ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୈଦେହୀ କଥା

       ବିକ୍ରମାଦିତ୍ୟ ଭରସା ଦେଲେ, “କାନ୍ଦନାହିଁ ମା’! ମୁଁ ଯାଉଛି ତୁମ ପଅକୁ ଖୋଜି ଫେରାଇ ଆଣିବି ।” ବୁଢୀତାଙ୍କୁ ଆଶୀର୍ବାଦ ଦେଲା । ମହାରାଜ ଜଙ୍ଗଲକୁ ଯାଇ ଚାରିଆଡେ ଖୋଜିଲେ । ଶେଷରେ ଦେଖିଲେ ଯୁବକଟିଏ ଗଛଡାଳରେ ବସିଛି ଏବଂ ତଳେ ବାଘଟିଏ ତାକୁ ଛକିଛି । କୌଣସି ପ୍ରକାରେ ବାଘକୁ ଘଉଡାଇ ବୁଢୀର ପୁଅକୁ ଧରି ମହାରାଜ ଫେରିଲେ । ମାଆ ପୁଅଙ୍କର ମିଳନ ଘଟାଇ ସେଠାରୁ ଯାତ୍ରା କଲେ ।

     ଦିନେ ସେମାନେ ଯାଇ ସମୁଦ୍ରକୂଳରେ ପହଁଚିଲେ । ସେଠାରେ ଦେଖିଲେ ଯୁବତୀଟିଏ ବସି କାନ୍ଦୁଛି । ତା’ କାନ୍ଦିବାର କାରଣ ସେ କହିଲା, “ମୋ ସ୍ୱାମୀ ଜଣେ ଜାହାଜ କର୍ମଚାରୀ । ଜାହାଜ ଖୁବ୍ ଲମ୍ବାଯାତ୍ରାରେ ଯିବାକୁ ବାହାରିଛି । ମୁଁ କାଲି ରାତିରେ ଏକ ଖରାପ ସ୍ୱପ୍ନ ଦେଖିଲି । ହଠାତ୍ ଭୟଙ୍କର ଝଡ ତୋଫାନ ଆସିଲା । ଜାହାଜଟି ଦିଗଭ୍ରଷ୍ଟ ହୋଇ ଗଭୀର ସମୁଦ୍ରରେ ବୁଡିଗଲା । ଏଇ ଅଳ୍ପଦିନ ହେଲା ମୁଁ ବିବାହ କରିଛି । ଆମର ସନ୍ତାନ ହୋଇନାହିଁ । ଯଦି କିଛି ଅନିଷ୍ଟ ଘଟେ ସେଇ ଆଶଙ୍କାରେ…. ।”

       ମହାରାଜ ସମୁଦ୍ର ଦେବତାଙ୍କଠାରୁ ପାଇଥିବା ଶଙ୍ଖଟିକୁ ସେଇ ଯୁବତୀକୁ ଦେଇ କହିଲେ, “ନିଅ । ଏହାକୁ ପାଖରେ ରଖ । ଜାହାଜରେ ଯିବା ଆଗରୁ ତମ ସ୍ୱାମୀଙ୍କୁ ଦେବ । ଝଡ ତୋଫାନ ଉଠାଇଲେ ସେ ଏଇ ଶଙ୍ଖକୁ ଦୁଇଥର ବଜାଇ ଦେବ । ସବୁ ଠିକ୍ ହୋଇଯିବ । କୌଣସି କ୍ଷତି ହେବ ନାହିଁ । ଯୁବତୀଟି ଶଙ୍ଖ ନେଇ ମହାରାଜଙ୍କୁ ପ୍ରଣାମ କରି ଢେର୍ ଶୁଭ କାମନା ଜଣାଇଲା ।

       ପୁଣି ଯାତ୍ରା ଆରମ୍ଭ ହେଲା । କିଛିଦୂର ଗଲାପରେ ହଠାତ୍ ମେଘ ଘୋଟି ଆସିଲା । ବିଜୁଳି ଚମକିଲା । ଏକ ଉଜ୍ଜଳ ଆଲୋକ ରେଖା ସହିତ ଧଳା ଅଶ୍ୱଟିଏ ତଳକୁ ଓହ୍ଲାଇବାର ଦେଖାଗଲା । ଘୋଡାଟି ଭୂମିରେ ପାଦ ଦେଇ ମହାରାଜଙ୍କ ନିକଟରେ ମୁଣ୍ଡ ନୁଆଁଇ ଛିଡାହେଲା । ଠିକ୍ ସେତିକିବେଳେ ଶୂନ୍ୟବାଣୀ ଶୁଭିଲା ।

       “ମହାରାଜ ବିକ୍ରମାଦିତ୍ୟ! ତୁମେ ଅନେକ ପୁଣ୍ୟକାମ କରିଛ । ରାସ୍ତାରେ ଆସୁ ଆସୁ ବୁଢୀକୁ ତା’ର ପୁଅ ସହିତ ମିଳାଇଛ । ଯୁବତୀ ନାରୀର ଶଙ୍କା ଦୂର କରିଛ । ମୁଁ ତୁମ ଉପରେ ସନ୍ତୁଷ୍ଟ । ସେଥିପାଇଁ ମୋର ଅଶ୍ୱ ପଠାଇଛି । ତା’ଉପରେ ବସିଲେ ସେ ତୁମକୁ ମୋ ରାଜ ମହଲକୁ ନେଇ ଆସିବ ।”

       “କିନ୍ତୁ ଇନ୍ଦ୍ରଦେବ! ମୋ ସହିତ ମୋର ରାଜପୁରୋହିତ ଯେ ଅଛନ୍ତି । ଆମେ ଦୁଇଜଣ କେମିତି ଯାଇ ପାରିବା?” ମହାରାଜଙ୍କ କଥାଶୁଣି ରାଜ ପୁରୋହିତ କହିଲେ, “ଆପଣ ଯାଆନ୍ତୁ ମଣିମା! ମୁଁ ସଶରୀରେ ସ୍ୱର୍ଗକୁ ଯିବାକୁ ଚାହେଁନି । ମୃତ୍ୟୁପରେ ସ୍ୱର୍ଗରେ ଯାଇ ଆପଣଙ୍କୁ ସାକ୍ଷାତ କରିବି ତଥା ଭାଗ୍ୟରେ ଥିଲେ, ଏଥିପାଇଁ ମୋ ମନରେ ଆଦୌ ଦୁଃଖ ନାହିଁ । ଆପଣ ଯାଆନ୍ତୁ । ଦେବରାଜ ଇନ୍ଦ୍ରଙ୍କ ମହଲ ଦେଖି ଫେରିବା ପରେ ଆମେ ଆପଣଙ୍କ ମୁଖରୁ ସବୁ ଆଖିଦେଖା ଦୃଶ୍ୟ ଶୁଣି ଅନୁଭବ କରିବୁ ।

       ଧଳାଅଶ୍ୱରେ ବସି ମହାରାଜ ବିକ୍ରମାଦିତ୍ୟ ଯାଇ ଇନ୍ଦ୍ରଙ୍କ ଦରବାରରେ ପହଁଚିଲେ । ଇନ୍ଦ୍ରଙ୍କ ମହଲକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ସେ ସ୍ୱପ୍ନରେ ଯେଉଁ ମହଲ ଦେଖିଥିଲେ ତାହାଥିଲା ସେଇ ମହଲ । ଚାରିଆଡେ ସୁନା ଆଉ ସୁନା । ହୀରା, ନୀଳା, ମୋତି ମାଣିକ୍ୟ । ଇନ୍ଦ୍ରଦେବ ନିଜେ ସିଂହାସନରୁ ଉଠି ବିକ୍ରମାଦିତ୍ୟଙ୍କୁ ସ୍ୱାଗତ ଜଣାଇଲେ, ତାଙ୍କୁ ସୁନା ସିଂହାସନରେ ବସାଇଲେ । ମାତ୍ର ବିକ୍ରମାଦିତ୍ୟ କହିଲେ, ଆପଣଙ୍କ ସିଂହାସନରେ ବସିବାର ଯୋଗ୍ୟତା ମୋର ନାହିଁ । ଆପଣ ବସନ୍ତୁ । ମୁଁ କେବଳ ଆପଣଙ୍କ ଆଶୀର୍ବାଦ ଚାହେଁ ।”

       ଇନ୍ଦ୍ରଦେବ କହିଲେ, “ଏଇତ ତୁମର ମହନୀୟତା । ଯୋଉଥିପାଇଁ ମୁଁ ଆପଣଙ୍କୁ ଭଲପାଏ । ମୁଁ ତୁମର ପରୀକ୍ଷା ନେଉଥିଲି । ତମେ ଉତୀର୍ଣ୍ଣ ହୋଇଛ । ସେଥିପାଇଁ ପୁରସ୍କାର ସ୍ୱରୂପ ମୁଁ ତୁମକୁ ଏଇ ସୁନାମୁକୁଟ ପ୍ରଦାନ କରୁଛି ।” ଇନ୍ଦ୍ର ବିକ୍ରମାଦିତ୍ୟଙ୍କ ମଥାରେ ମୁକୁଟ ପିନ୍ଧାଇଦେଲେ । ମହାରାଜ ଇନ୍ଦ୍ରପୁର ଦେବଲୋକ ଭ୍ରମଣ କରି ନିଜ ନଗରକୁ ଫେରିଲେ ।

       କାହାଣୀ ଶୁଣାଇ ସାରି ବୈଦେହୀ କହିଲା, “ଏବେ କହନ୍ତୁ ଭୋଜରାଜ! ଆପଣ କ’ଣ ମହାରାଜ ବିକ୍ରମାଦିତ୍ୟଙ୍କ ପରି ଦାନୀ, ତପସ୍ୱୀ, ମହାନୁଭବ ହୋଇ ପାରିବେ?”


ଗପ ସାରଣୀ

ତାଲିକାଭୁକ୍ତ ଗପ