ଶେଖର ଯାଇ ବାପାଙ୍କୁ ସବୁ କହିଲା ଓ ମାସଟିଏ ଅପେକ୍ଷା କରି ପଂଚମୀ ତିଥିରେ ପୂର୍ବ ମୁହାଁ ବାହାରି ପଡିଲା । ଉପରଓଳି ସେ ମହକପୁର ନାମକ ଗାଁରେ ଯାଇ ପହଁଚିଲା । ସେହି ଗାଁରେ ସେ ଅଂଚଳର ଜମିଦାର ପୂର୍ଣ୍ଣପ୍ରକାଶଙ୍କ ଘର ।
ଶେଖର ଯାଇ ପୂର୍ଣ୍ଣପ୍ରକାଶଙ୍କ ଗୁମାସ୍ତାଙ୍କୁ ଭେଟିଲା ଓ ନିଜ ଉଦ୍ଧେଶ୍ୟ କହିଲା । ଗୁମାସ୍ତା କହିଲେ, “ଆଜି ଜମିଦାରଙ୍କ ପିତାଙ୍କ ପ୍ରଥମ ଶ୍ରାଦ୍ଧ ଦିବସ । ତେଣୁ ଆଜି ସେ ଖୁବ୍ ବ୍ୟସ୍ତ ଅଛନ୍ତି । କବିତା ଶୁଣିବାକୁ ତାଙ୍କ ପାଖେ ତର କାହିଁ?”
ଏତିକିରେ ଶେଖରର ମନ ଦବିଗଲା । ସେ କହିପକାଇଲା,
“ପଦପାତେ ଅଭାଗାର
ନଈ ହୁଏ ବାଲୁଚର!”
ଗୁମାସ୍ତା ସହାନୁଭୂତି ଦେଖାଇ ପଚାରିଲେ, “ତୁମେ ଏମତି କାହିଁକି ଭାଙ୍ଗି ପଡୁଛ?”
ଶେଖର କହିଲା, “ଆଜ୍ଞା, ଏଥରକୁ ମିଶାଇ ତିନି ତିନି ଥର ମୋ ଅଭିଯାନ ବୃଥା ହେଲାଣି ।”