ଲୋକଟି ସେହି ଅଲୌକିକ ମଣି ସାହାଯ୍ୟରେ ମଣିକୁଣ୍ଡଳଙ୍କ କ୍ଷତ ଆରୋଗ୍ୟ କରିଦେଲା । ଏହି ଘଟଣା ପରଠାରୁ ସେ ଦୁହିଁଙ୍କ ମଧ୍ୟରେ ନିବିଡ ବନ୍ଧୁତା ସ୍ଥାପିତ ହେଲା । ମଣିକୁଣ୍ଡଳ ସେହି ଲୋକଟିକୁ ବ୍ୟାପାର ସମ୍ବନ୍ଧୀୟ ଅନେକ ରହସ୍ୟ ଶିଖାଇଦେଲେ । ପ୍ରଥମେ ସେ ନିଜର ବ୍ୟବସାୟ ଓ ସମୁଦ୍ର-ଯାତ୍ରାର ଅଭିଜ୍ଞତା ବର୍ଣ୍ଣନା କଲେ । ତାଙ୍କର ବର୍ଣ୍ଣନାଶୈଳୀ ଏତେ ପ୍ରଭାବଶାଳୀ ଥିଲା ଯେ, ଲୋକଟି ନିଜ ସମ୍ମୁଖରେ ସେହି ଘଟଣାମାନ ଘଟିଯାଉଥିବାର ଅନୁଭବ କଲା । ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରି, ସେ ନିଜର ବ୍ୟବସାୟିକ ଜ୍ଞାନ ବୃଦ୍ଧି କରିବା ସହିତ, ସ୍ୱୟଂ ନିଷ୍ପତି ଗ୍ରହଣ କରିବାକୁ ମଧ୍ୟ ସକ୍ଷମ ହେଲା ।
ଏହା ଭିତରେ ରାକ୍ଷସ-ଦ୍ୱୀପରେ ପାଦ ରଖିବାର ସାଢେ ଚାରିମାସ ବିତିଯାଇଥାଏ । ଏତିକି ସମୟ ମଧ୍ୟରେ ସେ ଦ୍ୱୀପରୁ ଯେଉଁ ଧନରାଶି ଆଣିଥିଲା, ତା’ର ଦ୍ୱିଗୁଣ ଉପାର୍ଜନ କରି ସାରିଥାଏ । ବ୍ୟବସାୟରେ ସେ ଅନେକ ମୂଲ୍ୟବାନ୍ ବସ୍ତୁ ହାସଲ କରିଥାଏ । ମଣିକୁଣ୍ଡଳଙ୍କୁ ଭକ୍ତି-ପୂର୍ବକ ଅନେକ ଉପହାର ଦେଇ ତାଙ୍କୁ ବିଦାୟ ଦେଲା ଓ ନିଜ ଦେଶ ଅଭିମୁଖେ ଯାତ୍ରା ଆରମ୍ଭ କଲା । ମହାରାଜ ତାକୁ ଛଅମାସ ସମୟ ଦେଇଥିଲେ । ତାହା ପୂରଣ ହେବାକୁ ଆଉ ପନ୍ଦର ଦିନ ବାକି ଥାଏ ।
ଗରିବ ଲୋକଟି ଏକ ଧନୀ ବଣିକ ରୂପରେ ସ୍ୱଦେଶକୁ ଫେରିଲା । ପ୍ରଥମେ ସେ ରାଜଧାନୀରେ ଏକ ସୁଦୃଶ୍ୟ ଅଟ୍ଟାଳିକା କ୍ରୟ କରି ତାହାକୁ ଆବଶ୍ୟକ ସ୍ଥଳରେ ପରିବର୍ତ୍ତନ କରି ଏକ ମନୋରମ ପ୍ରାସାଦରେ ପରିଣତ କଲା । ଦାସ ଦାସୀମାନଙ୍କୁ ନିଯୁକ୍ତି ଦେଲା । ଏହି ସବୁ କାମରେ ପନ୍ଦର ଦିନ ସମୟ ବିତିଗଲା ।
ଶେଷ ଦିନରେ ସେ ଏକ ଅତ୍ୟନ୍ତ ଧନୀ ବଣିକଙ୍କ ବେଶ ଧାରଣ କରି, ସାଥିରେ ମୂଲ୍ୟବାନ ଉପହାର ନେଇ, ଏକ ସୁସଜ୍ଜିତ ଗାଡିରେ ବସି ରାଜପ୍ରାସାଦରେ ରାଜାଙ୍କୁ ସାକ୍ଷାତ କରିବା ପାଇଁ ବାହାରିଲା । ସେତେବେଳେ ତା’ର ମନରେ କେତେ କ’ଣ ଭାବନା ଖେଳି ବୁଲୁଥାଏ ।
ଅନ୍ତଃପୁରରେ ପ୍ରବେଶ କରି ସେ ଜାଣିବାକୁ ପାଇଲା ଯେ, ଗତ ଦୁଇମାସ ହେଲା ରାଜା ଗୁରୁତର ଅସୁସ୍ଥ ଅବସ୍ଥାରେ ପଡିଛନ୍ତି । ତାଙ୍କ ପିଠିରେ ଏକ ବିରାଟ ଘାଆ ବାହାରିଛି, ଯାହାକୁକି କୌଣସି ବୈଦ୍ୟ ଚିକିତ୍ସା କରି ଭଲ କରିପାରୁନାହାଁନ୍ତି । ସେହି କାରଣରୁ ରାଜା ଅତିଶୟ ଯନ୍ତ୍ରଣା ଭୋଗୁଛନ୍ତି ଓ ତାଙ୍କ ଚକ୍ଷରୁ ଅଶ୍ରୁଧାରା ଶୁଖୁନାହିଁ ।