ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭଗବାନ ସାକ୍ଷୀ

କୁନ୍ଦନପୁର ଗ୍ରାମରେ ଗୋବିନ୍ଦରାଜ ନାମକ ଜଣେ ବଡ ଡାକୁ ଥାଏ । ତା’ର ବାପା, ଜେଜେବାପା ମଧ୍ୟ ସେହି ବିଦ୍ୟାରେ ଖୁବ୍ ଦୁର୍ନାମ ଅର୍ଜ୍ଜନ କରିଥିଲେ । ମନେହୁଏ ଡାକୁବିଦ୍ୟା ତାଙ୍କର ବଂଶଗତ ହୋଇଗଲାଣି । ଗୋବିନ୍ଦର ଭଉଣୀର ପୁଅଟିଏ ଥାଏ, ତା’ ନାମ ଭଗବାନ । ସିଏ ତ ଜନ୍ମରୁ ସେ ବିଦ୍ୟାରେ ସିଦ୍ଧ । ଯେତେବେଳେ ସେ ଟିକିଏ ବଡ ହୋଇଗଲା ତା’ ମା’ ଭଗବାନକୁ ତା’ ମାମୁଁ ପାଖକୁ ଡାକୁ ବିଦ୍ୟାକୁ କରାୟତ କରିବାକୁ ପଠାଇଦେଲା । କିନ୍ତୁ ଭଗବାନର ବୁଦ୍ଧି ବହୁତ । ତା’ର କୌଶଳ ସବୁ ମାମୁଁଠାରୁ ମଧ୍ୟ ବହୁତ ବେଶି । ସେ ଅତି ସହଜରେହିଁ ସବୁ କରିଦେଇ ପାରୁଥିଲା । ଭଗବାନ ମାମୁଁ ଘରେ ଥାଏ । ମାମୁଁ ତା’ ଉପରେ ଏତେ ଖୁସି ହୋଇଥାଏ ଯେ ଯେତେବେଳେ ସେ ଡକାୟତି କରିବାକୁ ବାହାରେ ଭଗବାନକୁ ସଦାବେଳେ ସେ ନିଜ ସାଙ୍ଗରେ ନେଇଯାଏ ।

                ଥରେ ସେମାନେ ଗୋଟିଏ ପାଖ ଗାଁକୁ ଗଲେ । ସେ ଗାଁର ନ୍ୟାୟାଧିଶ ବହୁତ ଭଦ୍ର ଓ ସଜ୍ଜନ ବ୍ୟକ୍ତି ଥିଲେ, ଧନୀ ମଧ୍ୟ ଥିଲେ । ପ୍ରାୟ ସବୁଦିନେ ଗ୍ରାମର ଭଲମନ୍ଦ ନ୍ୟାୟ ଅନ୍ୟାୟ ବୁଝିବା ପାଇଁ ସଂଧ୍ୟା ସମୟରୁ ସେ ତାଙ୍କ ଘରୁ ଚାଲିଯା’ନ୍ତି ଓ ବହୁତ ଡେରିରେ ଘରକୁ ଫେରନ୍ତି । ସେହି ସୁଯୋଗ ଦେଖି ଡାକୁ ମାମୁଁ ଭଣଜା ଦୁହେଁ ସେଠାରେ ଯାଇ ପଶିଲେ । ପଶିବା ପୂର୍ବରୁ ଭଗବାନ କହିଲା, “ମାମୁଁ ଆଜି ମୋତେ ବହୁତ ଭୋକ ଲାଗୁଛି, ପ୍ରଥମେ ମୁଁ ଖାଦ୍ୟ ସବୁ ଖୋଜି ଖାଇନେବି, ପରେ ଯାଇ ଧନ ଖୋଜିବି ।”

                ଗୋବିନ୍ଦ କହିଲା “ଠିକ୍ ଅଛି । ସାବଧାନତା ସହକାରେ ଏସବୁ କାମ କରିବୁ । ମୁଁ ଉପର ମହଲାକୁ ଯାଉଛି । ତୁ ତଳ ମହଲାରେ ଖୋଜୁ ଥା’ । କାମ ଶେଷ ହେଲେ ଯିଏ ଆଗ ଆସିବ ସେ ଏହି ଗଛମୂଳେ ଅନ୍ୟକୁ ଅପେକ୍ଷା କରିବ ।”

                ସେ ନ୍ୟାୟାଧିଶଙ୍କର ତ କେହିବି ପିଲାପିଲି ନଥିଲେ । ସ୍ୱାମୀ ସ୍ତ୍ରୀ ଦୁହେଁ ବଡ ଧାର୍ମିକ ଥିଲେ । ତେଣୁ ସେମାନଙ୍କର ଅଧିକାଂଶ ଦିନ ଖାଲି ବ୍ରତ ଉପବାସରେ କଟେ । ସେଦିନ ଏକାଦଶୀ ଥିଲା । ସ୍ୱାମୀ ସ୍ତ୍ରୀଙ୍କର ଉପବାସର ଦିନ । ଦିନସାରା ଉପବାସ କରି ରାତିରେ ଖାଇବେ ବୋଲି ନ୍ୟାୟାଧିଶଙ୍କ ପତ୍ନୀ ଖିରୀ, ଚକୁଳିପିଠା ସବୁ କରି ସ୍ୱାମୀଙ୍କୁ ଅପେକ୍ଷା କରି କରି କ୍ଳାନ୍ତ ହୋଇ ଟିକେ ଶୋଇ ପଡିଥାନ୍ତି । ଚାକର ଭିତର ବାରଣ୍ଡାରେ ଶୋଇ ପଡିଛି ।

                ଗୋବିନ୍ଦ ତ ଉପର ମହଲାକୁ ଚାଲିଗଲା । ଭଗବାନ ବିଲେଇ ପରି ପାଦ ଚିପି ଚିପି ଭିତରେ ପଶିଲା । ଖିରି ପିଠାର ବାସ୍ନାରେ ତା’ ପାଟିରୁ ଖାଲି ଲାଳ ବୋହିଲା । ଏଣେ ପେଟରେ ତା’ର ଭୋକ । ସେ ସେଠାରେ ବସିପଡି ଖାଇବାକୁ ଲାଗିଲା । ଖାଦ୍ୟ ଶେଷ ହେବା ପର୍ଯ୍ୟନ୍ତ ସେ ଖାଇ ଚାଲିଲା । ଆଜି ତା’ର ଭୋକବେଳେ ସେ ଖାଇବାର ଯେଉଁ ସନ୍ତୋଷ ପାଇଲା, ତାହା ସେ ତା’ ସାରା ଜୀବନରେ କେବେ ମଧ୍ୟ ପାଇନାହିଁ ।

                ଖାଇସାରି ସେ ଚୁପ୍ଚାପ୍ ସେଠାରୁ ଖସି ଯିବାକୁ ଚାହୁଁଥିଲା, ଠିକ୍ ଏତିକିବେଳେ କେହି ଜଣେ ବାହାର ଦ୍ୱାରରେ ଠକ୍ ଠକ୍ ଆବାଜ୍ କଲା ।

                ଏଥିରୁ ସେ ଭଗବାନ ଅନୁମାନ କରିନେଲା ଯେ ଘର ମାଲିକ ବୋଧେ ଫେରିଲେ । ପୁଣି ଭୋକରେ ସେ ଫେରିଥିବାରୁ ମାଲିକ ନିଶ୍ଚୟ ସିଧାସଳଖ ରନ୍ଧାଶାଳ ପଟେ ଆସିବେ । ଏଇସବୁ କଥା ଭାବି ସେ ଯାଇ ଗୋଟାଏ ପଟା ଭାଡିପରି ହୋଇଛି ତା’ଉପରେ ଚଢି ବସିଲା ।

                ଏହା ଭିତରେ ମାଲିକଙ୍କ ସ୍ତ୍ରୀଙ୍କ ନିଦ ମଧ୍ୟ ଭାଙ୍ଗିଗଲା । ସେ ଉଠି ବସିଲେ । ଭଗବାନ ଭାଡି ଉପରେ ବସି ଉତ୍କଣ୍ଠିତ ଭାବରେ କ’ଣ ହେବ ତାହା ଦେଖିବାକୁ ଅପେକ୍ଷା କରିଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ