ହଂସଠାରୁ ସମସ୍ତ କଥା ଶୁଣିଲାରୁ କଇଁଛ ମଧ୍ୟ ଖୁବ୍ ଭୟଭୀତ ହୋଇପଡ଼ି କହିଲା – ତୁମ ଦୁହିଁଙ୍କର ତ ଉପାୟ ଅଛି । ଏବେ ଚାହିଁଲେ ଉଡ଼ିଯିବ । ଯେଉଁଠାରେ ପାଣିର ସନ୍ଧାନ ପାଇବ ସେହିଠାରେ ରହିବ । ମୁଁ ସେତିକି ବାଟ ଗଲା ବେଳକୁ ତ ପାଣି ବିନା ପଥ ମଧ୍ୟରେ ପଡ଼ି ମରିଯିବି । ତୁମ ବିନା ମୋର ଆଉ କିଏ ଅଛି । ଦେଖ ଭାଇ ଏପରି ବିପଦରୁ ତୁମେ ହିଁ ମୋତେ ଉଦ୍ଧାର ହେବାର ମାର୍ଗ ଦେଖାଇବ । ଏପରି ବିପଦବେଳେ ମୋତେ ଯଦି ବଞ୍ଚାଇବାକୁ ଚାହୁଁଛ ତାହାହେଲେ ତୁମେ ଦୁହେଁ ଯେଉଁ ସ୍ଥାନକୁ ଯିବ ମୋତେ ସେହି ସ୍ଥାନକୁ ନେଇଯିବ । ତୁମେ ଯଦି ମୋ ସାଥିରେ କପଟ କରିବ ତାହାହେଲେ ମୁଁ ନିଶ୍ଚୟ ମରିଯିବି । ତୁମେ ଦୁହେଁ ଓ ମୁଁ କିପରି ବଞ୍ଚିରହିବା ତାହାର ଗୋଟାଏ ଉପାୟ କର ।
କଇଁଛଠାରୁ ସମସ୍ତ କଥା ଶୁଣି ସାରିବା ପରେ ହଂସ କହିଲା ଆରେ ଭାଇ ବନ୍ଧୁତ୍ୱକୁ କଣ କେହି ଛାଡ଼ିପାରେ । ତୁମକୁ ସାହାଯ୍ୟ କରିବା ଲାଗି କ’ଣ ଆମର ଇଚ୍ଛା ନାହିଁ । ହେଲେ ତୁମକୁ ନେବା ପାଇଁ ତ ଉପାୟ ଥିବା ଦରକାର ।
ତହୁଁ କଇଁଛ କହିଲା – ଉପାୟ ଅଛି । ତୁମେ ଖଣ୍ଡିଏ ବାଡ଼ି ଆଣ । ସେହି ବାଡ଼ିର ଦୁଇ ମୁଣ୍ଡକୁ ଧରିଲେ ମୁଁ ବାଡ଼ିର ମଝିସ୍ଥାନକୁ କାମୁଡ଼ି ଧରିବି । ତା’ପରେ ତୁମେ ଉଡ଼ିଉଡ଼ି ଗଲେ ପହଞ୍ଚିବା ଯାଏ ମୁଁ ସେହିପରି ଓହଳିଥିବି । କିନ୍ତୁ ମୋର ଜୀବନ ପ୍ରତି ତୁମ୍ଭ ଦୁହିଁଙ୍କର ଯଦି ଦୟାଥାଏ ଯେତେ ଅସୁବିଧା ହେଲେ ମଧ୍ୟ ଲକ୍ଷ୍ୟଥିବା ସ୍ଥାନରେ ନ ପହଞ୍ଚିବା ଯାଏ ତୁମେ ଦୁହେଁ ଆଦୌ ପାଟି ଖୋଲିବ ନାହିଁ ।
ଯାହାହେଉ ବନ୍ଧୁକୁ ସାହାଯ୍ୟ କରିବା ଲାଗି ହଂସ ଦୁହେଁ ହଁ ଭରିଲେ । କଇଁଛର କହିବା ଅନୁସାରେ ହଂସ ଦୁହେଁ ବାଡ଼ିଟିଏ ଆଣି ଦୁଇ ପାଶ୍ୱର୍କୁ କାମୁଡ଼ି ଧରିବା ପରେ କଇଁଛ ବାଡ଼ିର ମଝିକୁ କାମୁଡ଼ି ଧରିଲା । ତା’ପରେ ହଂସ ଆକାଶରେ ଉଡ଼ି ଉଡ଼ି ଚାଲିଗଲେ ।