ରାଜା କହିଲେ – ତୁମେ ତାଙ୍କ ଭାଣ୍ଡ ସାଙ୍ଗରେ ତାଳ ଦେଇ ବିଜୟୀ ହୋଇ ପାରିବ ତ । ନୋହିଲେ ତୁମେ ଯେ ଅପମାନରେ ମୁଣ୍ଡ ଟେକି ପାରିବନି । ଗୋପାଳ କହିଲା – ଆପଣଙ୍କ ଆଶୀର୍ବାଦରୁ ସଂସାରରେ ଯେତେ ଭାଣ୍ଡ ଅଛନ୍ତି, ସେ ସମସ୍ତେ ଏକତ୍ରିତ ହେଲେ ସୁଦ୍ଧା ତଥାପି ଗୋପାଳ ସେମାନଙ୍କ ମୁହଁକୁ ମୋଡି ଦେଇ ଜୟନାଗରା ବଜାଇ ଆସିବ । ସେଥି ପାଇଁ ଚିନ୍ତା କରୁ ଛନ୍ତି କାହିଁକି । ଆଗେ କ୍ଷେତ୍ର ଉପରକୁ ଚାଲନ୍ତୁ ତେଣିକି ଗୋପାଳର କଥା ଦେଖିବେ । ରାଜା ହସି ହସି କହିଲେ – ତାହା ହେଲେ ଶିଙ୍ଗରେ ତେଲ ମାରି ଆସ । ଲଢାଇ କରି ଦଶ ହଜାର ଟଙ୍କା ଘେନି ଆସିବ କି କଦଳୀ ଖାଇ ଆସିବ । ମୁଁ ଯାଉଛି ପ୍ରସ୍ତୁତ ହୁଏ । ହଁ ଯେପରି ମୋର ରାଜ୍ୟର ସମ୍ମାନ ରୁହେ, ସେ ପ୍ରତି ସାବଧାନ ଥିବ ।
ରାଜା କୃଷ୍ଣ ଚନ୍ଦ୍ର ଏହା କହି ଚାଲି ଗଲେ । ଗୋପାଳ ଭାଣ୍ଡ ଯାଇ ପ୍ରସ୍ତୁତ ହୋଇ ଆସିଲେ । ଶୁଭ ବେଳା ଦେଖି ରାଜା ଓ ଗୋପାଳ ବର୍ଦ୍ଧମାନ ଯାତ୍ରା କଲେ । କୃଷ୍ଣ ଚନ୍ଦ୍ର ରାଜା ବର୍ଦ୍ଧମାନରେ ପହଁଚିବା ମାତ୍ରେ ବର୍ଦ୍ଧମାନ ରାଜା ତାଙ୍କୁ ପାଛୋଟି ନେଇ ଯଥା ଯୋଗ୍ୟ ସିଂହାସନ ଦେଲେ ।
ସେଦିନ ଭାଣ୍ଡ ଲଢେଇ ଦେଖିବା ପାଇଁ ହଜାର ହଜାର ଲୋକ ଠୁଳ ହୋଇ ଥାଆନ୍ତି । ହେଲେ ମଧ୍ୟ କାହାରି ମୁହଁରୁ କଥା ବାହାରୁ ନଥାଏ ସମସ୍ତେ ନୀରବ ହୋଇ ଭାଣ୍ଡ ଦୁହିଁଙ୍କୁ ଚାହିଁ ଥାନ୍ତି ଭାଣ୍ଡ ଭାଣ୍ଡ ମୁହାଁ ମୁହିଁ ହୋଇ ପରସ୍ପର ପରସ୍ପରର ଛିଦ୍ର ଉଣ୍ଡି ରାଜାଙ୍କ ଆଜ୍ଞାକୁ ଅପେକ୍ଷା କରି ଥାନ୍ତି । ରାଜାଙ୍କର ହୁକୁମ୍ ହେଲା ଭାଣ୍ଡ ଦୁହେଁ ପ୍ରଶ୍ନ ଉତ୍ତର କଲେ । କିନ୍ତୁ ପ୍ରତ୍ୟେକ କଥାରେ ଗୋପାଳ ଭାଣ୍ଡର ଜିତାପଟ ହେଲା । ବର୍ଦ୍ଧମାନ ଭାଣ୍ଡ ହାରି ଯାଇ ରାଗରେ ନିଆଁ ବାଣ ପରି ଜଳି ଉଠିଲା । ରାଜା ଦୁହେଁ ନଥିଲେ କିମ୍ବା ସଭା ଜଗି ନଥିଲେ ସେ ଗୋପାଳକୁ ମାରି ଦେଇ ଥାନ୍ତା ।
ବର୍ଦ୍ଧମାନ ରାଜା ନିଜ ଭାଣ୍ଡର ହାର ପଟ ଓ ରାଗ ଦେଖି ଗୋଟିଏ ବୁଦ୍ଧି ବାହାର କରି ଭାଣ୍ଡ ଦୁହିଁଙ୍କି କହିଲେ – ଆଚ୍ଛା ତୁମେ ଦୁହେଁ ସଭା ମଧ୍ୟରେ ଯେତେ ଗୁଡିଏ ପ୍ରଶ୍ନ ଉତ୍ତର କଲ ସେ ସବୁ କୌତୁକ ପୂର୍ଣ୍ଣ କଥା । ସେଥିରେ କୌଣସି ଶିଖିବାର କଥା ନାହିଁ, ବିଜ୍ଞତାର ପରିଚୟ ବି ନାହିଁ । ତେଣୁ ମୁଁ ତୁମକୁ ଦୁଇ ଥର ପରୀକ୍ଷା କରିବାକୁ ଚାହେଁ । ମୋ ପରୀକ୍ଷାରେ ଯିଏ ଉତୀର୍ଣ୍ଣ ହେବ ସେ ଦଶ ହଜାର ଟଙ୍କା ନେଇ ଅପର ମୁଖେ କଦଳୀ ପୂରାଇ ଦେଇ ଯିବ । ତୁମେ ମାନେ କ’ଣ କହୁଛ?
ବର୍ଦ୍ଧମାନ ରାଜାଙ୍କ ମୁଖରୁ ଏ କଥା ଶୁଣି ଭାଣ୍ଡ ଦୁହେଁ କହିଲେ ଆଜ୍ଞା । କ’ଣ ପରୀକ୍ଷା କରିବାର କରନ୍ତୁ । ସେଥି ପାଇଁ ଆମେ ପ୍ରସ୍ତୁତ ଅଛୁ । ଭାଣ୍ଡ ଦୁହିଁଙ୍କର କଥା ଶୁଣି ବର୍ଦ୍ଧମାନ ରାଜା କହିଲେ ମୋର ପ୍ରଥମ ପରୀକ୍ଷା ହେଉଛି ଏହି କ୍ଷଣେ ଯେ ତୁମେ ଦୁହେଁ ଯାଅ, ଏହି ଦୁଇ ତିନି ଘଂଟା ମଧ୍ୟରେ ମୋତେ ତିନି ଜଣ ଲୋକ ଆଣି ଦେବ । ତା’ ମଧ୍ୟରୁ ଜଣେ ଏ ପାରିର, ଜଣେ ମଧ୍ୟ ସ୍ଥଳର, ବୁଝିଲ? ପାରିବତ ଅତି ଶୀଘ୍ର ଯାଅ ।
ରାଜାଙ୍କର ହୁକୁମ୍ ପାଇ ଭାଣ୍ଡ ଦୁହେଁ ନିଜ ନିଜର ବାଟ ଧରି ବାହାରି ଗଲେ । ବର୍ଦ୍ଧମାନ ଭାଣ୍ଡ ଗୋଟିଏ ନଦୀ ଘାଟରେ ପହଁଚି ଦେଖିଲେ ଯେ ନଦୀର ଦୁଇ ପାଖରେ ଦୁଇ ଜଣ ଲୋକ ପାରି ହେବାକୁ ବସି ଛନ୍ତି । ନାଉରୀଟି ଜଣକୁ ଡଙ୍ଗାରେ ବସାଇ ଆର ପାରିରେ ଛାଡିବାକୁ ଯାଇ ନଦୀ ମଝିରେ ହୋଇଛି । ରାଜାଙ୍କ ପ୍ରଶ୍ନ ଅନୁଯାୟୀ ଏହି ତିନି ଜଣଙ୍କୁ ବର୍ଦ୍ଧମାନ ଭାଣ୍ଡ ଘେନି ଆସିଲା ।
ତେବେ ଗୋପାଳ ଆଉ ଗୋଟିଏ ଦିଗକୁ ଯାଇ ଜଣେ ବ୍ରାହ୍ମଣ ପଣ୍ଡିତ, ଜଣେ ସନ୍ନ୍ୟାସୀ ଆଉ ଜଣେ ବେଶ୍ୟାକୁ ଘେନି ଯଥା ସମୟରେ ରାଜ ସଭାରେ ଉପସ୍ଥିତ ହେଲା । ଗୋପାଳ ସଙ୍ଗରେ ବେଶ୍ୟା, ବ୍ରାହ୍ମଣ ଓ ସନ୍ନ୍ୟାସୀକୁ ଦେଖି ସଭାରେ ଉପସ୍ଥିତ ଥିବା ଲୋକ ମାନେ ଖାଲି ଖେଁ ଖେଁ ହୋଇ ହସି ଉଠିଲେ । ସେମାନଙ୍କୁ ଗୋପାଳ କଥା ଆଶ୍ଚର୍ଯ୍ୟ ଲାଗିଲା ଯେତିକି ତାଙ୍କ ମନରେ କୌତୁକ ଆଣିଲା ସେତିକି । ତଥାପି ସେମାନେ ଉତ୍ତର ଶୁଣିବାକୁ ବସି ରହିଲେ । ଭାଣ୍ଡ ଦୁହେଁ ଲୋକ ତିନି ଜଣଙ୍କୁ ସାଙ୍ଗରେ ଘେନି ପ୍ରବେଶ ହେବାର ଦେଖି ବର୍ଦ୍ଧମାନ ରାଜା ଆଗେ ତାଙ୍କର ଭାଣ୍ଡକୁ ପଚାରିଲେ ତୁମେ କେଉଁ ତିନି ଜଣଙ୍କୁ ଆଣିଛ ଦେଖାଇବ?
ବର୍ଦ୍ଧମାନ ଭାଣ୍ଡ ତାର ଲୋକ ତିନି ଜଣଙ୍କୁ ଠିଆ କରାଇ କହିଲା – ମହାରାଜ । ଏଇ ଦେଖନ୍ତୁ ମୋର ଏ ତିନି ଜଣ ଲୋକ । ଏପାରି, ସେପାରି ଓ ମଧ୍ୟସ୍ଥିତ ଲୋକ । ଏ ଜଣକ ପାରି ହୋଇ ଆସିବା ପାଇଁ ନଦୀର ସେପାରିରେ ଡଙ୍ଗାକୁ ଅପେକ୍ଷା କରିଥିଲା ଆଉ ଏହି ଜଣକ ଡଙ୍ଗାରେ ଯାଇ ମଝି ନଦୀରେ ହୋଇଥିଲା । ଆପଣଙ୍କ ଆଦେଶ ମାତ୍ରେ ମୁଁ ତିନି ଜଣଙ୍କୁ ଘେନି ଆସିଲି । ସତ ମିଛ ପ୍ରମାଣ ବୁଝନ୍ତୁ ।
ନିଜ ଭାଣ୍ଡ ଠାରୁ ପ୍ରମାଣ ବୁଝି ବର୍ଦ୍ଧମାନ ରାଜା ଗୋପାଳ ଭାଣ୍ଡକୁ କହିଲେ – ଗୋପାଳ ତୁମର ଏ ତିନି ଜଣ ଲୋକ କିଏ କଅଣ କହିଲ? ଗୋପାଳ ସେ ତିନି ଜଣଙ୍କୁ ଛିଡା କରାଇ କହିଲା, ମହାରାଜ ଏହି ଯେ ବ୍ରାହ୍ମଣ ପଣ୍ଡିତଙ୍କୁ ଦେଖୁ ଛନ୍ତି, ଏ ହେଉଛନ୍ତି ଏ ପାରିର ଲୋକ । କାରଣ ଇହ କାଳରେ କିପରି ସୁଖ ପାଇବେ, ସୁଖ୍ୟାତି ଅର୍ଜନ କରିବେ । ଦୁଇ ପଇସା ଉପାର୍ଜନ କରି ନିଜର ନାମକୁ ବଡ କରି ତୋଳିବେ, ଏ ସେହି ଚେଷ୍ଟାରେ ଅଛନ୍ତି । ଏହି ଯେଉଁ ସନ୍ନ୍ୟାସୀଟିକୁ ଦେଖୁ ଛନ୍ତି, ଇଏ ଏପରିକି ଧନ ଦୌଲତ ମାୟା, ମୋହ ତ୍ୟାଗ କରି ଭଗବାନଙ୍କ ପାଦ ପଦ୍ମରେ ମନ ରଖି ମୋକ୍ଷ ଲାଭର ଚେଷ୍ଟା କରୁ ଛନ୍ତି । ତେଣୁ ଏ ସେପାରିର ଲୋକ । ଏ ପାରିର ଦୁଃଖ ସୁଖ ସଙ୍ଗେ ୟାଙ୍କର ସମ୍ପର୍କ ନାହିଁ । ଆଉ ମଧ୍ୟ ଯେଉଁ ସ୍ତ୍ରୀ ଲୋକଟିକୁ ଦେଖୁ ଛନ୍ତି, ଏ ହେଉଛି ଜଣେ ବେଶ୍ୟା । ଏହାର ଇହ କାଳ ନାହିଁ କି ପର କାଳ ନାହିଁ । ଦୁଇ ଆଡକୁ ହାତ ବଢାଇ ମଝିରେ ଛଟ ପଟ ହେଉଛି । ଏଣୁ ଏ ମଧ୍ୟ ପଥର ଲୋକ ।
ଏ କଥା ଶୁଣିବା ମାତ୍ରେ ସଭାରେ ଉପସ୍ଥିତ ଥିବା ଲୋକ ମାନେ ଧନ୍ୟ ଧନ୍ୟ କହି ତାଳି ମାରି ଉଠିଲେ – ରାଜା କହିଲେ – ପ୍ରଥମ ପରୀକ୍ଷାରେ ତୁମର ଜୟ ହେଲା ଗୋପାଳ କିନ୍ତୁ ଦ୍ୱିତୀୟ ପରୀକ୍ଷା ଦେବାକୁ ହେବ । ଗୋପାଳ କହିଲା, ତେବେ କୁହନ୍ତୁ ଛାମୁ । ରାଜା କହିଲେ – ତୁମେ ଦୁଇ ଜଣ ଏହି ମୁହୂର୍ତରେ ଦୁଇ ଖଣ୍ଡ ବେଗ ଗାମୀ ଘୋଡା ଚଢି ଯାଅ । ଯିଏ ମୋର ରାଜ କଟକ ଚତୁଃର୍ପାଶ୍ୱ ବୁଲି ଆସି ମୋତେ ଆଗ ଦେଖା ହେବ – ସେହି ହେବ ବଡ ଓ ସେହି ଏ ଟଙ୍କା ଥାଳୀର ଅଧିକାରୀ ହେବ ।