ଜଙ୍ଗଲ ନିକଟରେ ଗ୍ରାମଟିଏ ଥାଏ; ସେଥିରେ ଜଣେ କାଠୁରିଆ ଓ ତା’ର ସ୍ତ୍ରୀ ଥାନ୍ତି । ଗରିବ ହେଲେ ମଧ୍ୟ, ସେ ବଡ କଷ୍ଟରେ ପଇସା ରୋଜଗାର କଲେ ମଧ୍ୟ ବହୁତ ଶାନ୍ତିରେ ସେମାନେ ଜୀବନଯାପନ କରୁଥା’ନ୍ତି ।
ତାଙ୍କ କୁଟୀର ନିକଟରେ କୌଣସି ଧନୀ ବ୍ୟକ୍ତି ଘର ତିଆରି କଲେ । ସେମାନଙ୍କୁ ଅଧିକ ସୁଖୀ ଦେଖି କାଠୁରିଆ ଓ ତା’ର ପତ୍ନୀର ମନରେ ଭାରି ଈର୍ଷା ଜାତ ହେଲା । ଦିନେ ଘରେ ବସି ପତିପତ୍ନୀ ଗଳ୍ପ କରୁଥିଲେ । ପତ୍ନୀ କହିଲା, “କେତେ ଲୋକ ଜନ୍ମରୁ ଧନୀ । କିନ୍ତୁ ଆମ ଭାଗ୍ୟରେ ଏହା ବୋଧେ ଲେଖା ହୋଇନାହିଁ । କେହି ମଧ୍ୟ ରୋଜଗାର କରି ଧନୀ ହେଉଛି । ଆମର ଯଦି ଅଧିକ ଧନ ଥାନ୍ତା, ଆମେ ମଧ୍ୟ ବେଶ୍ ଆରାମ୍ରେ ରହିଥାନ୍ତୁ ।”
କାଠୁରିଆ କହିଲା, “ମୁଁ ଭାବୁଛି ଏହି ଧନୀ ଆଦୌ ସୁଖୀ ନୁହେଁ । କିନ୍ତୁ ମୋ ପାଖରେ ଧନ ଥିଲେ ମୁଁ ଏହାଙ୍କ ଅପେକ୍ଷା ଅଧିକ ସୁଖୀ ହୋଇ ରହିଥା’ନ୍ତି ।”
ସ୍ତ୍ରୀ କହିଲା, “ମୁଁ ଶୁଣିଛି ଯେ ପୂର୍ବ କାଳରେ ଦେବୀମାନେ ଓ ଦେବତାମାନେ ପ୍ରତ୍ୟକ୍ଷ ହୋଇ ବର ଦେଉଥିଲେ । ଯଦି କୌଣସି ଦେବୀ ବା ଦେବତା ଦେଖାଦେଇ ଆମକୁ କିଛି ବର ଦିଅନ୍ତେ ତେବେ କେତେ ଆନନ୍ଦ ହୁଅନ୍ତା!”
ତା’ର କଥା ଶେଷ ନ ହେଉଣୁ ଜଣେ ଦେବୀ ଦେଖାଦେଇ କହିଲେ, “ମୁଁ ଜଣେ ଦେବୀ । ତୁମେମାନେ ବରଲାଭ କରିବାକୁ ବହୁତ ଉତ୍ସୁକ । ମୁଁ ତୁମ ଦୁହିଁଙ୍କୁ ତିନିଟି ବର ଦେଉଛି । ଆଉ ଅଧିକ ବର ନ ମାଗି ସେଇଥିରେ ତୁମେମାନେ ସନ୍ତୁଷ୍ଟ ରୁହ ।”
ଏପରି ଏକ ଆକସ୍ମିକ ଘଟଣା ଦେଖି ସେ ଦୁହେଁ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ସେମାନେ ଶିଘ୍ର ସ୍ଥିର କରି ପାରୁ ନାହାଁନ୍ତି କି କେଉଁ ବର ମାଗିବେ ।
ସ୍ତ୍ରୀ କହିଲା, “ମୋତେ ପଚାରିଲେ କହିବି ଯେ ଯେଉଁ ବର ଦ୍ୱାରା ଧନୀ ହୋଇ ସୁଖରେ କାଳ କଟାଇବା ତାହାହିଁ ମୋର କାମ୍ୟ ।”
କାଠୁରିଆ କହିଲା “ତୁମର ସେପରି କଥା ରଖିଦିଅ । ଧନ ଯୋଗୁଁ କ’ଣ ରୋଗ ଦୂର ହୋଇଯିବ? ଚୋର ଆମ ଘରେ ପଶି ସବୁ ଚୋରେଇ ନେବେ ନାହିଁ? ତେଣୁ ଏପରି ବର ମାଗିବା ଯଦ୍ୱାରା ଆମେ ସୁସ୍ଥ ରହିବା ଓ ଦୀର୍ଘ ଦିନ ବଂଚିବା ।”
ସ୍ତ୍ରୀ କହିଲା, “ଦୀର୍ଘାୟୁ ହେବାରେ ଲାଭ କ’ଣ? କ’ଣ ଆମ ଦାରିଦ୍ର୍ୟର କଷ୍ଟକୁ ବହୁତ ଦିନ ସହିବାକୁ?” ଏକଥା ଶୁଣି କାଠୁରିଆ କହିଲା “ତୁମେ ଠିକ୍ କହୁଛ । ଯାହା ସ୍ଥିର କରିବା ଚିନ୍ତା କରି ବିଚାର କରିହିଁ କରିବା ।”