା ଲୋକ ଯଦି ଟଙ୍କା ଆଣି ଦେଉଥିଲା ତେବେ ତା’ର ସାଥୀମାନେ ଛାଡ-ପାଉଥିଲେ । ନହେଲେ ଡକାୟତମାନେ ବନ୍ଦୀ କରିଥିବା ଲୋକମାନଙ୍କୁ ମାରିଦେଉଥିଲେ ।

       ଥରେ ବ୍ରାହ୍ମଣ ଓ ବୋଧିସତ୍ୱ ବଣବାଟରେ ଗଲାବେଳେ ଏଇ ଡକାୟତମାନେ ଆସି ପହଁଚିଗଲେ । ସେମାନେ ବ୍ରାହ୍ମଣଙ୍କୁ ବାନ୍ଧିପକାଇଲେ । ଡକାୟତ ସର୍ଦ୍ଧାର ବୋଧିସତ୍ୱଙ୍କୁ କହିଲା – “ଏଇ ବ୍ରାହ୍ମଣ ଏଠାରେ ବନ୍ଦୀ ହୋଇ ରହିଲା । ତୁମେ ଘରକୁ ଯାଇ ଟଙ୍କା ସୁନା ଆଣିଦିଅ । ସାତଦିନ ସମୟ ଦେଉଚୁ । ତା’ଭିତରେ ଆସିବ । ଯଦି ନଆସ ତେବେ ବ୍ରାହ୍ମଣକୁ ଆମେ ମାରିଦବୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ