ବହୁଦିନ ପୂର୍ବେ କାଶୀ ନଗରୀରେ ରାଜପାଳ ନାମକ ଯୁବକଟିଏ ଥାଏ । ପିଲାଟି ଦିନରୁ ତା’ର ବାପମା’ ମରିଯାଇଥାନ୍ତି । ସେ ନଗରୀର ଦୁଇଜଣ ବିଶିଷ୍ଟ ବ୍ୟକ୍ତି ତାକୁ ପାଳିପୋଷି ମଣିଷ କଲେ ଓ ଶିକ୍ଷାର ବ୍ୟବସ୍ଥା କଲେ । ସେ ସମସ୍ତ ବିଦ୍ୟା ଲାଭ କରିବା ପରେ ତାକୁ ରାଜଦରବାରରେ ଚାକିରୀଟିଏ ମଧ୍ୟ ଦେଲେ ।
ଏବେ ସେ ଭାବିଲା ବିବାହ କଲେ ଜଣେ ଜୀବନରେ ସହାୟତା କରନ୍ତା । କେତେଦିନ ଆଉ ସେ ଏମିତି ଏକୁଟିଆ ରହିବ । ବାପମା ନାହାଁନ୍ତି, ନହେଲେ ବିବାହ ହୋଇସାରନ୍ତାଣି । ରାଜପାଳର ଘର ଥିଲେ ବି ସେ କ’ଣ ଖାଏ, କେଉଁଠି ଶୁଏ ସେସବୁର କୌଣସି କିଛି ଠିକଣା ନଥାଏ । ଦିନେ ସେ ତା’ର ବନ୍ଧୁକୁ କହିଲା, “ଦେଖ ମିତ୍ର ମୋର ତ ବାପମା’ କେହି ନାହାଁନ୍ତି, ସଂସାର ଅଚଳ । ତମେ ମୋ ପାଇଁ ଯୋଗ୍ୟ କନ୍ୟାଟିଏ ଖୋଜିଦିଅ ।”
ତା’ର ସାଙ୍ଗ କହିଲା, “ବିଚାରପତିଙ୍କର ଗୋଟିଏ ଅବିବାହିତା ଝିଅ ଅଛି । ସବୁ ଦୃଷ୍ଟିରୁ ସେ ତୁମ ପାଇଁ ଯୋଗ୍ୟ କନ୍ୟା । ଆଜି ମୁଁ କଥାବାର୍ତ୍ତା କରିଥିବି । କାଲି ମଣିକର୍ଣ୍ଣିକା ଘାଟରେ ତୁମ ସହିତ ଦେଖା କରି କହିବି ।”
ସାରା ରାତି ସେ ରାଜପାଳ ଆଉ ଶୋଇ ପାରିଲା ନାହିଁ । ରାତି ପାହୁ ପାହୁ ମଣିକର୍ଣ୍ଣିକା ଘାଟକୁ ସେ ଦୌଡିଲା । ପ୍ରକୃତରେ ତ ସେତେବେଳକୁ ସକାଳ ହୋଇ ନଥାଏ । ଜହ୍ନରାତି ଯୋଗୁଁ ସେପରି ଲାଗୁ ଥିଲା । ଚାରିଆଡେ ନିର୍ଜନ । ସେ ଭାବିଲା, ଏବେ ସାଙ୍ଗ ପାଇଁ ବହୁତ ଡେରି ଅପେକ୍ଷା କରିବାକୁ ହେବ । ଦେଖିଲା ଅଦୂରରେ ପାଣି ପାଖରେ ପାହାଚ ଉପରେ ଜଣେ ବୃଦ୍ଧ ବସିଛନ୍ତି । ଭାବିଲା ତାଙ୍କ ସହିତ ଗଳ୍ପ କରି କିଛି ସମୟ କଟାଇ ଦେବ । ସେ ପଛରୁ ଯାଇ ଦେଖିଲା ବୃଦ୍ଧ କୌଣସି ତାଳପତ୍ର କିଛି ଧରି କ’ଣ ପଢୁଛନ୍ତି ବା ଲେଖୁଛନ୍ତି । କିନ୍ତୁ ତାଳପତ୍ରରେ ଯେଉଁ ଅକ୍ଷର ସବୁ ଅଛି ରାଜପାଳ ତାହା ତା’ ଜୀବନରେ କେବେବି ଦେଖି ନଥିଲା ।
ରାଜପାଳ ପଚାରିଲା “ଅଜା, ଆପଣ ଇଏ କି ପ୍ରକାରର ଲିପି ପଢୁଛନ୍ତି । ମୁଁ ତ କାହିଁ କେବେବି ଏପରି ଦେଖି ନାହିଁ?”
ବୃଦ୍ଧ ତାଙ୍କର ମଥା ଉଠାଇ ତାକୁ ଚାହିଁ କହିଲେ, “ତୁମେ କିପରି ଜାଣିବ । ଏହାତ ବ୍ରହ୍ମଲିପି ।”
ରାଜପାଳ ପଚାରିଲା, “ଆପଣ କ’ଣ ଲେଖୁଛନ୍ତି?”
ବୃଦ୍ଧ ଲେଖୁ ଲେଖୁ କହିଲେ “ସୂର୍ଯ୍ୟୋଦୟ ପୂର୍ବରୁ ଜନ୍ମ ନେଉଥିବା ମଣିଷଙ୍କର ଜାତକ ତିଆରି କରୁଛି ।”
କିଛି ସମୟ ପରେ ବୃଦ୍ଧଙ୍କର ଲେଖିବା କାର୍ଯ୍ୟ ଶେଷ ହେଲା । ସେ ତାଙ୍କ ପୋଥିତକ ବାନ୍ଧିଲେ । ଦୁଇ ପ୍ରକାରର ଲାଲ୍ ଓ କଳା ସୁତାରେ ସେ ପୋଥି ବାନ୍ଧିଲେ ।
ରାଜପାଳ ପଚାରିଲା, “ଅଜା, ଏପରି ଦୁଇ ପ୍ରକାରର ସୁତା କାହିଁକି? ଆଉ ଏପରି ବାନ୍ଧିବାର ଉଦ୍ଧେଶ୍ୟ କ’ଣ?”
ବୃଦ୍ଧ ବନ୍ଧାବନ୍ଧି କରୁ କରୁ କହିଲେ “ଇଏ ହେଉଛି ବ୍ରହ୍ମଗଣ୍ଠି । କେଉଁଲୋକ କେଉଁ ଲୋକ ସହିତ ବିବାହ କରିବ, ତାହାହିଁ ମୁଁ ସୂତାରେ ବାନ୍ଧୁଛି ।”
ରାଜପାଳ କହିଲା “ତେବେ ମୋ କଥା ତ ଆପଣଙ୍କୁ ନିଶ୍ଚୟ ଜଣାଥିବ । କାରଣ ମୋର ବିବାହ କଥା ଜାଣିବାକୁ ମୁଁ ମୋର ସାଙ୍ଗ ପାଇଁ ଏଠାରେ ଅପେକ୍ଷା କରିଛି ।”
ବୃଦ୍ଧ ମୁଣ୍ଡ ଉଠାଇ ତାକୁ ଦେଖି କହିଲେ, “ତୁମର ବିବାହ ନିକଟ ଭବିଷ୍ୟତରେ ହେବାର ନାହିଁ । ତୁମର ଯିଏ ସ୍ତ୍ରୀ ହେବା କଥା ତାର ବୟସ ମାତ୍ର ତିନିବର୍ଷ ଅଛି । ତାକୁ ସତର ବର୍ଷ ନହେଲେ ତୁମର ବିବାହ ହୋଇପାରିବ ନାହିଁ । ଏହି ଦେଖ ଜଣେ କାଣୀ ସ୍ତ୍ରୀ ଲୋକ ଝିଅଟିଏ କୋଳରେ ଧରି ଆସୁଛି ସେହି ଝିଅଟି ବଡ ହେଲେ ଯାଇ ତୁମ ସ୍ତ୍ରୀ ହେବ ।”
ରାଜପାଳ ଶୀଘ୍ର ଯାଇ ସେ ବୁଢୀ ପାଖରେ ପହଁଚିଲା । ବୁଢୀର ଗୋଟାଏ ଆଖି ନାହିଁ, ଲୁଗାପଟା ମଇଳା, ଛୁଆକୁ ପାହାଚ ଉପରେ ବସାଇ ଗଙ୍ଗାସ୍ନାନ କରିବାକୁ ସେ ଗଲା । ପିଲାଟି ତିନିବର୍ଷର । ସେ ଭାବିଲା ଝିଅଟି ବୋଧେ ବୁଢୀର ଝିଅ । ତା’ର ସେମାନଙ୍କ ପ୍ରତି ଘୃଣା ଆସିଲା । ଭାବିଲା, ଏ ଝିଅଟାକୁ ମାରି ନ ଦେଲେ, ଭାଗ୍ୟ ଅନୁସାରେ ଏହାକୁହିଁ ତାକୁ ବାହା ହେବାକୁ ପଡିବ ।