ଏହିପରି ନାନାଦି କଥା ଚିନ୍ତାକରି ଧନିଆ ନିକଟରେ ଏକାଗ୍ରତ ତା’ର ମନର କଥା ପ୍ରକାଶ କରିଦେଲା । ଧନିଆ ମଧ୍ୟ ସବୁ କଥା ଜାଣିବା ପରେ ଖୁସି ହୋଇଗଲା । ସଂଗେ ସଂଗେ ସ୍ତ୍ରୀ ଠାରୁ ବିଦାୟ ନେଇ ବାହାରିଲା ପୁରୁଣା ଦୂର୍ଗ ଆଡକୁ, ଯେଉଁଠାରେ ତା’ର ଚାନ୍ଦିଟଙ୍କା ରଖିଥିଲା । ଗ୍ରୀଷ୍ମ ଦିନ ହେତୁ ପ୍ରବଳ ଗରମ ହେଉଥାଏ । ସୂର୍ଯ୍ୟଙ୍କର ପ୍ରଖର କିରଣ ଦେହକୁ ପୋଡି ପକାଉଥାଏ । ଏ ସବୁକୁ ଖାତିର୍ ନକରି ଏକାଗ୍ରତ ଜୋର୍ରେ ଚାଲିଥାଏ । ଠିକ୍ ଯେମିତି ରାଜମହଲ ପାଖାପାଖି ହୋଇଯାଇଛି, ରାଜା ରଙ୍ଗୀଲାର ଏପରି ବ୍ୟସ୍ତ ହୋଇ ଜୋର୍ରେ ଚାଲିଯିବାର ଦେଖି ସିପାହୀମାନଙ୍କୁ ଏକାଗ୍ରତକୁ ଧରି ଆଣିବାକୁ କହିଲେ ।
ସିପାହୀମାନେ ରାଜାଙ୍କ ଆଦେଶ ପାଇବା ମାତ୍ରକେ ସଂଗେ ସଂଗେ ଯାଇ ଏକାଗ୍ରତ ପାଖରେ ପହଁଚିଗଲେ ଓ ତାକୁ ମହାରାଜ କାହିଁକି ଡାକୁଛନ୍ତି ବୋଲି କହିଲେ । ସିପାହୀମାନଙ୍କ କଥା ଶୁଣି ଏକାଗ୍ରତ ଭୟଭୀତ ହୋଇ ପଡିଲେ । ମନେ ମନେ ଭାବିଲା ସେ ତ’ କିଛି ଦୋଷ କରିନାହିଁ । ତା’ ହେଲେ ରାଜା ତାକୁ କାହିଁକି ଡକାଇ ପଠାଇଛନ୍ତି । ମନେ ମନେ ଭୟଭୀତ ହୋଇ ସିପାହୀମାନଙ୍କ ସାଙ୍ଗରେ ଦରବାରକୁ ଚାଲିଲା । ରାଜ ଦରବାରରେ ପହଁଚିବା ପରେ ସେ ଦେଖିଲାସ୍ୱୟଂ ମହାରାଜ ସିଂହାସନ ଉପରେ ବିଜେ କରିଛନ୍ତି । ଏକାଗ୍ରତ ପ୍ରଥମେ ମହାରାଜାଙ୍କ ପାଦତଳେ ଲୋଟି ପଡିଲା । ଏକାଗ୍ରତର ଏପରି ଆଚରଣ ଦେଖି ରାଜା ଏକାଗ୍ରତ ଡରିଯାଇଥିବା କଥା ଜାଣିପାରିଲେ । ତେଣୁ ରାଜା ତାକୁ ସ୍ନେହଭରା କଣ୍ଠରେ ପଚାରିଲେ, “ଆରେ ବାବା! ତୋର ନାମ କ’ଣ? ରାଜାଙ୍କର ସ୍ନେହବୋଳା କଥା ଶୁଣି ଏକାଗ୍ରତ କହିଲା, “ମହାରାଜ ! ମୋର ନାମ ଏକାଗ୍ରତ ।” ରାଜା ପୁଣି ପଚାରିଲେ, “ଏ ଖରାବେଳଟାରେ ଲୋକମାନେ ଘରୁ ପଦାକୁ ବାହାରି ପାରୁନାହାଁନ୍ତି । ଅଥଚ ତୁମେ ଏତେ ଜୋର୍ରେ କେଉଁ ଆଡକୁ ଯାଉଥିଲ? ତୁମକୁ ବ୍ୟସ୍ତ ବିବ୍ରତ ହୋଇ ଯାଉଥିବାର ଦେଖି ମୁଁ ତୁମ ବ୍ୟସ୍ତତାର କାରଣ ଜାଣିବାପାଇଁ ସିପାହୀମାନଙ୍କ ହାତରେ ତୁମକୁ ଏଠାକୁ ଡକାଇଲି ।”