କାରଣ କେବଳ ଆପଣମାନଙ୍କ କଠୋର ସାଧନା ଫଳରେ ହିଁ ଆଜି ଏ ମଣିଷ ସମାଜ ହାତପାହାନ୍ତାରେ ଅନେକ ସୁବିଧାସୁଯୋଗ ପାଇପାରୁଛି । ଆଜି ବିଜ୍ଞାନର ସାଫଲ୍ୟ ଅନସ୍ୱୀକାର୍ଯ୍ୟ । ଆଖି ପଲକରେ ଅସମ୍ଭବକୁ ସମ୍ଭବ କରିଦେଇ ପାରୁଛି ଏଇ ବିଜ୍ଞାନ । ମାତ୍ର ଜନସମାଜରେ ଆଜି ଗୋଟିଏ ବିଲକ୍ଷଣ ଦେଖାଯାଉଛି ଯେ, ମଣିଷ ଯେତେ ସୁବିଧା ସୁଯୋଗ ପାଇଲେ ମଧ୍ୟ ଅଣାନ୍ତି, ଅସନ୍ତୋଷ, ଦ୍ୱନ୍ଦ୍ୱ, କଳହ, ସଂଘର୍ଷ ବଢିବଢି ଚାଲିଛି । ଏହାର କାରଣ କ’ଣ ହୋଇପାରେ?”
ସେ ଆଗନ୍ତୁକ ଭଦ୍ରବ୍ୟକ୍ତିଙ୍କଠାରୁ ଆଇନଷ୍ଟାଇନ୍ ତ ମନଦେଇ ସବୁକଥା ଶୁଣୁଥିଲେ । ତେଣୁ ଏଥର ସେ କହିଲେ, “ମଣିଷ ଜୀବନକୁ ସୁଖମୟ କରିବା ପାଇଁ ସ୍ୱଚ୍ଛନ୍ଦରେ ଜୀବନ ନିର୍ବାହ ନିମନ୍ତେ ଆମେ ଅଧିକରୁ ଅଧିକ ସାଧନା କରି ସଫଳତା ପାଇପାରିଛୁ । ହେଲେ ଆମେ ଭୁଲିଯାଇଛୁ ଯେ, ଜୀବନରେ ଅସଲ ସୁଖଶାନ୍ତି ବିଜ୍ଞାନରେ ନଥାଏ । ମଣିଷମାନଙ୍କ ଭିତରେ ଥିବା ମଣିଷପଣିଆରୁ ହିଁ ଆନ୍ତରିକ ସ୍ନେହ, ଶ୍ରଦ୍ଧା, ଶାନ୍ତି ଓ ଆନନ୍ଦ ମିଳିଥାଏ । ତେବେ ମଣିଷ ମନରେ ମଣିଷପଣିଆର ଉଦ୍ରେକ ନିମିତ ଆମ ବିଜ୍ଞାନରେ କିଛି ବି ବ୍ୟବସ୍ଥା ନାହିଁ । ମଣିଷ ଭିତରେ ରହିଥିବା ମଣିଷପଣିଆ ଟିକକ ସଜ୍ଜନମାନଙ୍କ ସଂସ୍ପର୍ଶରେ ଆସିଲେ ହିଁ ଉଦ୍ରେକ ହୋଇ ସେମାନଙ୍କ ଅନ୍ତରର ତ୍ୟାଗ, କରୁଣା, ମମତା, ପରୋପକାର, ସ୍ନେହ, ପ୍ରେମ ଆଦି ମାନବୀୟ ଗୁଣାବଳୀର ପରିପ୍ରକାଶ ଘଟିଥାଏ ।”
ଆଇନଷ୍ଟାଇନଙ୍କଠାରୁ ଏଭଳିକଥା ଶୁଣିଲା ପରେ ଆଗନ୍ତୁକ ପୁଣି ପ୍ରଶ୍ନ କଲେ, “ଆଚ୍ଛା, ମଣିଷପଣିଆ ଗଢାହେଲା ଭଳି କାରଖାନାଟିଏ ଆମେ ଗଢିଦେଇ ପାରିବାକି?
ତହୁଁ ସେ ଆଇନଷ୍ଟାଇନ୍ ହସିହସି କହିଲେ, “ମଣିଷପଣିଆ ତ ମଣିଷ ଭିତରେ ହିଁ ନିହିତ ଅଛି, କୌଣସି କଳକାରଖାନାର ଯନ୍ତ୍ରପାତି ଭିତରେ ନୁହେଁ । ଆମ ମନରୁ ଅଶାନ୍ତି, ଅସନ୍ତୋଷ ଦୂର କରିବା ନିମନ୍ତେ ଆମମାନଙ୍କୁ ମଣିଷପଣିଆ ଦେଖାଇବାକୁ ହେବ । ଏଥିପ୍ରତି ଧ୍ୟାନ ଦେଲେ ହିଁ ଏହା ସମ୍ଭବ ହୋଇପାରିବ ।”
ପୁନଶ୍ଚ ଆଇନଷ୍ଟାଇନ୍ କହିଲେ, “ଆମକୁ ସର୍ବଦା ଗୋଟିଏ କଥା ମନେରଖିବାକୁ ହେବ ଯେ, ଭୌତିକ ସାଧନଗୁଡିକ ମାଧ୍ୟମରେ କଦାପି ବି ସୁଖଶାନ୍ତି ମିଳି ନଥାଏ । ବରଂ ଏହା ଆମକୁ ଅଧିକରୁ ଅଧିକ ବୁଢିଆଣୀ ଜାଲ ଭିତରେ ଛନ୍ଦି ପକାଏ । ଫଳରେ ଆମେ ଏଥିରୁ ମୁକ୍ତି ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡେ ।”
ବାସ୍ତବିକ୍ ଦେଖିବାକୁ ଗଲେ ବିଜ୍ଞାନ ସିନା ଆମକୁ ଯାବତୀୟ ସୁଖସୁବିଧା ଯୋଗାଇ ଦେଇଛି ମାତ୍ର ବେଳେବେଳେ ଆମେ ଏହାର ଦୁରୁପଯୋଗ କରି ବିପତ୍ତିକୁ ଟାଣି ଆଣୁଛୁ । ଏଇଠି ମଣିଷପଣିଆର ଆବଶ୍ୟକତା ପଡିଥାଏ ଜୀବନରେ ସୁଖଶାନ୍ତି ଟିକିଏ ପାଇବା ପାଇଁ ।
ସେଦିନ ଆଇନଷ୍ଟାଇନଙ୍କର ଆଗନ୍ତୁକ ଭଦ୍ରବ୍ୟକ୍ତିଙ୍କ ସହିତ କଥୋପକଥନରୁ ସ୍ପଷ୍ଟ ବାରିହୋଇଯାଉଥିଲା ଯେ, ସେ ଏଡେ ବୈଜ୍ଞାନିକ ହେଲେ ବି ତାଙ୍କ ପାଖରେ ଭରିରହିଥିଲା ମାନବିକତା ବା ମଣିଷପଣିଆ ।