ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭଲପାଠ ପଢେନି ବୋଲି ଘରୁ ତଡା ଖାଇଥିବା ପିଲାଟି ବିଶ୍ୱରେ ନାଆଁ ରଖିଲା

                ସେହି ପିଲାଟି ଥରେ ଛୁଟିରେ ତା’ର ଘରକୁ ଆସିଥାଏ । ସେକାଳର ଗାଁମାନଙ୍କରେ ଘରଗୁଡିକ ଆଜିକାଲିର ଘରଠାରୁ ପୃଥକ । ଘରଗୁଡିକ ଝାଟିମାଟିର କଚ୍ଚା ଘର ଥିଲା । ଘରର ଚଟାଣ ଓ କାନ୍ଥବାଡ ଗୋବର ଏବଂ ରଙ୍ଗମାଟି ଆଦିରେ ଲିପାପୋଛା କରାଯାଇଥାଏ । ପର୍ବପର୍ବାଣିରେ ସୁନ୍ଦର ସୁନ୍ଦର ଝୋଟି ଆଙ୍କି ଦେଲେ ଅତ୍ୟନ୍ତ ଚିତାକର୍ଷକ ହୋଇଥାଏ । ଗାଁର ସ୍ତ୍ରୀଲୋକମାନେ ନିଜ ନିଜ ଘରକୁ ଏହିଭଳି ଆକର୍ଷିତ କରିବାଲାଗି ପ୍ରତିଯୋଗିତା କରୁଥିଲା ଭଳି ମନେ ହୁଏ ।

                ପିଲାଟିର ମାଆ ବି ଆଗକୁ ମାଣବସା ଆସୁଥିବାରୁ ଘରକୁ ଲିପି ପୋଛି ରଖିଥାନ୍ତି ଚିତା ପକାଇବା ଲକ୍ଷ୍ୟରେ । ମାତ୍ର ସେ ପିଲାଟିକୁ ଏତେ କଥା ଆଉ ଜଣା ନଥିଲା, ସେ ଚିତ୍ରକଳା ଉପରେ ନିଜର ପ୍ରତିଭା ବାପାମାଆଙ୍କୁ ଦେଖାଇ ବାହାବା ନେବବୋଲି ମନେ ମନେ ଠିକ୍ କଲା । ତେଣୁ ତା’ବାପାମାଆଙ୍କର ଘରେ ଅନୁପସ୍ଥିତ ବେଳେ ଚୁଲିରୁ କାଠ କୋଇଲା (ଅଙ୍ଗାର) ସଂଗ୍ରହ କରି ସେ ଘରର କାନ୍ଥବାଡରେ ସୁନ୍ଦର ସୁନ୍ଦର ଛବି ଆଙ୍କି ବସିଲା । ଚାହୁଁ ଚାହୁଁ ସେ ଘରଟା ସାରା ଛବିରେ ପୂର୍ଣ୍ଣ ହୋଇଗଲାଣି, ତଥାପି ବି ତା’ର ଛବି ଅଙ୍କା ଆଦୌ ସରୁନି, ଖୁସିରେ ଖାଲି ସେ ଆଙ୍କି ଚାଲିଛି ।

                ଠିକ୍ ଏତିକିବେଳେ ତା’ ମାଆ ଆସି ଦେଖିଲେ, ତାଙ୍କ ପରିଶ୍ରମ ସବୁ ବେକାର ହୋଇଯାଇଛି । ଏତେ ସୁନ୍ଦର ଲିପାପୋଛା କାନ୍ଥ କଳାଗାରରେ ଭର୍ତ୍ତି ହୋଇଯାଇଛି, ଯାହା କି ଗୋଟେ ଅଶୁଭ ଲକ୍ଷଣ । ଏହା ଦେଖି ତା ମାଆ ଭୀଷଣ କ୍ରୋଧାନ୍ୱିତ ହୋଇ ପୁଅ ଉପରେ ଖାଲି ଗାଳି ବର୍ଷଣ କରିବାକୁ ଲାଗିଲେ । ମାଆ ପୁଅକୁ ସାବାସି ଦେବା ପରିବର୍ତ୍ତେ କହିଲେ, “ଆରେ ଦୁଷ୍ଟ, ତୋ’ ଦ୍ୱାରା ତ ପାଠ ହେଲାନି, ଏଭଳି ଦୁଷ୍ଟାମୀ କଲେ ତୁ କି’ ଆଉ ଭଲ ମଣିଷ ହେବୁ? ତୋ’ଭଳି ମୂର୍ଖ ପୁଅ ମୋର ଆଦୌ ଲୋଡା ନାହିଁ, ତେଣୁ ତୁ ଏହିକ୍ଷଣି ମୋ’ଘର ଛାଡି ଚାଲିଯା” ।

ବାସ୍, ମାଆଙ୍କର ଏତିକି କଥାରେ ସେଦିନ ରାତିଅଧରେ ପୁଅ ଘରୁ ଲୁଚି ଚାଲିଗଲାଯେ, ଭଲ ମଣିଷଟେ ନ ହେବା ଯାଏଁ ସେ ଆଉ ତା’ ଘରକୁ ଫେରିବ ନାହିଁ ବୋଲି ମନେ ମନେ ଶପଥ କରିନେଲା । ତା’ପରେ ସେ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ସ୍ଥାପିତ ଶାନ୍ତିନିକେତନଠାରେ ଯାଇ ପହଁଚିଗଲା । ସେଠାରେ ଚିତ୍ରକଳା ଉପରେ ପାଠପଢି ସେ ଅତି ସଫଳତାର ସହିତ ସର୍ବୋଚ୍ଚ ଡିଗ୍ରୀ ଧାରଣ କରି ଫେରିଲା ନିଜ ଗାଁକୁ ।

ପରବର୍ତ୍ତୀକାଳରେ ଇଣ୍ଡିଆ ସରକାରଙ୍କ ଦ୍ୱାରା ‘ପଦ୍ମଶ୍ରୀ’ ଏବଂ ବିହାର ସରକାରଙ୍କ ପ୍ରଦତ୍ତ ‘ବିଦ୍ୟାବାରିଧି’ ଉପାଧିରେ ଭୂଷିତ ହୋଇ ଦେଶବିଦେଶରେ ନାଁ ରଖିଥିବା ସେଇ ପିଲାଟିର ନାଁ ଥିଲା ଉପେନ୍ଦ୍ର ମହାରଥି । ତାଙ୍କର ଜନ୍ମସ୍ଥାନ ଥିଲା ଅଧୁନା ଖୋରଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ