ଆଜିକାଲି ଘରବର ଦେଖା କୁଣିଆ ଆଗକାଳପରି ଜମିବାଡି କେତେ କ’ଣ ଅଛି ପଚାରୁ ନାହାଁନ୍ତି, କି ବାଡିପଟ ପାଳଗଦାର ଉଚ୍ଚତା ମାପୁ ନାହଁନ୍ତି କି ଗୁହାଳର ଗୋରୁ ଖୁଂଟ ଗଣୁ ନାହାଁନ୍ତି । ସେମାନେ ଦାଣ୍ଡର କୁଣିଆ ଦାଣ୍ଡରୁ ଆସିଲେ, ଦାଣ୍ଡ ଘରେ ବସିଲେ, ଜ୍ୱାଇଁ କ’ଣ କରୁଛି? ଚାକିରି କରିଛି ନା ବ୍ୟବସାୟ କରୁଛି? ପଚରା ଉଚରା କଲେ । ଜ୍ୱାଇଁର ରୂପ ଦେଖିଲେ, ଗୁଣ ଦେଖିଲେ, ଜ୍ୱାଇଁ ମୁଲଚାଲ କଲେ, ଯଦି ଜ୍ୱାଇଁ କିଣିବାକୁ ସମର୍ଥ ଅର୍ଥାତ୍ ଯୌତୁକ ଦେଇପାରିଲେ ତେବେ ବସିଲେ, ନାହିଁତ ଦାଣ୍ଡର କୁଣିଆ ପୁଣି ସେହି ଦାଣ୍ଡେ ଦାଣ୍ଡେ ଖସିଲେ ।
ସୁବର୍ଣ୍ଣପୁର ଗାଆଁର ଶ୍ରୀକାନ୍ତ ମିଶ୍ର । ଉଚ୍ଚ ଶିକ୍ଷିତ । ସଳଖ ସୁନ୍ଦର ଭେଣ୍ଡିଆ ଯୁବକ । ଶ୍ରୀକାନ୍ତ ମିଶ୍ରକୁ ଦେଖିବାକୁ ସେଦିନ ଘର ବର ଦେଖା କୁଣିଆ ଆସି ତାଙ୍କ ଦାଣ୍ଡ ଘରେ ବସି ଥାଆନ୍ତି । ଶ୍ରୀକାନ୍ତ ମିଶ୍ରଙ୍କ ମନଟା ଖାଲି ଛନଛନ, କନକନ, ମନରେ ଏତେ ଆନନ୍ଦ ଯେ, କହିଲେ ନସରେ । ମନେ ମନେ କୃଷ୍ଣ ହସ ହସୁ ଥାଆନ୍ତି । ଆପଣା ଇଚ୍ଛାରେ ହସ ବାହାରି ପଡୁଥାଏ । ସତିକା ସେ ଶ୍ରୀକାନ୍ତକୁ ସ୍ୱୟଂ ଷଠୀ ଦେବୀ ଏମିତି ହସାଉଛନ୍ତି । ତେଣେ ଆଉ ଏକ ଘର କୋଠରିରେ ଶ୍ରୀକାନ୍ତ ମିଶ୍ରଙ୍କ ବାପା ଦିନା ମିଶ୍ର ଓ ମାଆ ମିନାକ୍ଷୀଙ୍କର ଫୁସୁରଫାସର ଗପସପ । ଶ୍ରୀକାନ୍ତ ମିଶ୍ରଙ୍କ ମାଆ ମିନାକ୍ଷୀ ଦିନା ମିଶ୍ରଙ୍କୁ କହୁ ଥାଆନ୍ତି ଆଗୋ ଶୁଭୁଛିନା, ତମେ ଜିଦ୍ ଧରିବ, ଦଶଭରି ସୁନା ତିରିଶ ହଜାର ଟଙ୍କା । ଆଉ ଟଙ୍କା ଯଦି ନ ଦେବେ ଆଗୋ ଶୁଭୁଛିନା, କହିବ ଫଟ୍ଫଟିଆ ଗାଡି, କ’ଣ ସେ ଗାଡିଟାମ ଇସ୍କୁଟର ଗାଡି,ଦିନା ମିଶ୍ର ଚିଡି ଚିଡି ହୋଇ କହିଲେ ନା – ନା ମିନାକ୍ଷୀ, ମୁଁ ଏତେ ଫରମାସି ଆଦୌ କରିପାରିବିନି । ଏ ଦର କଷାକଷିକି ମୁଁ ଯମା ପାରିବିନି । ସେଇଠୁ ମିନାକ୍ଷୀ କହିଲେ ବଳଦ ତମର ଅର୍ଥାତ୍ ପୁଅ ତମର, ତମେ କହିବନି ତ ଆଉ କିଏ କହିବ? ତହୁଁ ସେ ଦିନା ମିଶ୍ର କହିଲେ ନା, ନା ସାତ ପୁରୁଷକୁ ବନ୍ଧୁ ବାନ୍ଧିବି କୋଉ ମୁହଁରେ ଏସବୁ କହିବି – ମୁଁ କ’ଣ ସେମାନଙ୍କ ନିକଟରେ ଅଳି କରିବି ୟା ନ ହେଲେ ହବନି, ତା’ନ ଦେଲେ ହବନି । ଜାତିରେ ବ୍ରାହ୍ମଣ ହୋଇ ତଥାପି ମୁଁ ନିର୍ଲୋଭୀ । ତେଣୁ ଏ ଗାଆଁରେ ସମସ୍ତେ ଦିନା ମିଶ୍ରକୁ ନିର୍ଲୋଭୀ କହନ୍ତି । ଆଉ କେହି କେହି ମୋତେ ଦାନବୀର ହରିଶ୍ଚନ୍ଦ୍ର ବୋଲି ମଧ୍ୟ କହନ୍ତି । ମୁଁ ପୁଣି ଯୌତୁକପାଇଁ ଅଳି କରିବି ।