ବାଙ୍ଗ୍ କହିଲା, “ହଜୁର୍ ମୁଁ ମୋ ବହୁଦିନର ସଂଚିତ୍ତ ଅର୍ଥକୁ ଦେଇ ତା’ଠାରୁ ଜମି କିଣିଛି ।”
ବିଚାରପତି ପଚାରିଲେ “ତେବେ ଏହାର କ’ଣ ପ୍ରମାଣ ଅଛି?” ଏଭଳି କଥା ଶୁଣି ବାଙ୍ଗ୍ର ମୁହଁ ହଠାତ୍ ଶେଥା ପଡିଗଲା । ବ୍ୟବସାୟୀ ସଙ୍ଗେ ହୋଇଥିବା ସମସ୍ତ କଥାବାର୍ତ୍ତା ସେ ବିଚାରପତିଙ୍କୁ କହିଲା ।
ବିଚାରପତି ଜାଣିପାରିଲେ ଯେ ବ୍ୟବସାୟୀ କଳସ ସବୁ ଦେଖି ଏ ପ୍ରକାର ବଦଳି ଯାଇଛି । ତଥାପି କିଛି ସମୟ ଭାବିବା ପରେ ବିଚାରପତି କହିଲେ, “ସାଧାରଣତଃ ଭାଗ୍ୟ ଦେବତାଙ୍କର କୃପା ବ୍ୟବସାୟୀଙ୍କ ଉପରେ ବେଶି ଥାଏ । ତେଣୁ ଏ କଳସ ଦୁଇଟି ମଧ୍ୟ ତାଙ୍କର ।” ତା’ପରେ ସେ କଳସ ଦୁଇଟି ବ୍ୟବସାୟୀଙ୍କ ହାତରେ ଦେଲେ । ତା’ପରେ ବଡ ସନ୍ତୋଷରେ ସେ ସେଠାରୁ ଚାଲିଗଲା । ତଥାପି ବାଙ୍ଗ୍ ଧୈର୍ଯ୍ୟର ସହିତ ବିଚାରପତିଙ୍କୁ କହିଲା, “ମହାଶୟ, କଳସ ତ ମିଳିଲା ନାହିଁ ଏବେ ଅତି କମ୍ରେ ମୋ ଜମି ଯେପରି ମୁଁ ଫେରିପାଏ ।”
ତା’କଥା ଶୁଣି ବିଚାରପତି ବାଙ୍ଗ୍ଙ୍କୁ କହିଲେ, “ସେ ବିଷୟରେ ତୁମେ ମୋଟେ ଚିନ୍ତା କରନାହିଁ । ସବୁକିଛି ଶେଷରେ ତୁମରହିଁ ହେବ ।”
ପରଦିନ ସକାଳୁ ବିଚାରପତି ତାଙ୍କ ସଙ୍ଗରେ କିଛି ସିପାହୀଙ୍କୁ ନେଇ ସେ ବ୍ୟବସାୟୀର ଘରକୁ ଗଲେ ଓ ତାକୁ ବନ୍ଦୀ କଲେ । କ୍ରମେ ଏହି ଖବର ଚାରିଆଡେ ବ୍ୟାପିଗଲା । ଗ୍ରାମରୁ ବହୁତ ଲୋକ ଆସି ସେଠାରେ ଜମା ହେଲେ । ବିଚାରପତି ଲୋକମାନଙ୍କୁ ଦେଖି କହିଲେ, “ଭାଇମାନେ, କାଲି ଏହି ବ୍ୟବସାୟୀ ମିଛରେ କହିଲା କି ସେ ସୁନା କଳସ କ୍ଷେତରୁ ପାଇଛି । କିନ୍ତୁ ଏହି ସୁନା କଳସ ତ ରାଜାଙ୍କ ସମ୍ପତ୍ତି ମଧ୍ୟରୁ ଚୋରୀ ହୋଇଛି । ମୋତେ ଏବେ ଏ ଖବର ମିଳିଲା । ସେଥିପାଇଁ ମୁଁ ତାକୁ ବନ୍ଦୀ କଲି । ଏବେ ତାକୁ ଦଣ୍ଡ ମଧ୍ୟ ମିଳିବ ।”
ଏକଥା ଶୁଣି ସେ ଅନୁଭବ କଲା କି ତା’ର ଯେପରି ମସ୍ତିଷ୍କ ପାଗଳ ହୋଇଯିବ । ସେହି ଡରରେ ସେ ଥରି ଥରି କହିଲା, “ହଜୁର୍, କାଲି ମୁଁ ମିଛ କହିଛି । ହେଲେ ମୁଁ ତ କୌଣସି ଅପରାଧ କରିନାହିଁ । ପ୍ରକୃତରେ ମୁଁ ଏହି କଳସ ବିଷୟରେ କିଛିବି ଜାଣେ ନାହିଁ । ଅନାବାଦୀ ଜମି ମୁଁ କେତେଦିନ ଆଗରୁ ବାଙ୍ଗ୍କୁ ବିକି ଦେଇଥିଲି । ତେଣୁ ଏ ଚୋରୀ ହେବା ପଛରେ କେବଳ ତା’ରହିଁ ହାତ ଥାଇପାରେ । ଗତକାଲି ଜମି ଭିତରୁ କଳସ ବାହାର କରି ଓଲଟା ନିଜର ଅପରାଧକୁ ମୋ ଉପରେ ସେ ଆରୋପ କରୁଛି । ଦଣ୍ଡ ତ ବାଙ୍ଗ୍କୁ ମିଳିବା ଉଚିତ୍ ।”
ବିଚାରପତି ପଚାରିଲେ “ତୁମେ ଯେ ବାଙ୍ଗ୍କୁ ଜମି ବିକିଛ ତା’ର ପ୍ରମାଣ କ’ଣ?” ବ୍ୟବସାୟୀ ତତ୍କ୍ଷଣାତ୍ ଋଣପତ୍ରଟି ଆଣି ଦେଖାଇଲା । ବିଚାରପତି ଋଣପତ୍ର ଓ କଳସ ଉଭୟକୁ ବାଙ୍ଗ୍କୁ ଦେଇଦେଲେ । ତା’ପରେ କହିଲେ, “ଭାଇମାନେ, ବ୍ୟବସାୟୀ ବଡ ଠକ । ବାଙ୍ଗ୍ର ସରଳତାର ସୁଯୋଗ ନେଇ ନିଜର ଅନାବାଦୀ ଜମିକୁ ବାଙ୍ଗ୍କୁ ଦୁଇଗୁଣ ଦାମ୍ରେ ବିକିଛି । ବାଙ୍ଗ୍ର ଜମିରେ ସୁନାର କଳସ ମିଳିବାରୁ ତାକୁ ମଧ୍ୟ ତା’ଠାରୁ ନେଇ ଯିବା ପାଇଁ ସେ ମିଛ କହିଛି । କାଲି ମୁଁ ତା’ କଥା ବିଶ୍ୱାସ କରିଛି ବୋଲି ଯାହା ଖାଲି ଅଭିନୟ ମାତ୍ର କରିଥିଲି । ଏ କଳସ ରାଜାଙ୍କର ନୁହେଁ, ବାଙ୍ଗ୍ ତା’ ଜମିରୁ ପାଇଥିବାରୁ ଏହା ଉପରେ କେବଳ ତା’ରହିଁ ଅଧିକାର, ସତରେ ଭାଗ୍ୟ ଦେବତା ତା’ ଉପରେ ପ୍ରସନ୍ନ ହୋଇଛନ୍ତି ।”
ଏ ବିଚାରରେ ବାଙ୍ଗ୍ ବହୁତ ଖୁସି ହେଲା । ବିଚାରପତିଙ୍କ ଏପ୍ରକାର ବିଚାର ଯୋଗୁଁ ଗ୍ରାମ ଲୋକେ ତାଙ୍କର ଭୁରି ଭୁରି ପ୍ରଶଂସା କଲେ ।