ଅସହଯୋଗ ଆନ୍ଦୋଳନ ପାଇଁ ଓଡିଶାର ଗାଁ ଗହଳିରେ ଜନସଚେତନତା ସୃଷ୍ଟି କରାଗଲା । ସୁତରାଂ ଗୋଟିଏ ଗାଁରେ ଗାନ୍ଧିଙ୍କ ବାଣୀ ପ୍ରଚାର ପାଇଁ ଯାଉଥାନ୍ତି ମହତାବଜୀ ଏବଂ ତାଙ୍କର ବନ୍ଧୁ କରୁଣାକର ପାଣିଗ୍ରାହୀ । ଖାଇବା ପିଇବା ଭୁଲି କଠିନ ପରିଶ୍ରମ କରିବାରୁ ମହତାବଙ୍କୁ ଭୀଷଣ ଜ୍ୱର ହେଲା । ଫଳରେ ଚିକିତ୍ସା ଓ ବିଶ୍ରାମ ପାଇଁ ସେ ଦୁଇବନ୍ଧୁଙ୍କୁ ଆଶ୍ରମକୁ ଫେରିଯିବାକୁ ହେଲା ।
ଆଶ୍ରମକୁ ଫେରିଆସିବା ଲାଗି ସେମାନଙ୍କୁ ରେଳଗାଡି ଚଢି ଆସିବାକୁ ପଡେ । ସୁତରାଂ ସେ ଦୁହେଁ ଉଦୁଉଦିଆ ଖରାବେଳରେ ଷ୍ଟେସନ ଅଭିମୁଖେ ଚାଲିଲେ । ସୂର୍ଯ୍ୟଙ୍କ ତାତି ସାଙ୍ଗକୁ ଶରୀରରେ ଜ୍ୱରର ତାତି ଏକାଠି ମିଶିଯିବାରୁ ତାଙ୍କୁ ଭାରି ଶୋଷ ହେଲା । ବାଟରେ ସେମାନେ ଗୋଟିଏ ହେଲେ କୂଅ କି ପୋଖରୀ ଦେଖିଲେ ନାହିଁ, ପାଣି ପାଇବେ ବା କେଉଁଠୁ?
ଦୁହେଁ ତୃଷାର୍ତ୍ତ କଣ୍ଠରେ ଆଗେଇ ଚାଲିଛନ୍ତି । ବାଟରେ ଦେଖିଲେ ଜଣେ ଚାଷୀ ତା’ ଜମିରେ ହଳ କରୁଛି । ସେ ତା’ ପିଇବାପାଇଁ ହିଡ ଉପରେ ପାଣି ମାଠିଆଟିଏ ରଖିଛି । ଏହା ଦେଖି ମହତାବ ସେ ଚାଷୀ ପାଖକୁ ଯାଇ କହିଲେ, “ଭାଇ! ଶୋଷରେ ଆମର ତଂଟି ଶୁଖିଯାଉଛି । ପାଣି ମୁନ୍ଦିଏ ଦେଲେ ଅନ୍ତତଃ ଆମର ପ୍ରାଣ ରକ୍ଷା ହୋଇଯିବ ।”
ହେଲେ ସେ ଚାଷୀଜଣକ ବିରକ୍ତ ହୋଇ କହିଲା, “ଏଠି ପାଣି ଫାଣି କିଛି ବି ନାହିଁ । ମାଠିଆରେ ତ ଅଳ୍ପ ପାଣି ଅଛି ଯାହାକୁକି ମୁଁ ମୋ’ ପାଇଁ ରଖିଛି । ମୋତେ ଶୋଷ ଲାଗିଲେ କେଉଁଠୁ ପାଇବି? ଯାଅ, ଆଗରେ ଗାଁ ଅଛି, ସେଠୁ ପାଣି ପିଇ ନେବ ।” ମାତ୍ର ଆଗକୁ ଚାଲିଚାଲି ଯାଇ ଗାଁରେ ପହଁଚିବା ଲାଗି ସେମାନଙ୍କ ପାଖରେ ଆବଶ୍ୟକ ଶକ୍ତି ନଥିଲା । ତା’ପରେ ମହତାବଜୀ ଚାଷୀକୁ ନିଜ ପକେଟରୁ ପଇସାଟିଏ ବାହାର କରି ଦେବାରୁ ସେ ରାଜିହେଲା । ତା’ପରେ ମାଠିଆରେ ଥିବା ଖୁବ୍ ଅଳ୍ପ ପାଣିକୁ ସେମାନେ ଦୁଇ ବନ୍ଧୁ ବାଂଟିକରି ପିଇଲେ ।”
ଆଗରେ ଷ୍ଟେସନ ଝାପ୍ସା ଝାପ୍ସା ହୋଇ ଦେଖାଯାଉଥାଏ । ଦୁହିଁଙ୍କୁ ପ୍ରବଳ ଭୋକ ଲାଗିଲାଣି, ତୃଷା ବି ମେଂଟୁ ନାହିଁ ସେମାନଙ୍କର । ସେମାନେ ଏକ ଗାଁ ଦାଣ୍ଡରେ ଚାଲିଛନ୍ତି । ଦେଖିଲେ ଜଣକର ବାରଣ୍ଡାରେ ପଖାଳ କଂସାଏ ବଢାଯାଇଛି । ସେ ପାଖରେ କେହି ନାହାଁନ୍ତି ସିନା, ହେଲେ ଘର କବାଟ ଖୋଲା ଅଛି ।
ଏହାକୁ ଦେଖି ସେମାନେ ତାଙ୍କ ପ୍ରବଳ ଭୋକ ଆଉ ସମ୍ଭାଳିପାରିଲେ ନାହିଁ । କାହାକୁ କିଛି ନ କହି ସେମାନେ ତୋରାଣିତକ ଢକଢକ କରି ପିଇଦେଲେ । ଏକଥା ସବୁ ଜାଣିଲା ପରେ ସେ ଘରର ମାଲିକ ସେମାନଙ୍କର ପରିଚୟ ପାଇ ପେଟପୂରା ସେମାନଙ୍କୁ ଖାଇବାକୁ ଦେଲା । ସେଠାରେ କିଛି ସମୟ ବିଶ୍ରାମ କଲା ପରେ ସେ ଦୁହେଁ ଷ୍ଟେସନରେ ଯାଇ ପହଁଚିଲେ ।
ଅସହଯୋଗ ଆନ୍ଦୋଳନ ବେଳେ ମହତାବଙ୍କୁ ଅନେକ କଷ୍ଟ ସହିବାକୁ ପଡିଥିଲା । ଥରେ ଏକ ଗାଡିରେ ବିଲାତି ଲୁଗା ଆସୁଥିଲା । ସେତେବେଳେ ମହତାବଜୀ ନିଜ ଜୀବନକୁ ପାଣି ଛଡେଇ ଗାଡି ଆଗରେ ଯାଇ ଶୋଇଗଲେ । ତା’ପରେ ସେଠାରୁ ଗିରଫ୍ ହୋଇ ସେ ଜେଲ୍ ଗଲେ ।
ଏକଦା ମହତାବ ଜେଲ୍ଦଣ୍ଡ ଭୋଗୁଥିବାବେଳେ କନିକା ରାଜା ତାଙ୍କୁ ଭେଟି ସାନ୍ତ୍ୱନା ଜଣାଇବାକୁ ଯାଇ କହିଲେ, “ତୁମେ ତ ରାଜାପୁଅ । ହେଲେ ଏ ମୂର୍ଖ ଅଶିକ୍ଷିତ ଯୁବକମାନଙ୍କ ସହିତ କାହିଁକି ଡେଉଁଛ? ପୁଣି ଏତେ ଦୁଃଖକଷ୍ଟ କାହିଁକି ବା ସହୁଛ? ମୋ କଥା ମାନି ଘରକୁ ଫେରିଚାଲ । ତୁମର ମୁକ୍ତି ପାଇଁ ମୁଁ ନିଜେ ଗୋରା ସରକାରଙ୍କୁ ସୁପାରିସ୍ କରିବି ।”
ଏହା ଶୁଣି ମହତାବ ଦୃଢକଣ୍ଠରେ କହିଲେ, “ମୁଁ ଜଣେ ଅସହଯୋଗୀ । କାହାର ଅନୁଗ୍ରହ ଉପରେ ନିର୍ଭର କରି ମୁଁ ଏ କର୍ମକ୍ଷେତ୍ରକୁ ବାହାରି ନାହିଁ । ଆପଣ ଆପଣଙ୍କ ବାଟରେ ଯାଆନ୍ତୁ । ମୁଁ ଆପଣଙ୍କଠୁଁ ଏ ମୂଲ୍ୟହୀନ ଉପଦେଶ ଶୁଣିବାକୁ ମୋଟେ ଚାହେଁନି ।”
ଏହିଭଳି କଷ୍ଟରେ ଯେଉଁ ମହାତ୍ମାଙ୍କର ଜୀବନୀ କଟିଥିଲା, ଇଣ୍ଡିଆ ସ୍ୱାଧୀନ ହେଲା ପରେ ଆମ ରାଜ୍ୟ ଓଡିଶାର ସେ ହେଲେ ପ୍ରଥମ ମୁଖ୍ୟମନ୍ତ୍ରୀ । ତାଙ୍କ ଉଦ୍ୟମରେ କଟକରେ ବେତାର କେନ୍ଦ୍ର, ଏସିଆର ବୃହତ୍ତମ ନଦୀବନ୍ଧ ଯୋଜନା ହୀରାକୁଦ ବନ୍ଧ ଓ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ନିର୍ମିତ ହୋଇଥିଲା ।
ଏହାଛଡା ମହତାବଜୀ ଥିଲେ ଜଣେ ମହାନ୍ ଯୁଗପୁରୁଷ ଓ ସଂଗ୍ରାମୀ । କବି, ଗାଳ୍ପିକ, ସାହିତ୍ୟିକ, ଐତିହାସିକ ଓ ସଂସ୍କାରକ ଭାବରେ ତାଙ୍କର ଭାରି ନାଁ ଥିଲା ।