ରାମପୁରରେ ରଙ୍ଗଦାସ ନାମରେ ଜଣେ ବୈଦ୍ୟ ଥା’ନ୍ତି । ସେ ଥରେ ସ୍ଥିର କଲେ ସହରରେ ଯାଇ ବସବାସ କରିବେ । ସହରରେ ବୈଦ୍ୟ ଭାବରେ ସେ ଯାହା କିଛିବି ଉପାର୍ଜ୍ଜନ କରୁଥିଲେ ତାହା ତାଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ପର୍ଯ୍ୟାପ୍ତ ନଥିଲା, ତେଣୁ ସେ ନିଜର ଜୀବିକା ପରିବର୍ତ୍ତନ କରି, ଏକ ଛୋଟକାଟର ବ୍ୟବସାୟ ଆରମ୍ଭ କଲେ । କିଛିଦିନ ମଧ୍ୟରେ ସେ ସେହି ବ୍ୟବସାୟରେ ଉତ୍ତରୋତ୍ତର ଉନ୍ନତି କଲେ ।
ଏହିପରି କିଛି ବର୍ଷ ବିତିଗଲା । ସେ ଥରେ ତାଙ୍କ ବ୍ୟବସାୟ କାମରେ ଗୋଟିଏ ଗ୍ରାମକୁ ଯାଉଥିଲେ । ବାଟରେ ଡାକୁମାନଙ୍କ ହାବୁଡରେ ସେ ପଡିଲେ । ସେମାନେ ତାଙ୍କ ଟଙ୍କାତକ ତ ଛଡାଇ ନେଲେ, ପୁଣି ତାଙ୍କ ଲୁଗା ସବୁ ଛଡାଇ ନେଇ ଏକ ଛିଣ୍ଡା ମଇଳା ଲୁଗା ତାଙ୍କୁ ପିନ୍ଧାଇ ଛାଡିଦେଇ ଗଲେ । ସେ ଗ୍ରାମରେ ସେହି ଭିଖାରୀ ବେଶରେ ପହଁଚି ନିଜର ପରିଚୟ ଦେବାକୁ ଚେଷ୍ଟା କରିବାରୁ ସମସ୍ତେ ହସିଲେ । କହିଲେ “ଯା କେଉଁଠି ଭିଖ ମାଗିବୁ, କହୁଛି କ’ଣ ନା ବ୍ୟବସାୟ କରିବାକୁ ଆସିଛି ।”
ଅବଶେଷରେ ସେ ଗ୍ରାମରେ ଏକ ଦୟାଳୁ ବ୍ୟବସାୟୀଙ୍କୁ ଦେଖା କରି ସେ କହିଲେ, “ମହାଶୟ, ମୁଁ ସହରର ଜଣେ ଜଣାଶୁଣା ବ୍ୟବସାୟୀ । ମୁଁ କିଛି ଚାଉଳ କିଣିବାକୁ ଆପଣଙ୍କ ଗ୍ରାମକୁ ଆସୁଥିଲି । ଡାକୁମାନେ ମୋର ଆଜି ଏପରି ହିନସ୍ତା କରିଛନ୍ତି । ଆପଣ ଦୟାକରି ମୋତେ କିଛି ଟଙ୍କା ଦେଲେ ମୁଁ ସହରରେ ଆପଣଙ୍କୁ ଶୁଝି ଦିଅନ୍ତି । ଶୁଣିଲି ଆପଣ କୁଆଡେ ସହରକୁ ବରାବର୍ ଯିବା ଆସିବା କରନ୍ତି ।”
ବ୍ୟବସାୟୀଟି କହିଲେ, “ଦେଖନ୍ତୁ ମୁଁ ଟଙ୍କା ଦେଇପାରିବି । କିନ୍ତୁ ଆଜିକାଲି କୌଣସି ଲୋକକୁ ବିଶ୍ୱାସ କରିବାଟା ତ ଏକ ପ୍ରକାର ବୋକମି । ତଥାପି ମଧ୍ୟ ମୁଁ ସହରର ବ୍ୟବସାୟୀମାନଙ୍କୁ ଅଳ୍ପ ବହୁତେ ଜାଣେ । ଆପଣଙ୍କ ନାମ କ’ଣ କୁହନ୍ତୁ ତ?”
ରଙ୍ଗଦାସ କହିଲେ “ମୋ ନାମ ରଙ୍ଗଦାସ ।” ତାଙ୍କ କଥା ଶୁଣି ବ୍ୟବସାୟୀ କହିଲେ କିନ୍ତୁ ମୁଁ ଏପରି ନାମଥିବା ତ କୌଣସି ବ୍ୟବସାୟୀଙ୍କୁ ଆଦୌ ଜାଣେ ନାହିଁ ।
ରଙ୍ଗଦାସ କହିଲେ “ଆପଣ ଯଦି ସତରେ ସହରକୁ ଯିବା ଆସିବା କରୁଥିବେ ଓ ବ୍ୟବସାୟୀମାନଙ୍କ ସହିତ ଆପଣଙ୍କର କିଛି ସମ୍ପର୍କ ଥିବ, ତେବେ ତ ଆପଣ ନିଶ୍ଚୟ ମୋ ନାମ ଶୁଣିଥିବେ, ମନେକରି ଦେଖନ୍ତୁ ତ ।”
ବ୍ୟବସାୟୀ ଟିକିଏ ଭାବିଚିନ୍ତି କହିଲେ, “ଓ ରଙ୍ଗଦାସ । ରଙ୍ଗଦାସ ନାମ ମୁଁ କେଉଁଠି ଶୁଣିବା ଭଳି ଲାଗୁଛି ।”
ରଙ୍ଗଦାସ ଭାରି ଉତ୍ସାହରେ କହିଲେ “କହିଲି ନା? ନିଶ୍ଚୟ ମନେ ପଡିବ । ସହରରେ ମୋତେ ପୁଣି ନ ଜାଣେ ବା କିଏ?”
ବ୍ୟବସାୟୀ କହିଲେ, “ହଁ, ହଁ, ଏବେ ମୋର ଠିକ୍ ମନେ ପଡିଲା । କିନ୍ତୁ ମୁଁ ଯେଉଁ ରଙ୍ଗଦାସର ନାମ ଶୁଣିଛି ସେ ତ ସହରର ବ୍ୟବସାୟୀ ନୁହେଁ, ରାମପୁର ଗ୍ରାମର ବୈଦ୍ୟ ।”