ସ୍ତ୍ରୀ ରୋଷେଇ ଘରକୁ ଚାଲିଯାଇ ଚୁଲି ଲଗାଇଲା ଓ କହିଲା, “ଆଜି ମାଛ ଥିଲେ କେତେ ଭଲ ହୋଇଥା’ନ୍ତା!” ଏତିକି କହୁ କହୁ ଉପରୁ ହଠାତ୍ ବହୁତ ମାଛ ସବୁ ପଡିଲା ।
ଏଣେ କାଠୁରିଆ ଜାଣିଗଲା ତିନିଟି ବରରୁ ଗୋଟିଏ ହୋଇଗଲା, ତେଣୁ ସେ ରାଗିଯାଇ ନିଜ ସ୍ତ୍ରୀକୁ କହିଲା, “ଆରେ ବୋକି, ତୁମେ ଏପରି କ’ଣ କଲ? ତୁମେ ତ ଗୋଟିଏ ବର ନଷ୍ଟ କରିଦେଲ । ମାଛ କାହିଁକି ମାଗିଲ? ବେକରେ ପକାଇବାକୁ ମାଛର ହାରଟିଏ ମାଗିଲ ନାହିଁ? ମୂର୍ଖ କେଉଁଠିକାର ।” ଏତିକି କହୁ କହୁ ସେ ମାଛଗୁଡିକ ହାର ହୋଇ ସ୍ତ୍ରୀର ବେକରେ ଆସି ପଡିଲେ ।
“ତୁମେ ମଧ୍ୟ ଆହୁରି ଗୋଟାଏ ବରକୁ ନିରର୍ଥକ କରିଦେଲ; ଆମେ ଦୁହେଁ ଦୁଇଟି ବର ନଷ୍ଟ କରିଲେ । ଏହା କହୁ କହୁ ସ୍ତ୍ରୀ ନିଜ ବେକରୁ ସେ ମାଛହାର କାଢିଲା । କିନ୍ତୁ ତାହା ଚମରେ ଅଠା ଭଳି ଲାଗି ଯାଇଥିଲା, ଆଉ ବାହାରୁ ନଥିଲା; ତେଣୁ ସେ କାନ୍ଦି କାନ୍ଦି କହିଲା, “ଛି, ଛି, ଇଏ କ’ଣ ହେଲା? ଆମର ସବୁ ନଷ୍ଟ ହେଲା । ଏହି ମାଛଗୁଡିକୁ ଆମେ ତରକାରୀ କରି ମଧ୍ୟ ଖାଇ ପାରିଲୁ ନାହିଁ । ଏହି ହାର ନ ବାହାରିଲେ ମୁଁ ଲଜ୍ଜାରେ ଆତ୍ମହତ୍ୟା କରିଦେବି । ଏତେ ବଡ ଅପମାନ ମୁଁ କେବେବି ହେଲେ ସହି ପାରିବି ନାହିଁ ।”
ଏବେ ଆଉ ସେ କାଠୁରିଆ କ’ଣ ବା କରେ? ଏବେ ମାତ୍ର ଗୋଟିଏ ବର ବାକି ଥିଲା । ମାଛହାର ବାହାର କରିବା ପାଇଁ ବର ମାଗିବା ଛଡା ଅନ୍ୟ ଉପାୟ କିଛି ନଥିଲା । ବରଟି ମାଗିଲା, ମାଛହାରଟି ବାହାରି ଆସିଲା । ସେଦିନ ସେ ଦୁଇଜଣଙ୍କର ମୂର୍ଖତା ଯୋଗୁଁ ତିନୋଟି ବର ନଷ୍ଟ ହେଲା ।