ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭଟ୍ଟଲୋଲ୍ଲଟଙ୍କ କାହାଣୀ

ଥରେ ସେ ରାଜ୍ୟର ଦୁଇଜଣ ଜଣାଶୁଣା ବ୍ୟକ୍ତି ଜଣେ ଯୁବକକୁ ଧରି ଆଣି ରାଜା ଭଟ୍ଟଲୋଲ୍ଲଟଙ୍କ ପାଖରେ ପହଁଚାଇଲେ । ସେମାନେ ଅଭିଯୋଗ କଲେ ଯେ ଯୁବକଟି ଠେକୁଆ ମାଂସ ଖାଇବାର ସେମାନେ ନିଜ ଆଖିରେ ଦେଖିଛନ୍ତି । ସେଥିପାଇଁ ତାକୁ ଦଣ୍ଡଦେବା ଉଚିତ୍ । ଏପରି ପ୍ରାଚୀନ ପ୍ରଥା ବିରୁଦ୍ଧରେ କାମ କରିଥିବାରୁ ସେ ଜାତିର କଳଙ୍କ । ତାକୁ ଉଚିତ୍ ଦଣ୍ଡ ଦେଲେ ଅନ୍ୟମାନେ ଭବିଷ୍ୟତରେ ଏପରି ଭୁଲ୍ କାମ କରିବାକୁ ଆଉ କେବେବି ସାହସ କରିବେ ନାହିଁ ।

ରାଜା ଦେଖିଲେ ଯୁବକଟିର ପତଳା ଦେହ, ସ୍ୱାସ୍ଥ୍ୟ ଭାଙ୍ଗି ପଡିଛି । ଚକ୍ଷୁ କୋଟରଗତ । ରାଜା ପଚାରିଲେ, “ଠେକୁଆ ମାଂସ ଖାଇବା ଆମ ଜାତିରେ ମନା, ତୁମେ କ’ଣ ଏକଥା ଜାଣି ନଥିଲ?”

ରାଜାଙ୍କ ପ୍ରଶ୍ନ ଶୁଣି ସେ ଯୁବକଟି ଭଙ୍ଗା କଣ୍ଠରେ ଉତ୍ତର ଦେଲା, “ମୁଁ ଦଶଦିନ ପୂର୍ବରୁ ଶୀକାର କରିବାକୁ ବଣକୁ ଯାଇଥିଲି । ସେଠାରେ ମୋର ଧନୁ ତୀର ସବୁ ହଜାଇଦେଲି ଓ ନିଜେ ବାଟ ବି ଭୁଲିଗଲି । ତେଣୁ ଜୀବନ ବଂଚାଇବାକୁ ଏପରି କରିଛି ।”

ସବୁଶୁଣି ରାଜା କହିଲେ “ଯାହା ହେଲେ ମଧ୍ୟ ତୁମେ ଅକ୍ଷମଣୀୟ ଅପରାଧ କରିଛ ।” ତା’ପରେ ରାଜା ସେହି ଦୁଇ ବ୍ୟକ୍ତିଙ୍କୁ କହିଲେ, “ଏହି ଯୁବକର ଅପରାଧ ସଂପର୍କରେ ପ୍ରଜାଙ୍କୁ ସବୁ ବୁଝାଇ ଦିଅ । ତା’ପରେ ତାକୁ ନେଇ ଭାଲୁମାନଙ୍କ ଦ୍ୱାରା ପୂର୍ଣ୍ଣ ଜଙ୍ଗଲରେ ଛାଡିଦେଇ ଆସ ।”

ରାଜାଙ୍କ ଜାତିର ଲୋକମାନେ ଯେଉଁଠି ରହୁଥିଲେ ସେହି ପାହାଡର ପଛପଟରେ ଥିବା ଜଙ୍ଗଲରେ ଅନ୍ୟ ଏକ ଜଙ୍ଗଲି ଜାତିର ଲୋକ ରହୁଥିଲେ । ସେମାନଙ୍କ ନେତାର ନାମ ଥିଲା ବେଗମଲ୍ଲ । ରାଜାଙ୍କ ବାସସ୍ଥାନ ସେମାନଙ୍କୁ ବହୁତ ଭଲ ଲାଗୁଥାଏ । ସେଠାରେ ବହୁତ ଜଡିବୁଟି ଗଛ ମିଳୁଥାଏ ଓ ଶିକାର ଦ୍ୱାରା ବାଘଭାଲୁଙ୍କ ଛାଲ, ହାତୀଦାନ୍ତ ସବୁ ମିଳୁଥାଏ ।

ଦିନେ ସୂର୍ଯ୍ୟାସ୍ତ ସମୟରେ ବେଗମଲ୍ଲ ତାଙ୍କର ସମସ୍ତ ସୈନ୍ୟ ନେଇ ହଠାତ୍ ରାଜା ଭଟ୍ଟଲୋଲ୍ଲଟଙ୍କ ରାଜ୍ୟକୁ ଆକ୍ରମଣ କଲା । କିନ୍ତୁ ରାଜା ଭଟ୍ଟଲୋଲ୍ଲଟ ବହୁତ ସାବଧାନ ଥିଲେ; ତେଣୁ ସାହସର ସହିତ ଯୁଦ୍ଧ କରି ବେଗମଲ୍ଲଙ୍କୁ ସେ ବନ୍ଦୀ କଲେ । ବେଗମଲ୍ଲକୁ ଏହି ସର୍ତ୍ତରେ ଛାଡି ଦିଆଗଲା ଯେ ସେ ଏଣିକି ବରାବର ବନ୍ଧୁ ହୋଇ ରହିବ । ଆଉ ତାଙ୍କ ରାଜ୍ୟଟି ଭଟ୍ଟଲୋଲ୍ଲଟଙ୍କ ଅଧୀନରେ ରହିବ ।

କିଛି ଗ୍ରାମ ଓ କିଛି ମୂଲ୍ୟବାନ୍ ଜିନିଷ ମଧ୍ୟ ଭେଟି ଦେବାକୁ ବେଗମଲ୍ଲ କହିଲା । ତା’ପରେ ତାକୁ ମୁକ୍ତି କରି ଦିଆଗଲା ।

ଏ ଘଟଣା ପରେ ରାଜା, ବେଗମଲ୍ଲର ସୈନ୍ୟ ଓ ନିଜ ସୈନ୍ୟଙ୍କୁ ନେଇ ଅନେକ ଛୋଟ ଛୋଟ ଜଙ୍ଗଲ ରାଜ୍ୟ ଦଖଲ କଲେ । ତା’ପରେ ବୈଶାଳୀ ରାଜାଙ୍କ ପାଖକୁ ଯାହା ପଠା ହେଉଥିଲା ସେସବୁ ମଧ୍ୟ ବନ୍ଦ କରି ଦିଆଗଲା ।

ଏ ଘଟଣାରେ ବୈଶାଳୀ ରାଜା ଭୀଷଣ ରାଗି ଯାଇ ଭଟ୍ଟଲୋଲ୍ଲଟଙ୍କ ରାଜ୍ୟ ଆକ୍ରମଣ କଲେ । ବୈଶାଳୀ ରାଜାଙ୍କର ଅଧିକ ସୈନ୍ୟ ଥିଲେ ମଧ୍ୟ ଜଙ୍ଗଲୀ ଯୁଦ୍ଧର ରୀତି ବିଷୟରେ ତାଙ୍କର ଆଦୌ ଜ୍ଞାନ ନଥିଲା । ଜଙ୍ଗଲୀ ସୈନ୍ୟମାନେ ବଡ ଗଛ, ପାହାଡ ଓ ପଥର ସନ୍ଧିମାନଙ୍କରେ ରହି ବର୍ଚ୍ଛା, ବିଷଲଗା ତୀର ମାରି ନଗରର ସୈନ୍ୟମାନଙ୍କୁ ମାରି ପକାଇଲେ । ଆଖି ଆଗରେ ଏତେଗୁଡିଏ ସୈନ୍ୟ ମରିଯିବାର ଦେଖି ଅବଶିଷ୍ଟ ସୈନ୍ୟମାନେ ଫେରି ପଳାଇଲେ । ତା’ପରେ ଭଟ୍ଟଲୋଲ୍ଲଟଙ୍କର ଓ ବୈଶାଳୀ ରାଜାଙ୍କର ଦ୍ୱନ୍ଦଯୁଦ୍ଧ ହେଲା ଓ ଯୁଦ୍ଧରେ ସେ ବୈଶାଳୀ ରାଜାଙ୍କୁ ହରାଇ ନିଜେ ବୈଶାଳୀର ରାଜା ହେଲେ । ତା’ପରେ ରାଜା ସୈନ୍ୟମାନଙ୍କୁ ପୁରସ୍କାର ଓ ଉଚ୍ଚ ପଦବୀସବୁ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ