ଆଖି ଖୋଲି ଦେଖିବା ବେଳକୁ ଘରର ସମସ୍ତେ ଆସି ତା ପାଖରେ ଠିଆ ହୋଇଛନ୍ତି । ସଙ୍ଗେ ସଙ୍ଗେ ତା ମାଆ ତାକୁ ପାଣି ଦେଲେ ପିଇବାକୁ । ଏବଂ ତା ମୁହଁ ମଧ୍ୟ ଧୋଇ ଦେଲେ । ଘଟଣା କ’ଣ ବୋଲି ପଚାରିବାରୁ ମୁଳରୁ ଶେଷ ପର୍ଯ୍ୟନ୍ତ ଗୋଟି ଗୋଟି କରି ସବୁ କଥା କହି ଗଲା ଅଜୟ । ସବୁ କଥା ଶୁଣି ମାଆ ଅଜୟର ବଡ ଭାଇଙ୍କୁ କହିଲେ ତୁ ସେ ଛୋଟା ଗୁଣିଆଁ ପାଖକୁ ୟାକୁ ନେଇ ଯାଆ ଆଉ ୟାକୁ ଟିକେ ଝଡା ଝଡି କରି ନେଇ ଆସିବୁ । ଛୋଟା ଗୁଣିଆଁର କଥା ଶୁଣି ଅଜୟ ହଠାତ୍ ଡରି ଗଲା । କାହିଁକିନା ଯାହାକୁ ଡାହାଣୀ ଲାଗି ଥାଏ ଛୋଟା ଗୁଣିଆଁ କିପରି ତାକୁ ମାଡ ମାରେ ଅଜୟ ସେ କଥା ଭଲ ଭାବରେ ଜାଣିଛି । ଅଜୟ କହିଲା ଭାଇ ସେ ଛେଟା ଗୁଣିଆଁ ମୋତେ ବହୁତ ମାରିବ ତେଣୁ ମୁଁ ସେଠାକୁ ଜମା ଯିବିନି । ମାଆ କହିଲେ ସତ କହ ତତେ କାଲି ରାତିରେ କିଏ ଡରାଇଛି । ଯାହା ଦ୍ୱାରା କି ତୁ କେବଳ ଭୂତ ସ୍ୱପ୍ନ ଦେଖୁଛୁ । ତେଣୁ ସେ ଛେଟା ଗୁଣିଆଁ ତତେ ଡେଉଁରିଆ ଦେବ । ତାପରେ ତୁ ନିଶ୍ଚିନ୍ତ ଭଲ ହୋଇ ଯିବୁ । ଏପରି ଭୂତ ସ୍ୱପ୍ନ ମଧ୍ୟ ଆଉ କେବେବି ତୁ ଦେଖିବୁ ନାହିଁ ।
କିନ୍ତୁ ଏ କ’ଣ? ଭାଇ କିଛି କହୁ ନାହାଁନ୍ତି କାହିଁକି । ଅଜୟକୁ ସାଇକେଲ୍ ଆଗରେ ବସାଇ ଛୋଟା ଗୁଣିଆଁ ପାଖକୁ ନେଇ ଗଲେ ତାଙ୍କ ବଡ ଭାଇ । ବାଟରେ ଯାଉ ଯାଉ ଅଜୟ ଭାବିଲା ଥରେ ସେ ସପନି ପ୍ରଧାନକୁ ଡାହାଣୀ ଲାଗି ଥିଲା । ତାକୁ ଯେଉଁ ବେତରେ ମାଡ ହେଲାନା ସେ ମାଡ ଖାଇ ଦାନ୍ତରେ ପାଣି ଗରା ଉଠାଇ ନେଇ ଗଲା । ସେ ଡାହାଣୀ ଚାଲି ଯିବା ପରେ ଘରୁ ପାଂଚ ଦିନ ଯାଏଁ ଉଠି ପାରିଲାନି ସେ ସପନି ପ୍ରଧାନ । ତା ପିଠି ଯାକ ଖାଲି ବେତ ଦାଗ । ଅଜୟ ପୁଣି ନିଜ ବଡ ଭାଇଙ୍କୁ କେତେ କାକୁତି ମିନତୀ ହେଲା । ଯଥା – ମୋର କିଛି ହୋଇନି ମତେ ସେ ଛୋଟା ଗୁଣିଆଁ ପାଖକୁ ନିଅ ନାହିଁ ।
ଏଥର ଅଜୟର ସେ ବଡ ଭାଇ ମୁହଁ ଖୋଲିଲା । କହିଲା ମୁଁ ବୋକା ନୁହେଁ ଯେ ତୋତେ ସେ ଛୋଟା ଗୁଣିଆଁ ପାଖକୁ ନେବି । ମୁଁ ସେ ଭୂତ ଆତ୍ମା କିମ୍ବା ଚିରୁଗୁଣୀରେ ଆଦୌ ବିଶ୍ୱାସ କରେ ନାହିଁ । ତୁ କାଲି ଏଇଠି ଡରି ଥିଲୁ ନା । ବର ଗଛ ପାଖରେ ସାଇକେଲ୍ ରଖି ଭାଇ ଏହି କଥା କହିଲେ । ଆହୁରି ମଧ୍ୟ ଦେଖେ ସେଠାରେ ଆମ ଗାଁ ପାଖ ନରୋତମ ବୁଢା କାଲି ରାତିରେ ମରିଛି । ତୁ ଯମା ଭୟ କରନା କାଲି ରାତିରେ ତାକୁ ଏଇଠି ପୋତା ଯାଇ ଥିଲା । ତୁ କାଲି ଘରକୁ ଆସିଲୁ ରାତି ବାରଟା ପରେ । ପବନ ସାମାନ୍ୟ ହେବାରୁ ସେ ଜଳି ଉଠୁ ଥିଲା । ତୋ ଧାରଣା ହେଲା ଚିରୁଗୁଣୀ ଆଲୁଅ କରୁଛି । ପବନ ହେଲେ ଜୁଇ ଜଳୁ ଥିଲା ଏବଂ ପବନ ବନ୍ଦ ହେଲେ ଜୁଇ ଲିଭୁ ଥିଲା ତୁ ତାକୁ ଚିରୁଗୁଶୀ ଭାବି ଡରିଲୁ ।
ଏଥର ଅଜୟ ହସି ଦେଲା । ତା ଭାଇ କହିଲେ, ତୁ କାଲି ଠେକୁଆ ମାଂସ ଖାଇବା ବିଷୟରେ କିଛି ଭାବିଥିଲୁ କି । ହଁ ଭାଇ ଆମେ ସାଙ୍ଗମାନେ ବସି କଥା ହେଉ ଥିଲୁ ଠେକୁଆ ମାଂସ ଭାରି ସ୍ୱାଦିଷ୍ଟ ତେଣୁ ତାକୁ ଆଣି କେବେ ଦିନେ ଖାଇବା ବୋଲି । ବଡ ଭାଇ କହିଲେ ତେଣୁ ତୁ ସେ କଥା ସ୍ୱପ୍ନରେ ଦେଖିଲୁ । ତୁ ଏଥର ସବୁ ଭୁଲି ଯାଆ । ବୋଉ କହିଚି ମାନେ ସେଠିକି (ଛୋଟା ଗୁଣିଆଁ ପାଖକୁ) ନଗଲେ ସେ ଖରାପ ଭାବିବ । ମୁଁ ସେ ଛୋଟାକୁ କହିବି ସେ ଲୁଣ ମନ୍ତୁରାଇ ତୋତେ ଦେବ ଚାଲ ଯିବା । ଏଥର ଅଜୟ ମନରୁ ଭୟ ସବୁ ଉତୁରି ଗଲା । ସେ ମନ୍ତୁରା ଲୁଣକୁ ନଖାଇ ଫୋପାଡି ଦେଇ ଘରେ ବୋଉଙ୍କୁ ଖାଇଛି ବୋଲି ମିଛ କହିଲା । ଯେତେବେଳେ ଏକୁଟିଆ ସେ ରାତିରେ ଆସିଲା କିଛି ଭୟ ସୃଷ୍ଟି ହେଲେ ସେଇ ଭୟ ହେଉ ଥିବା ଯାଗା ପାଖକୁ ଯାଇ ସେ ନିଶ୍ଚିନ୍ତ ହେଲା ଯେ ଏଠି ଭୟ ବୋଲି କିଛି ନାହିଁ । ଆମକୁ ଆମେ ହିଁ ଡରୁଛେ ।