ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ଭାସି ଆସୁଥାଏ ସାଇଁ ସାଇଁ ପବନ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଶୁଭୁଥାଏ ଅଶରୀରୀମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ବାହାରକରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେ ବେତାଳ କହିଲା, “ରାଜନ୍, ତମେ ରାଜପ୍ରାସାଦରେ ଆରାମ୍ରେ ବିଶ୍ରାମ ନ କରି ଏ ଦୁର୍ଯ୍ୟୋଗପୂର୍ଣ୍ଣ ରାତ୍ରିରେ କାହିଁକି ଘୁରି ବୁଲୁଛ? ତୁମକୁ ଦେଖି ମୋର ଭଟ୍ଟଲୋଲ୍ଲଟଙ୍କ କଥା ମନେ ପଡିଲା । ଯିଏ କି ନିଜ ଲୋକମାନଙ୍କର ମୃତ୍ୟୁ ପାଇଁ ଦାୟୀ । ଏବେ ମୁଁ ତୁମକୁ ସେ ଗଳ୍ପଟି କହୁଛି ମନଦେଇ ଶୁଣ, ତାହା ଶୁଣିଲେ ତୁମ ଶ୍ରମଭାର ଲାଘବ ହେବ ।”
ବେତାଳ ଗପିଲା : “ପୁରାକାଳରେ ବିନ୍ଧ୍ୟାଚଳର ଜଙ୍ଗଲରେ ଅନେକ ଜଙ୍ଗଲୀ ଲୋକ ସବୁ ବାସ କରୁଥା’ନ୍ତି । ତୀର ମାରିବାରେ, ଖଣ୍ଡା ଚଳାଇବାରେ ଓ କୁସ୍ତି ଲଢିବାରେ ଯିଏ ଅନ୍ୟ ସମସ୍ତିଙ୍କୁ ହରାଇ ଦେଉଥିଲା, ତାକୁହିଁ ଦଳର ନେତା ରୂପେ ବଛା ହେଉଥିଲା । ସେ ସମସ୍ତିଙ୍କ ଉପରେ ରାଜା ପରି ରହୁଥାଏ । ତା’ର ଆଦେଶକୁ ଅନ୍ୟମାନେ ବିନା ଦ୍ୱିଧାରେ ମାନନ୍ତି । ଥରେ ଏହିପରି ଜଣେ ବୃଦ୍ଧ ନେତା ମରିଯିବା ପରେ ଭଟ୍ଟଲୋଲ୍ଲଟଙ୍କୁ ସେ ଦେଶର ରାଜା ପଦରେ ବରଣ କରାଗଲା । ସେମାନଙ୍କ ଜାତିରେ ଯାହା ସବୁ ନୀତି, ନିୟମ, ପ୍ରଥା, ରୀତି ସବୁକୁ ଲୋକମାନେ ଭଲ ଭାବରେ ମାନୁଥିଲେ । ଭଟ୍ଟଲୋଲ୍ଲଟଙ୍କ ଜାତିରେ ମଧ୍ୟ ଏକ ବିଧି ନିଷେଧ ଥିଲା–ସେଇଟା ହେଉଛି ଠେକୁଆ ମାଂସ କେହି ବି ଖାଇବେ ନାହିଁ ।