ଶ୍ରୀକାନ୍ତ ମିଶ୍ର ତ ଏସବୁ ଶୁଣୁଥିଲେ । ହଠାତ୍ ବାପାଙ୍କ ସମର୍ଥକ ଭାବରେ ବାହାରି ପଡିଲେ । କହିଲେ – ହଁ ବାପା, ଆମର ଯୌତୁକ ଫୌତୁକ ଆଦୌ ଦରକାର ନାହିଁ । ଆପଣଙ୍କର ଯୋଗ୍ୟ ପୁଅ ହିସାବରେ ମୁଁ ବିନା ଯୌତୁକରେ ବିବାହ କରିବି । ଏତିକି ଶୁଣି ପ୍ରସ୍ତାବକ ଅର୍ଥାତ୍ ମଧ୍ୟସ୍ଥି କହିଲେ ସାବାସ୍ ଶ୍ରୀକାନ୍ତ ସାବାସ୍ । ଏତିକି କହି ମଧ୍ୟସ୍ଥି ସେଠାରୁ ବାହାରି ଆସିଲେ । ଶ୍ରୀକାନ୍ତ ମିଶ୍ର ଏଥର ଫୁଲେଇ ହେଇ କହିଲେ ନା- ଆମର ଯୌତୁକ ମୋଟେ ଦରକାର ନାହିଁ । ଠିକ୍ ସେତିକିବେଳେ ଶ୍ରୀକାନ୍ତ ମିଶ୍ରଙ୍କ ବୁଢୀ ମାଆ କହିଲେ, ଆରେ ଶ୍ରୀକାନ୍ତ ବାହା ହେବାପାଇଁ ଏମିତି ହଉଛୁ ଏ ଯୁଗରେ ସବୁ ପଛ ଯୌତୁକଟା ପରା ଆଗ ଛିଃ, ଛିଃ, ଏଡିକି ନିର୍ଲଜ ତୁ ବାପାଙ୍କ ଆଗରେ ବି କହୁଛୁ ଆମର ଯୌତୁକ ଲୋଡା ନାହିଁ । ଏକଥା ଶୁଣି ଶ୍ରୀକାନ୍ତ ମିଶ୍ର ଚୁପ୍ ରହିଲେ, କ’ଣ ଆଉ ବୁଝେଇବେ ସେପଟେ ଦେଖିଲେ ଭଉଣୀ କହୁଛି ବାପା, ସେମାନଙ୍କୁ କହିବ ସେମାନେ ଆଉ ଯାହା ଦିଅନ୍ତୁ କି ନ ଦିଅନ୍ତୁ ଭାଇକୁ ଯେମିତି ସ୍କୁଟରଟା ନିଶ୍ଚୟ ଦେବେ । ଏକଥା ଶୁଣି ଶ୍ରୀକାନ୍ତ ମିଶ୍ରର ହଠାତ୍ ମନେ ପଡିଲା ମାସେ ଦି’ ମାସ ତଳେ ବୋଉ ତାଙ୍କର ସାନ ଭଉଣୀକି କହୁଥିଲା, ଭାଇ ଯେଉଁ ସ୍କୁଟରଟା ଆଣିବ, ସେଇଟା ତୋ ବରକୁ ଦିଆଯିବ । ଯାହାହେଉ, ସେମାନେ ରାଜି ହେଲେ । ସୁନା ଦଶଭରି ଦେବେ, ସ୍କୁଟରଗାଡି ବି ଦେବେ । ତା’ପରେ ସବୁକଥା ମୀମାଂସା ହୋଇଗଲା । ପୁରୋହିତ “ଯଥା – ରାବଣସ୍ୟ ମନ୍ଦୋଦରୀ ଯଥା – ଧୃତିରାଷ୍ଟ୍ରସ୍ୟ ଗାନ୍ଧାରୀ ଯଥା ନଳସ୍ୟ ଦମୟନ୍ତୀ ତଥା – ଶ୍ରୀକାନ୍ତସ୍ୟ ସ୍ୱର୍ଣ୍ଣଲତା ମନ୍ତ୍ର ଉଚ୍ଚାରଣ କରି ଅଗ୍ନିକୁ ସାକ୍ଷୀରଖି ଶ୍ରୀକାନ୍ତ ମିଶ୍ରଙ୍କ ସହିତ ସ୍ୱର୍ଣ୍ଣଲତା ନାମ୍ନୀ କନ୍ୟାରତ୍ନକୁ ବିବାହ କରିଦେଲେ । ବାହାଘର ପରେ ସ୍ୱର୍ଣ୍ଣଲତା ଜାଣିଲେ ଯେ ବର ତାଙ୍କର ଏକ ପ୍ରାଇଭେଟ୍ କଲେଜରେ ଅଧ୍ୟାପକ । ଏମ୍.ଏ.ରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପାଂଚ ବର୍ଷ ତଳେ ଚାଳିଶି ହଜାର ଟଙ୍କା ଦେଇ ଅଧ୍ୟାପକ ହୋଇଛନ୍ତି । ମାସକୁ ଦରମା ମାତ୍ର ଚାରି ଶହ ଟଙ୍କା । ଏଣେ ସେ ସ୍ୱର୍ଣ୍ଣଲତାର ଦୁନିଆ ଫରମାସୀ ଶାଢି କିଣା, ଚୂଡି କିଣା, ଗହଣା ଗଢା, କୁକୁଡା ମୋଡା, କାଶ୍ମୀର ଯିବା, ଦାର୍ଜିଲିଂ ଯିବା, ପୁରୀ ଯିବା, କୋଣାର୍କ ଯିବା ଇତ୍ୟାଦି ଇତ୍ୟାଦି । ଖାଇବା, ନାଇବା, ପିନ୍ଧିବା, ବୁଲାବୁଲି କରିବା । ଏସବୁ ଦାବିରୁ କୌଣସି ଦାବିକୁ ରକ୍ଷା କରିବା ଭଳି ସାମର୍ଥ୍ୟ ନାହିଁ ଅଧ୍ୟାପକ ଶ୍ରୀକାନ୍ତ ମିଶ୍ରଙ୍କର । ପ୍ରାଇଭେଟ କଲେଜ ଅଧ୍ୟାପକ ଆଗେ ସାଇକେଲ ଚଢି କଲେଜ ଯାଉଥିଲେ, ଆଉ ପୁଣି ସେ ସାଇକେଲ୍ରେ ଗେଟିସ୍ । ଭଲ ବେଶ ପୋଷାକ ପିନ୍ଧି ଛାଂଟିସ୍ରେ ନଗଲେ କିଏ ବା ତାଙ୍କୁ ଅଧ୍ୟାପକ କହିବେ । ବାହାଘର ପରେ ଶ୍ରୀକାନ୍ତ ମିଶ୍ର ସାଇକେଲ୍ ନଚଢି ଯୌତୁକରେ ମିଳିଥିବା ସ୍କୁଟର ଚଢି କଲେଜ ଗଲେ । କିଛିଦିନ ପରେ ସେ ସ୍କୁଟରଟାକୁ ସେମିତି ଘରେ ରଖିଦେଲେ, କାରଣ ତେଲ ପକାଇବାପାଇଁ ତାଙ୍କ ପକେଟରେ ଆଉ ପଇସା ନାହିଁ । ମୂଷାରୁ ବିଲେଇ, ବିଲେଇରୁ କୁକୁର, ଯେଉଁ ଋଷି ମୂଷାକୁ ବାଘ କରିଥିଲେ ପୁଣି ମନ୍ତ୍ର ପାଣି ସିଂଚି ବାଘକୁ ମୂଷାକରି ଦେଲେ । ସେହିଭଳି ଘରୋଇ ଅଧ୍ୟାପକ ଶ୍ରୀକାନ୍ତ ମିଶ୍ର ସ୍କୁଟର୍ରେ ତେଲ ପକାଇ ନ ପାରିବାରୁ ପୁଣି ସାଇକେଲ ଚଢି କଲେଜ ଗଲେ । ଅର୍ଥାତ୍ କିଛିଦିନ ବାଘ ହୋଇ ପୁଣି ମୂଷା ବନିଗଲେ । ସ୍ୱର୍ଣ୍ଣଲତା ଏକଥା ଜାଣିଲେ ବା ସେ କ’ଣ କରିବେ । ସବୁ ଘଟଣା ଲେଖି ବାପ ଘରକୁ ଚିଠି ଲେଖିଲେ ମାତ୍ର ଚାରିଶହ ଟଙ୍କା ଦରମାରେ କିପରି ଘର ସଂସାର କରିବେ । ବାହାଘର ପୂର୍ବରୁ ସେମାନେ କହୁଥିଲେ ସେ ପାଂଚ ହଜାର ଟଙ୍କା ଦରମା ପାଉଛନ୍ତି । ସ୍ୱର୍ଣ୍ଣଲତା କିଛି ଦିନ ପରେ ବାପ ଘରକୁ ବୁଲିଗଲେ । ସ୍ୱର୍ଣ୍ଣଲତାର ସାଙ୍ଗ ବନଜ୍ୟୋତି ଜଣେ ଶିକ୍ଷୟିତ୍ରୀ । ସାଙ୍ଗ ସ୍ୱର୍ଣ୍ଣଲତାକୁ ଦେଖା କରିବାକୁ ଆସିଲା । ସେ ବନଜ୍ୟୋତି ସ୍ୱର୍ଣ୍ଣଲତାର ଅତି ଅନ୍ତରଙ୍ଗ ସାଙ୍ଗ । ସ୍ୱର୍ଣ୍ଣଲତା ବନଜ୍ୟୋତିକୁ ତା’ ହୃଦୟର ସବୁ କଥା କହେ । ତେଣୁ ବନଜ୍ୟୋତି ସ୍ୱର୍ଣ୍ଣଲତାକୁ ତା’ ଶାଶୁଘର ହାଲଚାଲ୍ ସବୁ ପଚାରିଲା । ତହୁଁ ସେ ସ୍ୱର୍ଣ୍ଣଲତା କହିଲା ଶାଶୂ, ଶ୍ୱଶୁର, ନଣନ୍ଦ ସବୁ ଭଲ ହେଲେ, ବାପା ମୋତେ ଯାହାଙ୍କୁ ବିବାହ ଦେଲେ ସେ ଗୋଟେ ଘରୋଇ କଲେଜ୍ର ଅଧ୍ୟାପକ । ମାସିକ ଦରମା ତାଙ୍କର ମାତ୍ର ଚାରିଶହ ଟଙ୍କା, ମୁଁ କ’ଣ କେବେବି ଏକଥା ଭାବିଥିଲି ଏତିକି କହି ସେ ସ୍ୱର୍ଣ୍ଣଲତା ଖାଲି କାନ୍ଦିଲେ ।
ଘରୋଇ କଲେଜର ମୋ ଅଧ୍ୟାପକ ବର
ନିଜ ଖର୍ଚ୍ଚ ଘରୁ ଲୋଡାରେ ସଙ୍ଗାତ ।
ମୋ କରମ ବଡ ପୋଡା
ଶାଳଗ୍ରାମ ବୋଲି ଚନ୍ଦନେ ପୂଜିଲି
ତୁଳସୀ ତହିଁକି ଲୋଡାରେ ସଙ୍ଗାତ ।
କିଛିଦିନ ଅନ୍ତେ ତାହାକୁ ଦେଖନ୍ତେ
ନିପଟ ବାଲି ଗରଡାରେ
କୋଶଳା ବୋଲି ମୁଁ ମଞ୍ଜି ବୁଣିଥିଲି
ଜଳ ହେଲା ତହିଁ ଲୋଡାରେ
କିଛିଦିନ ଅନ୍ତେ ତାହାକୁ ଦେଖନ୍ତେ
ନିପଟ ଖାରିଆ ଖଡାରେ ସଙ୍ଗାତ ।
ମୋ କରମ ବଡ ପୋଡା ।
ଏହିପରି କେତେ କାନ୍ଦି କାନ୍ଦି ଶେଷରେ ତୁନି ହେଲେ ସ୍ୱର୍ଣ୍ଣଲତା । ତାଙ୍କୁ ସାନ୍ତ୍ୱନା ଦେଲେ ବନଜ୍ୟୋତି । ତାପରେ ବନଜ୍ୟୋତି କହିଲେ, ଦୁଃଖ କରନା ସ୍ୱର୍ଣ୍ଣ, ଏପରା ବିଧିର ବିଧାନ କେ କରିବ ଆନ, ଦଇବ ଦଉଡିରେ ମଣିଷ ପରା ବନ୍ଧା । ସ୍ୱର୍ଣ୍ଣଲତା କହିଲା ବନଜ୍ୟୋତି, ମୋ ଶଶୁରଙ୍କ ଯଜମାନୀ, ଠାକୁର ପୂଜା, ମେଳା ଓଷାରେ ଯାହା ଉପାର୍ଜନ କରିବେ ସେଥିରେ ପରିବାର ଚଳିବ । ତାଙ୍କର ଚାକିରି ଯଦି ସ୍ଥାୟୀ ନ ହୁଏ ତେବେ ମୋର ଦୁଃଖ ତ ଆହୁରି ବଳିଯିବ । ତହୁଁ ପୁଣି ସାନ୍ତ୍ୱନା ଦେବାକୁ ଯାଇ ବନଜ୍ୟୋତି କହିଲେ, ତୁ ମୋଟେ ଚିନ୍ତା କରନା ସ୍ୱର୍ଣ୍ଣ, ତୁ ତ ପାଠ ପଢିଛୁ, ମାଟ୍ରିକ୍ ସିଟି ପାଶ୍ ବି କରିଛୁ । ତେଣୁ ଅତି କମ୍ରେ ତୋତେ ଶିକ୍ଷୟିତ୍ରୀ ଚାକିରିଟିଏ ନିଶ୍ଚୟ ମିଳିବ । ହେଲେ –