ଗାଁ ମୁଣ୍ଡରେ ଗୋଟିଏ ବଡ଼ ପୋଖରୀ ଥିଲା । ସେହି ପୋଖରୀରେ ଦୁଇଗୋଟି ହଂସ ମଧ୍ୟ ରହୁଥିଲେ । ସେମାନେ ରାତ୍ରି ସାରା ପୋଖରୀ ହୁଡ଼ାରେ ବିତାଇ ଥାଆନ୍ତି ପୁଣି ଦିନ ହେଲେ ପୋଖରୀରେ ପହଁରି ପହଁରି ନିଜର ଖାଦ୍ୟ ସଂଗ୍ରହ କରି ଖାଆନ୍ତି ଓ ଆନନ୍ଦରେ ଜଳରେ ସନ୍ତରଣ କରନ୍ତି ।
ସେହିପରି ପୋଖରୀ ଭିତରେ ଗୋଟିଏ କଇଁଛ ଥିଲା । କଇଁଛ ଦିନସାରା ପାଣି ମଧ୍ୟରେ ବୁଡ଼ି ରହେ । ସନ୍ଧ୍ୟା ହୋଇ ଆସିଲେ ସେ ପୋଖରୀ ତୁଠକୁ ଆସେ । ସେତେବେଳେ ହଂସ ଯୋଡ଼ିକ କଇଁଛକୁ ନାନା ପ୍ରକାର ନୀତିବାଣୀ ହିତୋପଦେଶ, ଏବଂ ବେଳେ ବେଳେ ପୁରାଣ କଥା କହି ଆନନ୍ଦ ଦେଇଥାନ୍ତି ।
ଏମିତି ଦୁଇହଂସ ଓ କଇଁଛଙ୍କ ମଧ୍ୟରେ ବେଶ୍ ବନ୍ଧୁତ୍ୱ ବଢ଼ୁଥାଏ । କେହି କାହାରିକୁ ପାଖରୁ ଛାଡ଼ିବାକୁ ଇଚ୍ଛା କରନ୍ତି ନାହିଁ । ସେମାନେ ଏହିପରି ପ୍ରତିଦିନ ଆନନ୍ଦରେ ସମୟ କାଟୁଥାଆନ୍ତି ।
ହଂସ ଓ କଇଁଛଙ୍କ ମଧ୍ୟରେ ଏହିପରି ଦିନ ଗୁଡ଼ିକ କଟି ଯାଉଥାଏ । ଏହାପରେ ଆସିଲା ଦୁର୍ଦ୍ଧିନର ସମୟ । ସେହି ଅଞ୍ଚଳରେ ଗୋଟିଏ ବର୍ଷ ଆଦୌ ବର୍ଷା ହେଲା ନାହିଁ । ବର୍ଷା ନ ହେବାରୁ ସେହି ଅଞ୍ଚଳର ସମସ୍ତ ପୋଖରୀ, ଗଡ଼ିଆ, କୂପ ଆଦି ଶୁଖିଗଲା । ଯେତେବେଳେ ଏପରି ଅବସ୍ଥା ଦେଖାଗଲା ସେତେବେଳେ ହଂସ ଏବଂ କଇଁଛଙ୍କ ମୁଣ୍ଡରେ ବଜ୍ର ପଡ଼ିଗଲା । ହଂସ କହିଲା ଆହେ କଇଁଛ ଭାଇ, ସବୁଆଡ଼େ ଜଳର ତ ଅଭାବ ହୋଇଗଲା । ଲୋକେ ତ ପାଣି ବିନା ହାହାକାର ହେଲେଣି । ସହଜେ ତ ଆମେ ଜଳ ନ ହେଲେ ବଞ୍ଚିବା ମୁସ୍କିଲ ହେବ । ଏ ଅବସ୍ଥାରେ ତମେ ମଧ୍ୟ ଏହି ପାଣି ନଥିବା ପୋଖରୀରେ ରହିବ କିପରି?