ଅନେକ ଦିନ ପରେ; ଦିନେ ରାଜା ଦରବାରରେ ବସିଛନ୍ତି । ସେହି ସମୟରେ କେତେକ ନାଗରିକ ଜଣେ ଯୁବକଙ୍କୁ ଧରି ଆଣି ରାଜାଙ୍କ ଦରବାରରେ ପହଁଚାଇଲେ ଓ କହିଲେ, “ରାଜନ୍, ଏ ଯୁବକ ଆମ ଜାତିର ପ୍ରଥା ବିରୁଦ୍ଧରେ ଯାଇଛି । ସେ ଆମ ଜାତିର ଝିଅଟିକୁ ବିବାହ କରିବା ପାଇଁ ପସନ୍ଦ କଲା । ହେଲେ ଆମମାନଙ୍କୁ କିଛି ବି ନକହି ସେ ଲୁଚି ଲୁଚି ଝିଅଟିକୁ ଧରି ପଳାଉଥିଲା । ଆପଣ ଏହାକୁ ଯଥୋଚିତ ଦଣ୍ଡ ଦିଅନ୍ତୁ ।”
ତା’ପରେ ସେ ରାଜା ଏହି ବିଷୟରେ କିଛି ସମୟ ଭାବିଲେ । ତା’ପରେ ଝିଅଟିକୁ ଡାକି ଆଣି ନିଜର ଉପସ୍ଥିତିରେ ଦୁହିଁଙ୍କର ବିବାହର କରାଇଲେ । ତା’ପରେ ରାଜା ଘୋଷଣା କଲେ କି ସେହିଦିନଠାରୁ ଏକ ନୂଆ ରୀତି ଚଳିଲା ଯେ ଜଙ୍ଗଲ ଜାତି ଓ ନାଗରିକମାନଙ୍କ ମଧ୍ୟରେ ବିବାହ ହୋଇପାରିବ । ଏ ଘୋଷଣା ଶୁଣି କେତେକ ଜଙ୍ଗଲି ଲୋକ ବିଦ୍ରୋହ କଲେ । ସେମାନେ କହିଲେ କି ଜଙ୍ଗଲ ଜାତିର ପ୍ରଥା ଉପରେ ଏହା ଏକ କରାଘାତ ପରି ହେଲା । ବିଦ୍ରୋହୀ ଦଳରେ ଅନେକ ଯୋଗ ଦେଲେ । ସେମାନଙ୍କର ନେତା ଥିଲା ରାଜାଙ୍କ କକାପୁଅ ଭାଇ ଗଙ୍ଗାଧର ।
ଯୁଦ୍ଧ ହେବା ଆଗରୁ ସେନାଧ୍ୟକ୍ଷ ରାଜାଙ୍କୁ କହିଲେ, “ମହାରାଜ, ଆମେ ଯେଉଁମାନଙ୍କ ସହ ଯୁଦ୍ଧ କରିବା ସେମାନେ ଆମରି ଜାତିର ଲୋକ ପୁଣି ତାଙ୍କର ନେତା ଆପଣଙ୍କ ଖୋଦ୍ ନିଜ ଭାଇ । ଯୁଦ୍ଧ ନକରି ସନ୍ଧି କଲେ ତ ଭାରି ଭଲ ହୁଅନ୍ତା । ଏପରି କଲେ ଦୁଇପଟ ଜନକ୍ଷୟରୁ ରକ୍ଷା ପାଇଯା’ନ୍ତେ ।”
ଏକଥା ଶୁଣି ସେ ରାଜା ହଠାତ କ୍ରୋଧରେ ଲାଲ୍ ହୋଇଗଲେ ଓ ନିଜର ସୈନ୍ୟମାନଙ୍କୁ ନେଇ ବିଳମ୍ବ ନ କରି ଶତ୍ରୁ ଲୋକମାନଙ୍କୁ ଆକ୍ରମଣ କରି ସମସ୍ତିଙ୍କୁ ମାରି ପକାଇଲେ ।”
କାହାଣୀଟି କହିସାରି ବେତାଳ କହିଲା, “ରାଜନ୍, ଭଟ୍ଟଲୋଲ୍ଲଟ ତାଙ୍କ ଜଙ୍ଗଲି ଲୋକଙ୍କର ଉନ୍ନତି ଚାହୁଁଥିଲେ । ଜଣେ ଜାତିର ପ୍ରଥା ବିରୁଦ୍ଧରେ ଯାଇ ଠେକୁଆ ମାଂସ ଖାଇବାରୁ ତାକୁ ଭାଲୁମାନଙ୍କ ଜଙ୍ଗଲକୁ ପଠାଇ ମରାଇ ଦେଲେ । ଅଥଚ ନଗର ଲୋକ ଓ ଜଙ୍ଗଲୀ ଲୋକଙ୍କ ବିବାହ ହେବାର ନୂତନ ପ୍ରଥା ଘୋଷଣା କରିବା ଦ୍ୱାରା କେତେଜଣ ବିରୋଧ କରିବାରୁ ସମସ୍ତିଙ୍କି ମାରି ପକାଇଲେ । ରାଜା ଏପରି କାହିଁକି କଲେ? ଯଦି ମୋର ଏହି ପ୍ରଶ୍ନର ଉତ୍ତର ଜାଣି ମଧ୍ୟ ତୁମେ କିଛି ନ କୁହ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”
ତହୁଁ ରାଜା ବିକ୍ରମ କହିଲେ, “ବେତାଳ, ଆଚାର ବ୍ୟବହାର ଓ ସଂପ୍ରଦାୟ କେତେକ ଜାତିର ଲୋକମାନଙ୍କ ମଧ୍ୟରେ ସୀମିତ । ତେଣୁ ଠେକୁଆ ମାଂସ ଖାଇଥିବା ଲୋକକୁ ସେ ଦଣ୍ଡ ଦେଲେ । ପରେ ସେ ନିଜେ ବୈଶାଳୀର ରାଜା ହେଲେ । ଏବେ ସେ ଆଉ ଏକ ନିର୍ଦ୍ଦିଷ୍ଟ ଜାତିର ନେତା ନୁହଁନ୍ତି । ତେଣୁ ପ୍ରଥା, ରୀତି, ଧର୍ମ ଇତ୍ୟାଦିର ଉପରକୁ ଯାଇ ନ୍ୟାୟ ବିଚାର କରିବା ତାଙ୍କର କର୍ତ୍ତବ୍ୟ ହୋଇ ଉଠିଲା । ନିଜ ଜାତିକୁ ଖୁସି କରିବାକୁ କୌଣସି ନାଗରିକକୁ ଦଣ୍ଡ ଦେବା ଉଚିତ୍ ନଥିଲା । ତେଣୁ ସେ ସମଗ୍ର ମାନବ ସମାଜକୁ ଏକ ଭାବରେ ଦେଖିବା ଦ୍ୱାରା ନଗରର ଯୁବକ ଓ ଜଙ୍ଗଲୀ ଝିଅକୁ ବିବାହ ଦେଲେ । ତେଣୁ ଦରକାର ପଡିବାରୁ ନିଜ ଜାତିର ଲୋକଙ୍କୁ ଓ ବନ୍ଧୁବାନ୍ଧବଙ୍କୁ ଯୁଦ୍ଧରେ ତାଙ୍କୁ ମାରି ଦେବାକୁ ପଡିଲା । କାରଣ ରାଜା ଭାବରେ ତାଙ୍କର ତାହାହିଁ କର୍ତ୍ତବ୍ୟ ଥିଲା । ଏସବୁ ନିଜର ରାଜ୍ୟର ସୁରକ୍ଷା ପାଇଁ ହେଲା । ତେଣୁ ସେ ଯାହା କିଛି ବି କଲେ ତାହା ଅନୁଚିତ ନଥିଲା ।”ଏପରି ଉତ୍ତର ଦେବାରୁ ରାଜାଙ୍କ ମୌନଭଙ୍ଗ ହେଲା । ଶବସ୍ଥିତ ବେତାଳ ଶବ ସହ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେହି ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।