ତା’ର ସେ ଅନୁମାନ ଠିକ୍ ହେଲା । ମାଲିକ ଆସି ସିଧା ଖାଦ୍ୟ ପାଖରେ ହାଜର୍ । ସେ ତାଙ୍କ ସ୍ତ୍ରୀଙ୍କୁ କହିଲେ, “ଖାଦ୍ୟ ପ୍ରସ୍ତୁତ କରି ରଖିଛ ତ? ଶୀଘ୍ର ମୋତେ ତାହା ଦେଇ ଦେଇ ତୁମେ ବସ ।”
“ହଁ, ହଁ, ଦେଉଛି । କେବେଠାରୁ ତିଆରି କରି ରଖିଛି । କେବଳ ତୁମରି ଅପେକ୍ଷାରେ ମୁଁ ଥିଲି ।” ବିଚାରା ସ୍ତ୍ରୀ ଏତିକି କହି ଖାଦ୍ୟ ସବୁ ରଖିଥିବା ପାତ୍ର ମାନଙ୍କର ଢାଙ୍କୁଣୀ ଖୋଲି ଦେଖିଲା ବେଳକୁ ସେସବୁ ଖାଲି । ସେ ବ୍ୟସ୍ତ ହୋଇ କହି ଉଠିଲେ, “ଆରେ ଖାଦ୍ୟ ସବୁ କିଏ ଖାଇଛି? କିମିତି ସବୁଗୁଡିକ ଖାଲି ହୋଇଗଲା?”
ମାଲିକ କ୍ରୋଧରେ ପଚାରିଲେ “କ’ଣ ଖାଲି ହୋଇଗଲା? ମୁଁ ଆସିବା ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରି ପାରିଲ ନାହିଁ? ପୁଣି ଖାଇ ଦେଇଛ?”
ପତ୍ନୀ କହିଲେ “କ’ଣ ହେଇଛି! ତୁମକୁ ଖାଇବାକୁ ଦେବା ଆଗରୁ ମୁଁ କ’ଣ କେବେବି ଖାଏ? ମୁଁ ଖାଦ୍ୟ ସବୁ ଖାଇଛି ନା ନାହିଁ, ଏକଥା ଭଗବାନ ଦେଖିଛନ୍ତି, ସେହିଁ ମୋର ସାକ୍ଷୀ ।”
“ତମଛଡା ଏ ଘରେ ଆଉ କିଏ ଅଛି କି? ସେକାମ ଆଉ କିଏ ବା କରିପାରେ? ଖାଇଛ ତ ଖାଇଛ ମୋ କଥା ଟିକିଏ ବି ଚିନ୍ତା କଲନାହିଁ । ତାସାଙ୍ଗେ ପୁଣି ଏତେ ମିଛ? ତମେ ଅବଶ୍ୟ ଦୟାପଣିଆ ଦେଖାଇ ସେତକ ଆଉ କାହାକୁ ଦେଇ ଦେଇ ଥାଇପାର । କିନ୍ତୁ ଏବେ ମୁଁ କ’ଣ ଖାଇବି ସେକଥା ଭାବିବା ଉଚିତ୍ ଥିଲା ତ! ଠିକ୍ ଅଛି । ଏବେ ଦୁଇ ଚାରିଟା ବସିଲେ ଯାଇ ଠିକ୍ ସତକଥା କହିବ ।” ଭୋକଜ୍ୱାଳାରେ କ୍ରୋଧବଶତଃ ସେ ଏତକ କହି ପତ୍ନୀଙ୍କୁ ପିଟିବାକୁ ଗଲେ ।
ଏତେ ମିଥ୍ୟାଚାର ଓ ନିଷ୍ଠୁରତା ଆଦୌ ସହି ନପାରି ଭଗବାନ ସେ ଦୁହିଁଙ୍କ ମଝିକୁ ଡେଇଁ ପଡିଲା । ସେ କହିଲା, “ତୁମ ପତ୍ନୀ ଯାହା କହୁଛନ୍ତି ତାହା ଠିକ୍ । ସେ ସବୁ ଖାଦ୍ୟ ତିଆରି କରି ରଖିଥିଲେ । ମୁଁ ଭଗବାନ । ମୋତେ ପ୍ରବଳ କ୍ଷୁଧା ହେବାରୁ ମୁଁ ସେସବୁ ଖାଇଛି । ତମେ କାହିଁକି ତାଙ୍କୁ ପିଟିବାକୁ ବାହାରିଛ?”
ଠିକ୍ ସେତିକି ବେଳେ ବାହାରୁ ଖୁବ୍ ଧୀର ଗଳାରେ କିଏ ଜଣେ ଡାକିଲା, “ଭଗବାନ!”
“ହଁ ଆସୁଛି” ଏହା କହି ସେ ଭଗବାନ ଧୀରେ ଧୀରେ ଘରୁ ବାହାରିଗଲା ।
ଏଣେ ଗୋବିନ୍ଦରାଜ ଉପର ମହଲାରୁ ବେଶି କିଛି ପାଇନାହିଁ । ରୋଷେଇ ଘର ପଟରୁ ଖାଦ୍ୟ ବିଷୟ ନେଇ ପାଟି ଶୁଭୁଥିଲା । ଗୋବିନ୍ଦ ଭାବିଲା କି ତା’ ଭଣଜା ନିଶ୍ଚୟ ଧରା ପଡିଛି । ତେଣୁ ସେ ଅତି ଧୀରେ ଧୀରେ ଭଗବାନର ନାମ ଧରି ତାକୁ ଡାକିଲା । ଭଗବାନ ହସି ହସି ଘରର ମାଲିକ ପରି ଖୁବ୍ ନିର୍ଭୟରେ ଭିତରୁ ବାହାରି ଆସିଲା । ମାମୁଁ ଭଣଜା ଦୁହେଁ ମିଶି ଫେରିଲେ । ବାଟ ଚାଲୁ ଚାଲୁ ସବୁ ଘଟଣା ଭଣଜା ତା’ ମାମୁଁକୁ କହିଲା । ସବୁକଥା ଶୁଣି ମାମୁଁ କହିଲା, “ଯଦି ଅସଲ ଡାକୁ କେହି ଥାଏ ତ ତେବେ ସିଏ ତ ତୁ । ଚୋରୀ କରି, ଘରର ମାଲିକକୁ ଚୋରୀ କଥା କହି ପୁଣି ନିର୍ଭୟରେ ସେହିଠାରୁ ବାହାରି ଆସିଲୁ – ବାଃ ।” ଏଭଳି କହି ଗୋବିନ୍ଦ ତା’ ଭଣଜାକୁ ଖୁବ୍ ପ୍ରଶଂସା କଲା ।
ଏଣେ କିଛି ସମୟ ପରେ ହଠାତ୍ ନ୍ୟାୟାଧୀଶଙ୍କ ପତ୍ନୀ ଚିତ୍କାର କରି କହିଲେ, “ଆରେ, ଯିଏ ଏତେ କଥା କହି ଚାଲିଗଲା ସିଏ କିଏ? ସିଏ ତ ଚୋର । ଧର, ଧର ତାକୁ ଧର ।”
“ଏଁ ଚୋର?” ଏହା କହି ନ୍ୟାୟାଧୀଶ ବାହାରକୁ ଦୌଡିଲେ । କିନ୍ତୁ ଇତିମଧ୍ୟରେ ସେ ଚୋରଟି ସେଠାରୁ ଚମ୍ପଟ ଦେଇ ସାରିଥାଏ । ପରେ ପତ୍ନୀ ପୁଣି ଖାଇବା ତିଆରି କଲେ ଓ ସେ ଦୁହେଁ ମିଶି ସେତକ ଖାଇଲେ ।
ଏଣେ ଘରେ ପହଁଚି ଗୋବିନ୍ଦ ତା’ ସ୍ତ୍ରୀକୁ ସବୁ କଥା କହି ଭଣଜାର ପ୍ରଶଂସା କରି କହିଲା, “ବୁଦ୍ଧି ତ ବହୁତ, ଉପସ୍ଥିତି ବୁଦ୍ଧି ମଧ୍ୟ ଆହୁରି ଅଧିକ । କିନ୍ତୁ ଥରେ ସିନା ଏମିତି ହୋଇଗଲା । ସବୁବେଳେ କ’ଣ ଏପରି ହେବ? ତମେ ଏଣିକି ଗୋଟିଏ କଥା ମନେରଖ । ଆମେ ଯେବେ ଚୋରୀ କରିବାକୁ ବାହାରିବୁ, ତମେ ପ୍ରଥମେ ଦେଖିବ ଯେ ଭଣଜା ଯେପରି ଖାଲି ପେଟରେ ନ ଯାଏ ।”
କିନ୍ତୁ ଭଗବାନର ମନ କାହିଁକି କେଜାଣି ବଦଳିଗଲା । ସେ ଭାବିଲା, ମୋର ଯଦି ଏତେ ସାହସ, ତେବେ ମୁଁ କାହିଁକି ସାମାନ୍ୟ ଚୋର ହୋଇ ଜୀବନ ବିତାଇବି? ଏପରି ଭାବି ସେ ଯାଇ ସୈନ୍ୟଦଳରେ ଯୋଗଦେଲା ଓ ଯଥା ସମୟରେ ସେ ପଦୋନ୍ନତି ବି ପାଇଲା । ଖାଲି ସେତିକି ନୁହେଁ, ଆସ୍ତେ ଆସ୍ତେ ମାମୁଁର ଚୋରୀ ଅଭ୍ୟାସ ମଧ୍ୟ ସେ ଛଡାଇ ଦେଲା ।