ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭାଗ୍ୟଦେବୀ

ଆଫ୍ରିକା ମୁଲକର ଗୋଟିଏ ଗାଁରେ ଡୁମ୍ବା ନାମରେ ଗୋଟିଏ ଗରୀବ ଲୋକ ଥାଏ । ସେ ସବୁଦିନେ ଗୋଟିଏ କାଠ ଭେଳାରେ ନଦୀ ଭିତରକୁ ଯାଏ ଓ କେତୋଟି ପାଛିଆ ପାଣିରେ ବୁଡାଇ ଦିଏ । ସେ ପାଛିଆ ଗୁଡିକ ମୁହଁରେ ଏମିତି ଭାବରେ ଜାଲ ଲାଗିଥାଏ ଯେ ମାଛ ତହିଁ ଭିତରେ ପଶିଯିବେ, କିନ୍ତୁ ବାହାରି ପାରିବେ ନାହିଁ । ପାଛିଆ ଦେହରେ ଦଉଡି ଲାଗିଥାଏ । ପାଛିଆ ପାଣିରେ ବୁଡିବା ପରେ ସେ ଦଉଡିର ଅନ୍ୟ ପ୍ରାନ୍ତଟିମାନ ଡୁମ୍ବା କୂଳରେ ଗୋଟିଏ ଖୁଂଟ ଦେହରେ ବାନ୍ଧି ଦେଇ ଚାଲିଯାଏ । ସଂନ୍ଧ୍ୟାବେଳକୁ ପୁଣି ଭେଳାରେ ନଈ ଭିତରକୁ ଯାଇ ସେସବୁ ପାଛିଆ ଉଠାଏ ଓ ତହିଁ ଭିତରୁ ମାଛତକ ବାହାର କରି ଆଣେ ।

                ସେ ମାଛତକ ନେଇ ଡୁମ୍ବା ବଜାରରେ ଗୋଟିଏ ଦୋକାନରେ ଦେଇ ଆସେ । ଦୋକାନୀ ଯେତେ ପଇସାରେ ବିକ୍ରି କରେ, ସେଥିରେ ଗୋଟିଏ ବିଶେଷ ଅଂଶ ଡୁମ୍ବାକୁ ଦିଏ । ଡୁମ୍ବା ଏକୁଟିଆ ଲୋକ । ଏଣୁ କୌଣସି ପ୍ରକାରେ ସେ ଚଳିଯାଏ ।

                ଦିନେ ସଂନ୍ଧ୍ୟାବେଳେ ସେ ଯାଇ ପ୍ରଥମ ଦୁଇଟି ପାଛିଆ ଉଠାଇ ଦେଖିଲା ସେ ଦୁଇଟିରେ ଗୋଟିଏ ହେଲେ ମଧ୍ୟ ମାଛ ପଡିନାହିଁ । ମାତ୍ର ତୃତୀୟ ପାଛିଆ ଭିତରୁ ଗୋଟିଏ କଙ୍କଡା ବାହାରିଲା । ବାକି ରହିଥାଏ ଚତୁର୍ଥ ପାଛିଆ । ଡୁମ୍ବା ମନେ ମନେ ପ୍ରମାଦ ଗଣିଲା । ଆଜି ଯଦି ମୋଟେ ମାଛ ନ ମିଳିବେ, ତେବେ ସେ କ’ଣ କରିବ? ସବୁଦିନେ ସେ ମାଛ ବିକ୍ରିକରି ଯାହା ଦୁଇ ପଇସା ପାଏ, ସେଥିରେ ତ ସେ ତା’ ନିଜ ପାଇଁ ଖାଇବା ଜିନିଷ କିଣେ । ଆଜି କ’ଣ ତାକୁ ଉପବାସରେ ରାତି କଟାଇବାକୁ ପଡିବ? ସକାଳେ ପୁଣି କାମ ପାଇଁ କିପରି ବଳ ପାଇବ?

                ସେ ଗୁଣୁ ଗୁଣୁ କଣ୍ଠରେ କହିଲା, “ହେ ଭାଗ୍ୟଦେବୀ! ଏ ଗରୀବ ପ୍ରତି ସଦୟ ହୁଅ । ଅନ୍ତତଃ ଶେଷ ପାଛିଆରେ କିଛି ପଡିଥାଉ ।”

                ଶେଷ ପାଛିଆଟି ଉଠାଇବା ବେଳକୁ ତାହା ବେଶ୍ ଓଜନିଆ ମନେ ହେଲା । ଏଣେ ସେ ଡୁମ୍ବା ମନେ ମନେ ଭାରି ଖୁସି ହେଲା । କିନ୍ତୁ ଇଏ କ’ଣ? ଦେଖିବା ବେଳକୁ ପାଛିଆ ଭିତରେ ଗୋଟିଏ ଅଥର୍ବ ବୁଢୀ ବସିଛି!

                ଡୁମ୍ବା ଭାବିଲା ପାଛିଆକୁ ପୁଣି ନଈ ଭିତରକୁ ଫୋପାଡି ଦେବ । କିନ୍ତୁ ବୁଢୀ ବିନୟ କରି କହିଲା, “ପୁଅ, ମୋତେ କୂଳକୁ ଉଠାଇ ନେ । ତୋର ମଙ୍ଗଳ ହେବ ।”

                ଡୁମ୍ବା ଭାବିଲା ବୁଢୀକୁ ଅନ୍ତତଃ ପାଛିଆରୁ ବାହାର କରି ଦେଲେ ପାଛିଆ ପୁଣି ନଈରେ ପକାଇ ଦେବ । ତେଣୁ ସେ ବୁଢୀକୁ କୂଳରେ ରଖି ଘର ମୁହଁ ଚାଲିଲା । ଘରେ ପହଁଚି ସେ ଦେଖିବା ବେଳକୁ ବୁଢୀ ତା’ ପଛେ ପଛେ ଚାଲିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ