ତା’ପରେ ରବିଦାସ ଗାଁ ମୁଣ୍ଡରେ କୁଡିଆଟେ କରି ନିଜ ସ୍ତ୍ରୀଙ୍କୁ ନେଇ ରହିଲା । ଦୁହେଁ ମିଶି ଯୋତା ତିଆରି କଲେ । ମନଲାଖି ସ୍ତ୍ରୀଟିଏ ମିଳିଥିବାରୁ ରବିଦାସ ନିଜକୁ ଧନ୍ୟ ମଣିଲେ । କାରଣ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କରିପରି ଦୟାଶୀଳ ଥିଲେ । ଦୁହେଁ ଗରିବଙ୍କ ସେବାକରି କାମକରି ସୁଖରେ ଚଳୁଥାନ୍ତି । ଭଗବାନଙ୍କ ନାମ ବି ନେଉଥାନ୍ତି । ରବିଦାସଙ୍କ କାର୍ଯ୍ୟରେ ମୁଗ୍ଧ ହୋଇ ଭଗବାନ ତାଙ୍କୁ ପରୀକ୍ଷା କରିବା ପାଇଁ ଏକ ବୁଢା ବ୍ରାହ୍ମଣ ବେଶରେ ପହଁଚିଲେ । ରବିଦାସ ଜୋତା ତିଆରିରେ ବ୍ୟସ୍ତ ଥାଇ ମଧ୍ୟ ଭଜନ ଗାଉଥିଲେ । ତାଙ୍କ ସ୍ତ୍ରୀ ପାଖରେ ବସି ଚିରାଲୁଗା ସିଲେଇ କରୁଥିଲେ ।
ଭଗବାନ କହିଲେ, “ରବିଦାସ ତୁମ ସେବା ଭାବରେ ସମସ୍ତେ ମୁଗ୍ଧ । ତମେ ଖୁବ୍ ଗରିବ, ବହୁତ କଷ୍ଟ କରୁଛ । ମୋତେ ଜଣେ ସାଧୁ ଏଇ ପଥରଟି ଦେଇଥିଲେ । ଏହାକୁ ଛୁଆଇଁ ଦେଲେ ଲୁହାବି ସୁନା ହୋଇଯିବ । ମୁଁ ତ ବ୍ରାହ୍ମଣ ଲୋକ । ଯଜମାନଗିରି କରି ଚଳୁଛି । ତେଣୁ ତୁମେ ୟାକୁ ରଖ । ସୁଖରେ ଚଳିବ, ଲୋକଙ୍କର ସେବାବି ଭଲ ଭାବରେ କରିପାରିବ । ଦାନ ଧର୍ମ କରିପାରିବ ।
ଏଭଳି ଉପଦେଶ ପାଇ ରବିଦାସ କହିଲେ, “ମହାତ୍ମା ମୁଁ ତ ଗାଧୋଇ ନାହିଁ, ତାକୁ ଛୁଇଁବା ଠିକ୍ ହେବନାହିଁ । ଆପଣ ତାକୁ କନାରେ ଗୁଡାଇ ମୋ ମୁଣ୍ଡ ଉପରେ ଏଇ ଚାଳରେ ଖୋସି ଦିଅନ୍ତୁ । ମୁଁ ଗାଧୋଇସାରି ତାକୁ ନେଇ ଯଥା ସ୍ଥାନରେ ରଖିବି ।” ବ୍ରାହ୍ମଣ ରୂପୀ ଭଗବାନ ସେୟା କରି ଚାଲିଗଲେ ।
ଅନେକବର୍ଷ ବିତିଗଲା । ରବିଦାସଙ୍କର ବୟସ ବଢିଲା । ଦାଢୀ, ବାଳ ବି ତାଙ୍କର ପାଚି ଆସିଲା । ପିଲାଛୁଆ, ସ୍ତ୍ରୀଙ୍କୁ ଧରି ସେମିତି ସେ କାମ କରି ଚଳୁଥାନ୍ତି । ଗରିବଙ୍କ ସେବା ବି କରୁଥାନ୍ତି । ହଠାତ୍ ଦିନେ ଭଗବାନ ବୁଢା ବ୍ରାହ୍ମଣ ବେଶର ବାଡିଟିଏ ଧରି ଆସି ସବୁ ଦେଖିଲେ । ରବିଦାସ ତାଙ୍କୁ ଦେଖି ପ୍ରଣାମ କରି ବସାଇଲେ । ତାଙ୍କ ଭଲମନ୍ଦ ବି ପଚାରିଲେ । ତହୁଁ ସେ ଭଗବାନ କହିଲେ, “ରବି! ତୁମେ ଯେମତିଥିଲ ଠିକ୍ ସେମିତି ଅଛ । ମୁଁ ଯେଉଁ ପଥର ଦେଇଥିଲି ତାକୁ ତମେ କାମରେ ଲଗାଇନାହଁ? ସେ ପଥର କାହିଁ? ଏକଥା ଶୁଣି ରବିଦାସ କହିଲେ ମୁଁ ତାକୁ ଛୁଇଁନାହିଁ । ଘର ଛାଆଣି ବେଳେ ମୋ ସ୍ତ୍ରୀ ତାକୁ କାନ୍ଥ ଠଣାରେ ରଖିଦେଇଥିଲା, ସେମିତି ଅଛି । ସବୁ ଶୁଣି ଭଗବାନ କହିଲେ ତମେ ସୁବର୍ଣ୍ଣ ସୁଯୋଗ ହରାଇଦେଲ । ଚାହିଁଥିଲେ ତମେ ତ ଖୁବ୍ ଧନୀ ହୋଇପାରିଥାନ୍ତ । କିନ୍ତୁ… ।” ରବିଦାସ କହିଲେ, “ମହାଶୟ! କର୍ମ ହିଁ ମୋର ଗୁରୁ । କର୍ମ ହିଁ ଭଗବାନ । ଆଶାରଖି ମଣିଷ ବଡହେବାକୁ ଇଚ୍ଛା କରିବା ଉଚିତ୍ ନୁହେଁ । ନିଜର କର୍ମ ହିଁ ମଣିଷକୁ ବଡ କରେ । ମୁଁ ପରିଶ୍ରମ କରୁଛି । ମୋ ଝାଳବୁହା ପରିଶ୍ରମ ହିଁ ମୋତେ ସୁଖ ଦେଇପାରୁଛି । ତେଣୁ ମୋର କାହାକୁ ବି ଡର, ଭୟ କିଛି ନାହିଁ ।
ପରିଶେଷରେ ଭଗବାନ ରବିଦାସଙ୍କୁ ପ୍ରଣାମ କରି କହିଲେ, “ରବି! ମୁଁ ତୁମ ପାଖରେ ହାରିଗଲି । ତମେହିଁ ମୋର ଗୁରୁ ହୋଇଗଲ ।” ରବିଦାସ ଜଣେ ମହାନ୍ ସନ୍ଥ ଭାବରେ ଯୁଗ ଯୁଗ ଅମର ହୋଇ ରହିଛନ୍ତି ।