ଗୋଟିଏ ଗ୍ରାମରେ ଜଣେ ବଡ ଧନୀ ଥିଲେ । ତାଙ୍କର ବ୍ୟବସାୟ, ଚାଷ ଇତ୍ୟାଦି ନାନାପ୍ରକାରର ଧନରୋଜଗାର କରିବାର ପନ୍ଥା ଥିଲା । ତାଙ୍କର ଚାରିପୁଅ । କ୍ରମେ ସେ ବୃଦ୍ଧ ହୋଇ ବିଛଣା ଧରିଲେ । ବଡପୁଅ କାମ ଦାମ ବ୍ୟବସାୟ ଦେଖାଶୁଣା କରେ, ଦ୍ୱିତୀୟଟି ପଶୁମାନଙ୍କର ଦେଖାଶୁଣା କରେ । ତୃତୀୟଟି ଜମିବାଡି ଦେଖାଶୁଣା କରେ; ଚତୁର୍ଥଟିର ମନ ଏସବୁଥିରେ ନଥାଏ; ସେ ସର୍ବଦା ଶାସ୍ତ୍ର ପଢେ ଓ ଧାର୍ମିକ କାମସବୁ କରେ । ଏହି ପରି ଭାବରେ ସେ ଚାରିଭାଇ ଯାକ ନିଜ ନିଜ କର୍ମରେ ବ୍ୟସ୍ତ ରହିଥାନ୍ତି । ଶାନ୍ତି, ସନ୍ତୋଷରେ ଘର ଚଳୁଥାଏ । କାହାର କିଛି ଅଭାବ କି ଅଭିଯୋଗ ନଥାଏ ।
କ୍ରମେ ସେହି ବୃଦ୍ଧଙ୍କର ଅବସ୍ଥା ଖରାପ୍ ହେବାରୁ ସେ ଦିନେ ତାଙ୍କ ପୁଅମାନଙ୍କୁ ପାଖକୁ ଡାକି କହିଲେ, “ଆଜି ପର୍ଯ୍ୟନ୍ତ ଅନ୍ୟମାନଙ୍କର ସମସ୍ୟା ଝଗଡା ଆମେ ସମାଧାନ କରିଛୁ । କିନ୍ତୁ ଆମ ଘରେ କେବେବି ଝଗଡା ହୋଇନାହିଁ ବା ଆମେ କାହା ପାଖକୁ ଯାଇନାହୁଁ । ମୋର ତ ଏବେ ମୁମୂର୍ଷୁ ଅବସ୍ଥା । କେତେବେଳେ ଯେ ଟଳିପଡିବି ତା’ର କିଛି ଠିକ୍ ଠିକ୍କଣା ନାହିଁ । ତମେ ଚାରିଜଣ ମୋ ଖଟର ଚାରି ଖୁରା ପାଖରେ ଜଣ ଜଣ କରି ଠିଆ ହେବ । ମୁଁ ମରିଗଲା ପରେ ସେହିଠାରେ ଖୋଳିବ, ଯିଏ ଯାହା ପାଇବ ଭାଗ୍ୟକୁ ଆଦରି ରହିବ । ଝଗଡା କରିବ ନାହିଁ ।” ଏତିକି କହି ବୃଦ୍ଧ ଆଖି ବୁଜିଦେଲେ । ପିତାଙ୍କର ଦାହ ସଂସ୍କାର ପରେ ଚାରିଭାଇ ଖଟର ଚାରିଖୁରା ତଳ ମାଟି ଖୋଳିଲେ । ପ୍ରଥମ ଜଣକର ସବୁ ପରିବା ଚୋପା, ଚଷୁ ମିଳିଲା, ଦ୍ୱିତୀୟକୁ ଗୋବର ମିଳିଲା, ତୃତୀୟରେ ମାଟିହିଁ; ମାଟି କିନ୍ତୁ ଚତୁର୍ଥ ପୁତ୍ର ସୁନା ରୂପା ପାଇଲା । ଏକଥା ଦେଖି ବାକି ତିନିଭାଇ ରାଗରେ ଖାଲି ଜଳିଲେ । ସେମାନେ କହିଲେ, “ଦେଖିଲ, ବାପାଙ୍କ କଥା, ଆମ ତିନିଜଣଙ୍କୁ ଚଷୁ, ଗୋବର, ମାଟି ଆଉ ତାକୁ ସୁନାରୂପା, କିଛି କାମ ନକରି ଦାନଧର୍ମ କରି ଅଳସୁଆ ହୋଇ ଘରେ ବସିଥାଏ । ଆଉ ସେ ସବୁ ପାଇଲା ।”
ଚତୁର୍ଥ ପୁତ୍ର ଆପତ୍ତି କରି କହିଲା “ଖଟର ଯେଉଁ ଖୁରା ତୁମକୁ ଭଲ ଲାଗିଲା ତୁମେ ତ ଯାଇ ସେଠାରେ ଠିଆହେଲ । ଶେଷରେ ଯେଉଁଟି ବଳିପଡିଲା ମୁଁ ଯାଇ ସେଠି ଠିଆ ହେଲି । ସବୁକିଛି ତ ତମେମାନେ କରିଛ; ମୁଁ ତ କିଛି ହେଲେବି କରିନାହିଁ । ଏଥିରେ ମୋର ଭୁଲ୍ ରହିଲା ବା ଆଉ କେଉଁଠି?”
ଅନ୍ୟ ତିନିଜଣ କହିଲେ, “ଆମେ ଏସବୁ କଥା କେବେବି ମାନିବୁ ନାହିଁ । ଏଭଳି ପାତର ଅନ୍ତର ନିଷ୍ପତିକୁ ଆମେ ଅବା କିଭଳି ମାନନ୍ତୁ? ଏବେ ମନ୍ଦିରକୁ ଯାଇ ବିଚାରକଙ୍କ ସାମନାରେ ସବୁକଥା ପଡିବ; ସେ ଯାହା ରାୟଦେବେ ତାହାହିଁ ହେବ ।”
ତା’ପରେ ସମସ୍ତେ ପିତାଙ୍କ ଶେଷ ଇଚ୍ଛାକୁ ଖାତିର ନକରି ମନ୍ଦିରକୁ ଗଲେ ଓ ନ୍ୟାୟଧୀଶଙ୍କୁ ଏକଥାରେ ବିଚାର କରିବା ପାଇଁ ସର୍ବଶେଷ ଅନୁରୋଧ କଲେ । ସବୁକଥା ଶୁଣିବା ପରେ ନ୍ୟାୟଧୀଶ ପଚାରିଲେ “ତୁମ ପିତାଙ୍କର ସମ୍ପତ୍ତି କେତେ କୁହ ତ?”
ତିନିପୁତ୍ର କହିଲେ “ଆମ ପିତାଙ୍କର ଜମିବାଡି ଅନେକ, ପଶୁ ମଧ୍ୟ ପାଳନ କରିଛନ୍ତି ପୁଣି ବ୍ୟବସାୟ ଅଛି; ତା’ଛଡା ସୁନା ରୂପା ।”
ନ୍ୟାୟଧୀଶ ବିଚାର କରି କହିଲେ “ତାହେଲେ ତ ତୁମ ପିତା ଭାଇଭାଗ ଠିକ୍ ଭାବରେ କରିଛନ୍ତି । ମୁଁ ତୁମକୁ ଏବେ ବୁଝାଇ ଦେଉଛି । ବଡ ପୁଅ ବ୍ୟବସାୟ ଦେଖିବ । ଦ୍ୱିତୀୟ ପଶୁମାନଙ୍କର ଦେଖାଶୁଣା କରିବ; ତୃତୀୟ ପୁତ୍ର କ୍ଷେତବାଡିକାମ କରିବ, ଆଉ ଚତୁର୍ଥ ସୁନାରୂପା ପାଇବ ।”
ଏହି ସମାଧାନ ସେମାନଙ୍କୁ ଖୁବ୍ ଭଲ ଲାଗିଲା । ସେମାନେ ବୁଝିଗଲେ ଯେ କେହି ହେଲେବି ତାଙ୍କୁ ଠକି ନାହିଁ । ନ୍ୟାୟ କଥା ଶୁଣିବା ପରେ ସେମାନଙ୍କ ମଧ୍ୟରେ ଥିବା ଶତ୍ରୁତା ବଦଳରେ ଭାତ୍ରୁତ୍ୱ ଭାବ ଜାଗ୍ରତ ହେଲା । ତା’ପରେ ସେ ଚାରିଭାଇଯାକ ମିଳିମିଶି ବେଶ୍ ଖୁସିରେ ରହିଲେ ।