ଅନେକ ବର୍ଷ ତଳର କଥା । ଉତ୍ତର ପ୍ରଦେଶର ଆଗ୍ରା ଅଂଚଳରେ ଦାସପୁର ନାମରେ ଏକ ଛୋଟିଆ ପଲ୍ଲୀଗାଁ ଥିଲା । ଆଉ ସେଇ ଗାଁରେ ପ୍ରାୟ ନୀଚ ଜାତିର ଲୋକେ ବାସ କରୁଥାନ୍ତି । ଥରେ ଜଣେ ଚମାର ଘରେ ଡଉଲ ଡାଉଲ ସୁନ୍ଦର ପୁଅଟିଏ ଜନ୍ମ ହେଲା । ବାପ ମାଆ ଖୁସି ହୋଇ ତାଙ୍କ ପୁଅଟିର ନାମ ରଖିଲେ ରବିଦାସ । ପିଲାଟି ଦିନକୁ ଦିନ ସବୁରି ସ୍ନେହ ଆଦର ପାଇ ବଢିବାକୁ ଲାଗିଲା । ତା ମନରେ କେହି କେବେବି ହେଲେ କୌଣସି କଷ୍ଟ ଦେଉ ନଥାନ୍ତି । ସମସ୍ତେ ତାକୁ ଖୁବ୍ ଭଲ ପାଉଥାନ୍ତି । କାହିଁକିନା ଏମିତି ଶାନ୍ତଶିଷ୍ଟ ସୁନ୍ଦର ପିଲାଟିଏ ଆଉ କାହାରି ବି ନଥିଲା । ସୁଖ ତ ଆଉ ସବୁଦିନ ରହେନା । ସୁଖପରେ ଦୁଃଖ ଆସେ । ହଠାତ୍ ସେ ପିଲାଟିର ମାଆ ମରିଗଲେ, ହୋସ ଆସିଲାବେଳକୁ ରବିଦାସଙ୍କୁ ମାଲୁମ ହେଲା ଯେ ତାଙ୍କର ନିଜର ବୋଲି କେବଳ ବାପା ଓ ବଡଭାଇ । ଏକେ ତ ଗରିବ ଘର । ପାଠଶାଠ ପଢିବାକୁ ସମ୍ବଳ ନାହିଁ । ପୁଣି ନିତି ରୋଜଗାର ନକଲେ ପେଟକୁ ଦାନାଗଣ୍ଡେ ମିଳିବ ନାହିଁ । ବାପାଭାଇ ଜୋତା ତିଆରି କରି ଚଳନ୍ତି । ସେ ରବିଦାସ ମଧ୍ୟ ତାଙ୍କ ବାପାଭାଇ ସହିତ ମିଶି ଜୋତା ତିଆରି କରେ । ସପ୍ତାହରେ ଥରେ ସେମାନେ ବଜାରକୁ ନେଇ ଜୋତା ବିକନ୍ତି ଏବଂ ସେଥିରେ ସପ୍ତାହକ ପାଇଁ ଖାଦ୍ୟଜିନିଷ ଏବଂ ଅନ୍ୟାନ୍ୟ ସରଞ୍ଜାମ କିଣି ଆଣନ୍ତି । ରବିକୁ ବାରତେର ବର୍ଷ ହୋଇଯିବାରୁ ଥରେ ତାର ବାପା ତା ହାତରେ କିଛି ଜୋତା ଦେଇ ବଜାରକୁ ପଠାଇଲେ । ରବିଦାସ ବଜାରକୁ ଯିବା ସମୟରେ ଦେଖିଲେ, ଜଣେ କାଠୁରିଆ ଖୁବ୍ କଷ୍ଟରେ ଛୋଟେଇ ଛୋଟେଇ ଚାଲୁଥାଏ । କାରଣ ତା ପାଦରେ ଜୋତା ନଥିବାରୁ କଂଟାଫୁଟି ରକ୍ତ ଝରୁଥାଏ । କାଠ ଗୋଟାଇ ତାକୁ ସେ କାଠୁରିଆ ବିକିଚଳେ । ତାର ପଇସା କାହିଁଯେ ସେ ଜୋତା କିଣିବ? ରବିଦାସ ସେ କାଠୁରିଆର ଦୁଃଖ ସହିନପାରି ତାକୁ ଜୋତା ହଳେ ଦେଇଦେଲା । ବାପାଙ୍କୁ ହିସାବ ଦେବା ସମୟରେ କିଛି ବି ନଲୁଚାଇ ରବିଦାସ ସବୁ ସତକଥା କହିଲା ।
ବାପା ପୁଅର ଏଭଳି ଦୟାଳୁ ସ୍ୱଭାବ ଜାଣି ତା ଉପରେ ଭାରି ଖୁସି ହେଲେ । ତାର ଭାଇ କିନ୍ତୁ ଭାରି କଡା ସ୍ୱଭାବର । ତେଣୁ ସେ ସିଧା କହିଦେଲେ ଆଉ ଏମିତି କଲେ ତୋର ଖିଆପିଆ ସବୁ ବନ୍ଦ । ରବିଦାସ ତ ସଂପୂର୍ଣ୍ଣ ନିର୍ବିକାର । ଥରକୁ ଥର ସେ ଏମିତି ଦୟାକରି ଲୋକଙ୍କୁ ଜୋତା ଦେଇ ଦେଲା । କାହା କାହାକୁ ପଇସାବି ଦେଲା । ତାଙ୍କ ବାପାଭାଇ ଭାବିଲେ ରବିକୁତ ବୟସ ହେଲାଣି ତେଣୁ ତାକୁ ବିବାହ କରିଦେଲେ ସେ ସବୁ ଠିକ୍ ବୁଝିପାରିବ । ଏଣୁ ଷୋହଳବର୍ଷ ବୟସରେ ରବିଦାସର ବିବାହ କରିଦେଲେ । ତଥାପି ତାର ସ୍ୱଭାବ ବଦଳିଲା ନାହିଁ । ଯେତେ ବୁଝାଇଲେ ମଧ୍ୟ ସେ ବୁଝିଲା ନାହିଁ । କାହାକୁ ଅଧାଦାମ୍ରେ ଜୋତା ଦେଇଦେଲାତ କାହାକୁ ପଇସା ଦାନ କଲା । ଶେଷରେ ଅତିଷ୍ଠ ହୋଇ ବାପାଭାଇ ସେ ରବିଦାସଙ୍କୁ ଅଲଗା କରିଦେଲେ ।