ଅଷ୍ଟବିଂଶ ଦିନ ଭୋଜରାଜ ଶୁଭ ଅନୁକୂଳ କରି ଯାଇ ସିଂହାସନ ପାଖରେ ପହଁଚିବା ମାତ୍ରେ ପରବର୍ତ୍ତି ପୁତ୍ତଳିକା ବୈଦୈହୀ ଉଠି କହିଲା, “ହେ ଭୋଜରାଜ! ଆପଣ ତ ଏଇ ସିଂହାସନରେ ବସିବା ପାଇଁ ଏକାନ୍ତ ଆଗ୍ରହୀ । ହେଲେ ଦେବରାଜ ଇନ୍ଦ୍ରକ’ଣ ଆପଣଙ୍କୁ କେବେ ଏଥିରେ ବସିବାପାଇଁ ଆମନ୍ତ୍ରିତ କରିଛନ୍ତି? ତଥାପି ମୋଠାରୁ ଏକ କାହାଣୀ ଶୁଣନ୍ତୁ ଏବଂ ନିଜକୁ ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ତୁଳନା କରି ଦେଖନ୍ତୁ ।
ଦିନେ ରାତିରେ ମହାରାଜ ବିକ୍ରମାଦିତ୍ୟ ଏକ ଅଦ୍ଭୂତ ସ୍ୱପ୍ନ ଦେଖିଲେ ଯେ ସେ ଏକ ଭବ୍ୟ ମହଲରେ ବିଚରଣ କରୁଛନ୍ତି । ସମଗ୍ର ମହଲଟି ସୁନାର ଇଟାରେ ନିର୍ମିତ ଏବଂ ଏହାର କାନ୍ଥ ମାନଙ୍କରେ ବହୁମୂଲ୍ୟର ହୀରାମୋତି ଆଦି ରତ୍ନ ଖଚିତ ହୋଇଥାଏ । ମହଲର ବିକୀରିତ ଆଲୋକରେ ଆଖପାଖ ଅଂଚଳ ଝଲମଲ କରୁଥାଏ । ମହଲର ଚାରିପାଖରେ ମନୋରମ ଉଦ୍ୟାନ, ସେଥିରେ ନାନା ରଙ୍ଗର ଫୁଲ । ଦଳଦଳ ପ୍ରଜାପତି ଏବଂ ଭଅଁରଙ୍କ ଗୁଞ୍ଜନ । ଯିଏ ବି ଦେଖିବ ଆଖି ଫେରାଇ ନେଇ ପାରିବ ନାହିଁ । ମହଲର କୌଣସି ଏକ କୋଠରୀରୁ ଭାସି ଆସୁଥାଏ ନୃତ୍ୟ ସଂଗୀତର ମଧୁର ମୂର୍ଚ୍ଛନା । ସ୍ୱପ୍ନରେ ବିଚରଣ କରୁ କରୁ ମହାରାଜ ମହଲର ଅନ୍ୟ ଏକ ର୍ପାଶ୍ୱକୁ ଯାଇ ଦେଖିଲେ ଜଣେ ଯୋଗୀ ଧ୍ୟାନମଗ୍ନ ଅବସ୍ଥାରେ ଅଛନ୍ତି । ତାଙ୍କ ମୁଖମଣ୍ଡଳରେ ଅପୂର୍ବ ଜ୍ୟୋତି । ଆଶ୍ଚର୍ଯ୍ୟର କଥା ତାଙ୍କର ଚେହେରା ଅବିକଳ ମହାରାଜାଙ୍କ ପରି । ହଠାତ୍ ସ୍ପପ୍ନ ଭାଙ୍ଗିଗଲା । ସେ ଉଠି ବସିଲେ । ମାତ୍ର ସ୍ୱପ୍ନର ସ୍ମୃତି ମନକୁ ଆଚ୍ଛନ୍ନ କରିରଖିଲା ।
ମହାରାଜ ସ୍ୱପ୍ନରେ ଦେଖିଥିବା ମହଲ ଦେଖିବାପାଇଁ ଖୁବ୍ ଉତ୍କଣ୍ଠିତ ହୋଇ ପଡିଲେ । ପଣ୍ଡିତ, ଜ୍ୟୋତିଷମାନଙ୍କୁ ଡକାଇ ସ୍ୱପ୍ନକଥା କହିଲେ, ଏବଂ ସେଭଳି ମହଲ କେଉଁଠି ଅଛି ବୋଲି ଜାଣିବାକୁ ଚାହିଁଲେ ।
ପଣ୍ଡିତମାନେ କହିଲେ, ଏଭଳି ମହଲ ଧରାଧାମରେ କୋଉଠି ଥାଇ ନ ପାରେ । ତେବେ ଦେବଲୋକରେ ଇନ୍ଦ୍ରଙ୍କର ଏମିତି ବା ୟାଠୁ ଅଧିକ ମୂଲ୍ୟବାନ୍ ମହଲ ଥିବାର ଯଥେଷ୍ଟ ସମ୍ଭାବନା ରହିଛି । ସେଠାକୁ ମଧ୍ୟ ସମସ୍ତେ ଯିବା ସମ୍ଭବ ନୁହେଁ । ଯେଉଁ ଲୋକ ଈଶ୍ୱରଭକ୍ତ, ଯିଏ ପ୍ରତି ମୁହୂର୍ତରେ ଭଗବାନଙ୍କର ନାମ ସ୍ମରଣ କରୁଥିବ ସେଇ କେବଳ ଯାଇ ପାରିବ ।
ଜ୍ୟୋତିଷ କହିଲେ, ମହାରାଜ ପ୍ରଜାଙ୍କ ଚିନ୍ତା, ରାଜକାର୍ଯ୍ୟରେ ମଗ୍ନ । ସେଥିରେ ପୁଣି ରାଜ୍ୟର ବିଭିନ୍ନ ସମସ୍ୟା । ତାଙ୍କର ଈଶ୍ୱର ନାମ ଜପିବାକୁ ସମୟ କାହିଁ?
ମହାରାଜ ଚିନ୍ତାରେ ପଡିଯିବା ଦେଖି ମହାମନ୍ତ୍ରୀ କହିଲେ, “ମହାରାଜ! ଆପଣ ରାଜପୁରୋହିତଙ୍କୁ ସଙ୍ଗରେ ନେଇ ଯାଆନ୍ତୁ । ସେତ ସର୍ବଦା ପୂଜାର୍ଚ୍ଚନା, ଈଶ୍ୱରଙ୍କ ନାମ କୀର୍ତନ ଶ୍ରବଣରେ ବ୍ୟସ୍ତ, ଏଣୁ ତାଙ୍କ ସହିତ ରହିଲେ ଆପଣ ମଧ୍ୟ ପୁଣ୍ୟର ଅଧିକାରୀ ହୋଇ ପାରିବେ ।
ରାଜପୁରୋହିତଙ୍କୁ ସାଥିରେ ଧରି ମହାରାଜ ବିକ୍ରମାଦିତ୍ୟ ସ୍ୱପ୍ନମହଲର ଅନ୍ୱେଷଣରେ ଯାତ୍ରା ଆରମ୍ଭ କରିଦେଲେ । ମହାରାଜ ରାଜପୋଷାକ ପରିବର୍ତେ ନିଜକୁ ଜଣେ ସାଧାରଣ ମଣିଷ ରୂପରେ ସଜାଇଥିଲେ । ଯାଉ ଯାଉ ସନ୍ଧ୍ୟା ହେବାରୁ ଗୋଟିଏ ସ୍ଥାନରେ ବିଶ୍ରାମ ନେଲେ । ରାତିରେ କୌଣସି ନାରୀର ବିକଳ କାନ୍ଦଣା ଶୁଣି ବାହାରକୁ ଯାଇ ଦେଖିଲେ ବୁଢୀଟିଏ କାନ୍ଦୁଛି । ପଚାରିବାରୁ ସେ କହିଲା, “ମୋର ଏକମାତ୍ର ଭେଣ୍ଡିଆ ପୁଅଟିଏ ଜଙ୍ଗଲକୁ କାଠ କାଟିବାକୁ ଯାଇ ଏଯାଏଁ ଫେରିଲା ନାହିଁ । କିଏ ଜାଣେ ସେ ଆଉ ଫେରିବକି ନାହିଁ? ଯଦି ଜଙ୍ଗଲରେ ହିଂସ୍ର ବାଘ ଭାଲୁଙ୍କ ହାବୁଡରେ ପଡିଥିବ କିଏ ଜାଣେ ତା’ର ଅବସ୍ଥା କ’ଣ ହୋଇଥିବ?