ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭାଗ୍ୟରେ ଥିଲେ

ଏବେ ସେ ଭଗବାନ ତ ବଡ ହୋଇଗଲାଣି । ମଜୁରି ଖଟିଲେ ପୁରା ମଜୁରି ଆଣନ୍ତା, ମାଆ ପୁଅ ଆରାମରେ ଚଳନ୍ତେ । ମାତ୍ର କାମକୁ ଭଗବାନର ଭାରି ଡର । କୁଟାକୁ ଦିକୁଟା ବି ସେ ଆଦୌ କରେ ନାହିଁ । ଏ ଭଳିକି ଦଶବାର ବର୍ଷ ପର୍ଯ୍ୟନ୍ତ ମାଆ ଖୋଇ ନଦେଲେ ସେ ଭଗବାନ ହାତ ଘେନି ଖାଉ ନଥିଲା । ଗାଧୋଇ ନଦେଲେ ଗାଧୋଉ ନଥିଲା । ଏବେ ତା ମାଆ ଆଉ ସବୁ କାମ କରି ପାରୁନି । ଏଣେ ଏ ଭଗବାନର ଅଳସୁଆ ପ୍ରକୃତି ଦିନକୁ ଦିନ ବଢିଚାଲିଛି । ଖାଇଦେଲା ମାତ୍ରେ ସେ ଶୋଇପଡେ । ସକାଳେ କେହି କେବେ ତାକୁ ଆଗୁଆ ବିଛଣା ଛାଡିବାର ଦେଖିନାହିଁ । ଦିନ ଦଶଟାରେ ଉଠେ ସେ ଭଗବାନ । ଶୀତଦିନେ ଭଲଭାବରେ ଗାଧାଏ ନାହିଁ । ତା ମାଆ ତାକୁ ଅନେକ ବୁଝାଏ, କହେ, “ବାପରେ! ତୋତେ – ଗେଲରେ ବଢାଇ ଆଣିଲି, ପାଠତ ପଢିଲୁ ନାହିଁ, ଏବେ ବଡ ହେଲୁଣି, କାମ ହେଲେ କର । ନହେଲେ ଘର ଚଳିବ କିପରି? ମୁଁ ଆଉ ବେଶୀ ପରିଶ୍ରମ କରିପାରୁନି । କାଲି ତୁ ବାହା ହେବୁ । ତୋର ଛୁଆପିଲା ହେବେ । ତୁ ଚଳିବୁ କିପରି? ମୋ କଥା ମାନ, ତୁ କିଛି କାମ କର ।”

ଏପରି କଥା ଶୁଣି ଭଗବାନ କହେ ତୁ କିଛି ଚିନ୍ତା କରନା ମାଆ । ମୋ ଭାଗ୍ୟରେ ଯାହାଥିବ ତାହା ହିଁ ହେବ । ଯିଏ ଜନମ ଦେଇଛି ସେଇ ଚଳାଇବ । ଥରେ ତା ମାଆ ବେମାର ପଡିଲା, ଫଳରେ ସେ ଆଉ କାମ କରିବାକୁ ଯାଇ ପାରିଲା ନାହିଁ । ଘରେ ଯାହା ଥିଲା, ଶେଷ ହୋଇଗଲା । ଏଣେ ସେ ଭଗବାନ ବି କାମକୁ ଗଲା ନାହିଁ । ତା ମାଆ କହିଲା ତୁ ଯଦି କାମ ନକରିବୁ ତେବେ ମୁଁ ତୋତେ ଆଉ ଖାଇବାକୁ ଦେଇପାରିବିନି । ତୁ ନିଜେ କିଛି ରୋଜଗାର କରି ଖାଇବୁ । ନହେଲେ ଉପାସ ରହିବୁ । ଭଗବାନ ଦିନେ କାମ ଖୋଜିବାକୁ ଗଲା । ତାର ସ୍ୱଭାବ ଜାଣି କେହି ବି ତାକୁ କାମ ଦେଲେ ନାହିଁ । ସଂନ୍ଧ୍ୟାରେ ଫେରିବାରୁ ତା ମାଆ ଅଥୟ ହୋଇପଡିଲା ।

ପରଦିନ ସକାଳେ ତା ମାଆ ଚାରିପଟ ରୁଟିକରିଦେଲା ଏବଂ କହିଲା, “ତୁ ପାଖ ସହରକୁ ଯା, କାମ ଖୋଜିବୁ, ଭୋକ କଲେ ୟାକୁ ଖାଇବୁ ।” ତା’ପରେ ସେ ଭଗବାନ ରୁଟି ଗାମୁଛାରେ ବାନ୍ଧି ବାହାରିଲା । ରାସ୍ତାରେ ଛୋଟିଆ ଶାଳବଣଟିଏ ପଡିଲା । ସେଠାରେ ବାଟୋଇମାନଙ୍କ ପାଇଁ କିଏ ଜଣେ ମହତ ଲୋକ କୂଅଟିଏ ଖୋଳାଇ ଦେଇଥିଲେ । ଆଉ ଥକ୍କା ମେଂଟାଇବା ପାଇଁ ଗଛମୂଳ ଛାଇରେ ପକ୍କା ଚାନ୍ଦିନୀଟିଏ ମଧ୍ୟ କରିଦେଇ ଥିଲେ । ଏଣେ ଏ ଭଗବାନ ଯାଇ ସେଇଠି ଅଟକିଲା ଭାବିଲା ଆଉ ଆଗକୁ ପାଣି ମିଳି ନପାରେ ଏଣୁ ସେଇଠି ରୁଟି ଖାଇ ପାଣି ପିଇନେବ । କିନ୍ତୁ ଖାଇସାରିଲେ ଯଦି ତାକୁ ନିଦ ଲାଗେ? ଏହିପରି ବିଭିନ୍ନ କଥା ଚିନ୍ତା କରି ଶେଷରେ ସେ ନିଷ୍ପତି ନେଲା ନା ସେ ରୁଟି ଖାଇବନି । ଭଗବାନ ଗଛଛାଇରେ ଟିକିଏ ବସିଲା । ସେତେବେଳେ ତ ଶିରିଶିରି ଥଣ୍ଡା ପବନ ହେଉଥାଏ – ତେଣୁ ଭଗବାନକୁ ନିଦ ହୋଇଗଲା, ତା’ପରେ ସେ ଭଗବାନ ଗୋଟାଏ ସ୍ୱପ୍ନ ଦେଖିଲା । ଗୋଟାଏ ବିରାଟ ରାକ୍ଷସ ତା ଆଡକୁ ଆଁ କରି ମାଡି ଆସୁଛି । ଭଗବାନ ସେ ରୁଟିତକ ଖାଇବା ଆଗରୁ ରାକ୍ଷସ ରୁଟିତକ ନେଇ ପାଟିରେ ପୁରାଇଦେଲା । ଏଣେ ସେ ଭଗବାନ ବିକଳରେ ଖାଲି କାନ୍ଦୁଥାଏ ‘ନା, ଖାଅନି, ଖାଅନି । ସେତକ ମୋ ମାଆ ଦେଇଛି, ତାହେଲେ ମୁଁ କ’ଣ ଖାଇବି? ରାକ୍ଷସ ରୁଟି ଖାଇସାରି ଭଗବାନକୁ କହିଲା, “ମୁଁ ଖୁବ୍ ଭୋକିଲା ଥିଲି, ତୋ ରୁଟି ଖାଇ ମୋ ପ୍ରାଣ ରହିଲା । ତୁ ବରମାଗ, ଯାହା ମାଗିବୁ ତାହା ଦେବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ