କିଛିଦିନ ପରେ ତାଙ୍କ ଆବେଦନର ଉତ୍ତର ଆସିଲା ଏବଂ ତାହା ତାଙ୍କର ବଡଭାଇ ବିଠଲଙ୍କ ହାତରେ ପଡିଗଲା । ପାସ୍ପୋର୍ଟଟି ପାଇଗଲା ପରେ ତାକୁ ପଢି ବିଠଲ ବଲ୍ଲଭଙ୍କୁ କହିଲେ, “ମୁଁ ତୁମଠାରୁ ବଡ ଏଥିପାଇଁ ମୋତେ ପ୍ରଥମେ ବାରିଷ୍ଟରୀ ପଢିବାକୁ ଦିଅ । ତୁମେ ପରେ ଗଲେ ବି ଚଳିବ ।”
ବଡଭାଇଙ୍କର ଏଭଳି କଥା ପଟେଲଙ୍କ ମନକୁ ବେଶ୍ ପାଇଲା । ତାଙ୍କର କଥା ରଖି ସେ ନିଜେ ପଢିବା ପାଇଁ ସଂଚୟ କରି ରଖିଥିବା ସମସ୍ତ ଟଙ୍କା ଦେଇ ବଡଭାଇଙ୍କୁ ବାରିଷ୍ଟରୀ ପଢିବା ଲାଗି ବିଲାତ ପଠାଇଦେଲେ । ଅବଶ୍ୟ ବିଠଲ ବାରିଷ୍ଟରୀ ପାସ୍ କରି ୧୯୦୮ ମସିହାରେ ଇଣ୍ଡିଆକୁ ଫେରିଆସିଲେ । ମାତ୍ର ତାଙ୍କର ଅପୂର୍ବ ତ୍ୟାଗ ଯୋଗୁଁ କିଛିବର୍ଷ ପରେ ବଲ୍ଲଭଭାଇ ୧୯୧୦ରେ ଓକିଲାତି ପଢିବା ଲାଗି ବିଲାତ ଗଲେ ।
ଓକିଲାତି ପଢିବାବେଳେ ବଲ୍ଲଭଭାଇ ସମସ୍ତ ପ୍ରକାର ସଉକ ଛାଡି ଅକ୍ଳାନ୍ତ ପରିଶ୍ରମ କରି କେବଳ ପାଠପଢାରେ ହିଁ ମନ ଦେଲେ । ଫଳରେ ଓକିଲାତି ପ୍ରାରମ୍ଭିକ ପରୀକ୍ଷାରେ ସେ ସର୍ବପ୍ରଥମ ହୋଇ ଉତୀର୍ଣ୍ଣ ହେଲେ । ସେଥିପାଇଁ ତାଙ୍କୁ ପଚାଶ ପାଉଣ୍ଡ ଅର୍ଥାତ୍ ଇଣ୍ଡିଆନ ମୁଦ୍ରାରେ ସେତେବେଳେ ତିନିହଜାର ଟଙ୍କା ପୁରସ୍କାର ସ୍ୱରୂପ ମିଳିଥିଲା । ତାଛଡା ତାଙ୍କର ସମସ୍ତ ଫିସ୍ ମଧ୍ୟ ଛାଡ କରି ଦିଆଗଲା ।
ବଲ୍ଲଭଭାଇ ଓକିଲାତି ପରୀକ୍ଷାରେ ମଧ୍ୟ ବେଶ୍ ସଫଳତା ଅର୍ଜନ କରିଥିଲେ । ତାଙ୍କର ଉତ୍ତରଖାତା ଦେଖିଲାବେଳେ ଜଣେ ଇଂରେଜ ପରୀକ୍ଷକ ଜାଣିପାରିଲେ ଯେ, ଏ ଛାତ୍ରଜଣକ ତାଙ୍କର ଶିକ୍ଷକ ଜାଣି ନଥିବା କିଛି ତଥ୍ୟ ଖାତାରେ ଉପସ୍ଥାପନ କରିଛନ୍ତି । ସୁତରାଂ ବିଲାତରେ ଉଚ୍ଚଚାକିରିରେ ନିଯୁକ୍ତି ନିମନ୍ତେ ତାଙ୍କର ନାମ ସରକାରଙ୍କୁ ସୁପାରିସ୍ କରାଯାଇଥିଲା । ଠିକ୍ ସମୟରେ ତାଙ୍କର ନିଯୁକ୍ତି ପତ୍ର ବି ମିଳିଲା । ମାତ୍ର ବଲ୍ଲଭଭାଇ ଉକ୍ତ ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଦେଲେ । ଏହାର ମୁଖ୍ୟ କାରଣ ଥିଲା, ନିଜ ଦେଶ ଇଣ୍ଡିଆର ମୋହ । ସୁତରାଂ ସେ ଇଣ୍ଡିଆ ଫେରିଆସି ବାରିଷ୍ଟରୀ ବ୍ୟବସାୟ ଆରମ୍ଭ କରିଦେଲେ ।
କିଛିଦିନପରେ ସର୍ଦ୍ଦାର ପଟେଲ ବାରିଷ୍ଟରୀର ଐଶ୍ୱର୍ଯ୍ୟମୟ ଜୀବନ ତ୍ୟାଗକରି ସବୁଦିନ ଲାଗି ଗାନ୍ଧିଜୀଙ୍କର ଅନୁଗାମୀ ହୋଇ ଯାଇଥିଲେ ।