ପାଠପଢା ଶେଷ ହେଲାପରେ ଶ୍ରୀ ମହାରଥୀ ବିହାର ରାଜ୍ୟ ସରକାରଙ୍କ ଅଧୀନରେ କର୍ମସଂସ୍ଥାନରେ ଯୋଗ ଦେଇ ଅବସର ଗ୍ରହଣ କରିଥିଲେ ଶିଳ୍ପ ବିଭାଗ ନିର୍ଦେଶକ ପଦବୀରୁ । ଅବସର ପରେ ସେ ବିହାର ରାଜ୍ୟରୁ ରାଜ୍ୟସଭାକୁ ମନୋନୀତ ହୋଇ ସୂଚାରୁରୂପେ କାର୍ଯ୍ୟ ସଂପାଦନ କରିପାରିଥିଲେ ।
ସେହି ଅଭୁଲା ବ୍ୟକ୍ତିତ୍ୱଙ୍କର ସ୍ୱହସ୍ତ ଅଙ୍କିତ ଚାରୁକାରୁକଳାର ନିଦର୍ଶନ ସ୍ୱରୂପ ଆଜି ଦିଲ୍ଲୀର ପାର୍ଲିଆମେଂଟ ଭବନରେ ଟଙ୍ଗାହୋଇଥିବା ତୈଳ ଚିତ୍ରଗୁଡିକ ଆଜି ବି ଦେଖଣାହାରୀଙ୍କ ମନ ମୋହିନେଉଛି ।
କେବଳ ସେତିକି ନୁହେଁ; ଏକଦା ଶ୍ରୀ ମହାରଥୀ ବୌଦ୍ଧଧର୍ମ ଗ୍ରହଣ କରିବା ସହିତ ଇଣ୍ଡିଆ ବୌଦ୍ଧସଂଘର ସଭାପତି ଥାଇ ଜାପାନ ଗସ୍ତରେ ସେ ଯାଇଥିଲେ । ତାଙ୍କର ଗସ୍ତକାଳରେ ସେ ଆମ ଓଡିଶା ପାଇଁ ଦୁଇଟି ଅମୂଲ୍ୟ ସମ୍ପଦ ହାସଲ କରିପାରିଥିଲେ । ସେଥିରୁ ଗୋଟିଏ ହେଲା- ବେତ ବାଉଁଶର କାରିଗରୀ ବିଦ୍ୟା ଓ ଅନ୍ୟଟି ଧଉଳିଗିରିର ଶାନ୍ତିସ୍ତୂପ ।
ଶ୍ରୀ ମହାରଥୀ ଓଡିଶା ଓ ଜାପାନ ସରକାରଙ୍କ ସମନ୍ୱୟରେ ନିଜ ଜନ୍ମସ୍ଥାନ ନରେନ୍ଦ୍ରପୁରଠାରେ ବେତ-ବାଉଁଶ ଶିଳ୍ପ ତାଲିମ କେନ୍ଦ୍ର ସ୍ଥାପନ କରି ଜାପାନର କୁଶଳୀ କାରିଗରମାନଙ୍କୁ ଆଣି ସ୍ଥାନୀୟ ପିଲାମାନଙ୍କୁ ତାଲିମପ୍ରଦାନ ବ୍ୟବସ୍ଥା କରିଥିଲେ । ପରବର୍ତ୍ତୀକାଳରେ ସେହି ଅନୁଷ୍ଠାନକୁ ଅନୁକରଣ କରି ବାଣପୁର ଅଂଚଳର ଗାଁ ଗାଁରେ ବେସରକାରୀ ଅନୁଷ୍ଠାନମାନ ଗଢି ଉଠିଥିଲା । ସେହି ସବୁ ଅନୁଷ୍ଠାନ ମାନଙ୍କରେ ଶହ ଶହ ପିଲା କାମ ଶିଖି ଆଜି ବି ସେମାନଙ୍କର ଜୀବିକା ନିର୍ବାହ କରୁଛନ୍ତି । ବାଣପୁରର ବେତ, ବାଉଁଶ ଶିଳ୍ପ ଏବେ ଦେଶ ବିଦେଶରେ ଖୁବ୍ ଆଦର ଲାଭ କରିଛି । ବାଣପୁରକୁ ଆସୁଥିବା ପର୍ଯ୍ୟଟକମାନେ ବାଣପୁର ବଜାରରେ ଥିବା ବେତବାଉଁଶର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କାରିଗରୀ ବିଦ୍ୟାକୁ ଦେଖି ବିମୋହିତ ହୋଇଯାଉଛନ୍ତି । ମୋଟ ଉପରେ କହିବାକୁ ଗଲେ, ବାଣପୁର ବେତଶିଳ୍ପରେ ନାଆଁ କରିଥିବା ମୂଳରେ ଥିଲେ- ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀ ।
ଶ୍ରୀ ମହାରଥୀଙ୍କର ଆମ ଓଡିଶା ପାଇଁ ଦ୍ୱିତୀୟ ଅବଦାନ ହେଲା – ଧଉଳିଗିରିର ଶାନ୍ତିସ୍ତୂପ । ଏହା ଜାପାନ ସରକାରଙ୍କ ଦ୍ୱାରା ନିର୍ମିତ ହୋଇ ବୌଦ୍ଧଧର୍ମର ମହାତ୍ମ୍ୟ ପ୍ରଚାର କରୁଥିବା ବେଳେ ଆମ ଇଣ୍ଡିଆ ଓ ଜାପାନ ଭିତରେ ସମ୍ପର୍କର ସେତୁ ପାଲଟି ଯାଇଛି ।
କଳିଙ୍ଗ ଯୁଦ୍ଧ ସମୟରେ ହୋଇଥିବା ଯୁଦ୍ଧର ଭୟାବହତା ଏବଂ ରକ୍ତପାତ ଦେଖି ଚଣ୍ଡାଶୋକ କିପରି ଧର୍ମାଶୋକରେ ପରିଣତ ହୋଇଥିଲେ ଓ ଧରିଥିବା ଅସ୍ତ୍ରକୁ ଫିଙ୍ଗିଦେଇ ବୌଦ୍ଧଧର୍ମ ଗ୍ରହଣ କରିଥିଲେ, ତା’ର ସର୍ବଶେଷ ବିବରଣୀ ଜାପାନର ବୌଦ୍ଧସଂଘ ସଭାପତି କାନରେ ପକାଇ ଧଉଳିଗିରିରେ ଏହି ଶାନ୍ତିସ୍ତୂପର ପରିକଳ୍ପନା କରିପାରିଥିଲେ ଶ୍ରୀ ମହାରଥୀ । ସେହି ଆଲୋଚନା କେବଳ କଥାରେ ସୀମିତ ନରହି, ପରବର୍ତ୍ତୀ କାଳରେ ବାସ୍ତବକ୍ଷେତ୍ରରେ ଧଉଳି ଶାନ୍ତିସ୍ତୂପ ରୂପରେ ମୁଣ୍ଡଟେକି ଠିଆ ହୋଇ ଆଜି ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ପାରିଛି ।
ତେବେ କଥା ଏଇଠି ସରିନି । ଶାନ୍ତିସ୍ତୂପକୁ ପ୍ରବେଶ କଲାବେଳେ ପାହାଡର ପାଦଦେଶରେ ଥିବା ଜାପାନୀ ବୌଦ୍ଧଭିକ୍ଷୁଙ୍କର ପ୍ରାର୍ଥନାଗୃହରେ ଯେଉଁ ବିରାଟ ବୌଦ୍ଧମୂର୍ତ୍ତି ପୂଜାପାଉଛନ୍ତି, ତାହା ହେଉଛି ମହାରଥୀଙ୍କର ସ୍ୱହସ୍ତ କୃତୀ ।
ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀଙ୍କ ଜୀବନରେ ଏହିଭଳି ସଫଳତା ପରେ ସଫଳତା ତାଙ୍କର କଠୋରସାଧନାର ଫଳ ନୁହେଁକି?