ବୋଧିସତ୍ୱ ଗରୁଙ୍କୁ ନମସ୍କାର କରି କହିଲେ – “ଆପଣ ଭୟକରନ୍ତୁ ନାହିଁ । ମୁଁ ଦି’ଦିନ ଭିତରେ ଟଙ୍କା ସୁନା ନେଇ ଫେରିଆସିବି ଓ ଡକାୟତମାନଙ୍କୁ ଦେବି । ଆପଣ ଛାଡ ପାଇବେ । ଗୋଟିଏ କଥା ମନେ ରଖନ୍ତୁ, ଆଜି ଭଲ ଦିନ, ଆଜି ରାତିରେ ମନ୍ତ୍ର ପଢିଲେ ଧନ ବର୍ଷା ହେବ । କିନ୍ତୁ ଆପଣ ତାହା କରିବେନାହିଁ । ତା’କଲେ ଆପଣଙ୍କ ଉପରେ ବିପଦ ପଡିବ । ଡକାୟତମାନଙ୍କ ହାତରୁ ଶୀଘ୍ର ଛାଡ ପାଇବା ପାଇଁ କଦାପି ଧନ ବର୍ଷା କରାଇବେ ନାହିଁ ।”
ଏହା କହି ବୋଧିସତ୍ୱ ସେଠାରୁ ଚାଲିଗଲେ । ସଞ୍ଜ ହୋଇ ଆସିଲା । ଡକାୟତମାନେ ବ୍ରାହ୍ମଣଙ୍କୁ ବାନ୍ଧି ରଖିଲେ । ସେ ଦିନ ଥିଲା ପୂର୍ଣ୍ଣମୀ । ଆକାଶରେ ପୂନେଇଁ ଜହ୍ନ ଉଇଁ ଆସିଲେ । ତା ଦେଖି ବ୍ରାହ୍ମଣ ଭାବିଲେ- “ଆଜି ମନ୍ତ୍ର ପଢିଲେ ଧନ ବର୍ଷାହେବ । ଡକାୟତମାନେ ତ ଟଙ୍କା ସୁନା ମାଗୁଛନ୍ତି, ମୁଁ ମନ୍ତ୍ର ପଢି ବହୁତ ଧନରତ୍ନ ବର୍ଷା କରାଇଦେବି । ସେସବୁ ଡକାୟତମାନଙ୍କୁ ଦେଇଦେବି । ସେମାନେ ଖୁସିହୋଇ ମତେ ଛାଡିଦେବେ । ଶିଷ୍ୟର ଫେରିବାକୁ ଏତେ ସମୟ ଧରି କାହିଁକି ଚାହିଁ ବସିଥିବି?” ଏମିତି ଭାବି ବ୍ରାହ୍ମଣ ଡକାୟତମାନଙ୍କୁ କହିଲେ – “ମତେ କାହିଁକି ଏତେ କଷ୍ଟ ଦେଉଚ? ତୁମେମାନେ କ’ଣ ଚାହଁ କହ?”
ଡକାୟତମାନେ କହିଲେ – “ଆମେ ଚାହୁଁ ଟଙ୍କା ଓ ସୁନା ରୂପା । ତୁମ ଶିଷ୍ୟ ଘରକୁ ଯାଇଚି । ସେ ଫେରିଆସି ଆମକୁ ଟଙ୍କା ସୁନା ଦେବ । ତା ପରେ ଆମେ ତୁମକୁ ଛାଡିଦେବୁ ।”
ବ୍ରାହ୍ମଣ କହିଲେ – “ତୁମେମାନେ ଧନ ପାଇଁ ମତେ ବାନ୍ଧିରଖିଚ ତ, ମୁଁ ତୁମକୁ ଏଇଲେ ବହୁତ ଧନରତ୍ନ ଦେଇପାରିବି । ମତେ ଫିଟାଇଦିଅ । ଖଣ୍ଡେ ନୂଆଲୁଗା ଓ କିଛି ଫୁଲ ଆଣିଦିଅ । ତା’ପରେ ମୁଁ ମନ୍ତ୍ର ପଢିବି । ଆକାଶରୁ ଟଙ୍କା ଓ ସୁନା ବର୍ଷାହେବ । ତୁମର ଯେତେ ଇଚ୍ଛା ଗୋଟାଇନେବ ।”
ଡକାୟତମାନେ ବ୍ରାହ୍ମଣଙ୍କ କଥାରେ ରାଜି ହୋଇ ନୂଆଲୁଗା ଓ ଫୁଲ ଆଣିଦେଲେ । ବ୍ରାହ୍ମଣ ନଈରେ ଗାଧୋଇପକାଇଲେ । ନୂଆଲୁଗା ପନ୍ଧିଲେ । ତା’ପରେ ପୂଜା କଲେ ଓ ଆକାଶକୁ ଚାହିଁ ମନ୍ତ୍ର ପଢିଲେ । ସାଂଗେ ସାଂଗେ ଆକାଶରୁ ବହୁତ ଧନରତ୍ନ ବର୍ଷାହେଲା । ଡକାୟତମାନେ ବଡ ଖୁସିରେ ସେସବୁକୁ ଗୋଟାଇ ନେଇ ଗଣ୍ଠିଲି ବାନ୍ଧିଲେ ।