ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭିନ୍ନ ବିଦ୍ୟା

ପଣ୍ଡିତ ପଦ୍ମନାଭ ସେ ପିଲାଟିର ପ୍ରତିଭା ଦେଖି ବେଶ୍ ମୁଗ୍ଧ ହେଲେ ଓ ତାକୁ ମନେ ମନେ ବହୁତ ଆଶୀର୍ବାଦ କଲେ ।

ଦିନେ ପଣ୍ଡିତ ପଦ୍ମନାଭ ତାକୁ କହିଲେ, “ବାପା! ତୋର ଶାସ୍ତ୍ରଜ୍ଞାନ ଯଥେଷ୍ଟ ହେଲା । କିନ୍ତୁ ମୁଁ ଚାହେଁ ତୁ ଭିନ୍ନ ବିଦ୍ୟା ମଧ୍ୟ ହାସଲ କର । ତା’ହେଲେ ଯାଇ ତୁ ରାଜଦରବାରରେ ମନ୍ତ୍ରୀପଦ ପାଇବାର ଯୋଗ୍ୟ ହେବୁ ।”

ସୋମଦେବ କହିଲା “ଗୁରୁଦେବ! ଭିନ୍ନ ବିଦ୍ୟା କ’ଣ? ଆପଣ ମୋତେ ଯାହା ଶିଖାଇବେ, ମୁଁ ତାହା ଶିଖିବି ।”

ପଣ୍ଡିତ କହିଲେ “ବତ୍ସ! ସେ ବିଦ୍ୟା ମୁଁ ତୋତେ କେବେବି ଶିଖାଇପାରିବି ନାହିଁ । ତୋତେ ବଣ ଭିତରେ ଯାଇ ଜଣେ ଭୀଲ୍ ସର୍ଦ୍ଦାରଠାରୁ ସେସବୁକୁ ଶିଖିବାକୁ ହେବ । ତାହା ହେଉଛି ଚୋରି ବିଦ୍ୟା ।”

ସୋମଦେବ ଚମକିପଡି ପଚାରିଲା, “ମୁଁ କାହିଁକି ଚୋରି ବିଦ୍ୟା ଶିଖିବି?”

ପଣ୍ଡିତ ପଦ୍ମନାଭ ହସିଲେ ଓ କହିଲେ, “ଚୋରି କରିବା ପାଇଁ ନୁହେଁ, ଚୋରି ଧରିବା ପାଇଁ । ମୋର ଇଚ୍ଛା, ତୁ ରାଜାଙ୍କର ପରାମର୍ଶଦାତା ବା ମନ୍ତ୍ରୀ ହେବୁ । ସେଥିପାଇଁ ତ ଖାଲି ଶାସ୍ତ୍ର ଜ୍ଞାନ ନୁହେଁ, ବାସ୍ତବ ଓ ବ୍ୟାବହାରିକ ଜ୍ଞାନ ମଧ୍ୟ ଲୋଡା ।” ପଦ୍ମନାଭ ଏହା କହି ତା’ ମୁଣ୍ଡରେ ହାତ ରଖିଲେ ।

ସୋମଦେବ ଆଉ କିଛି ନକହି ଗୁରୁଙ୍କ ନିର୍ଦ୍ଧେଶ ଅନୁସାରେ ଭୀଲ୍ ସର୍ଦ୍ଦାର ପାଖରେ ବର୍ଷେ ରହି ଯାହା ଶିଖିବାର କଥା ଶିଖିଲା ଓ ତା’ପରେ ସେ ରାଜଧାନୀ ଅଭିମୁଖେ ଚାଲିଲା । ରାଜଧାନୀ ପାଖ ହୋଇ ଆସିଲା । ତାକୁ ଭୀଷଣ ଶୋଷ ଲାଗିବାରୁ ସେ ଜଣେ ବ୍ରାହ୍ମଣର ଘରେ ପହଁଚି ପିଇବା ପାଇଁ କିଛି ପାଣି ମାଗିଲା । ବ୍ରାହ୍ମଣ ତାକୁ ପାଣି ଦେବା ଅବସରରେ ଲକ୍ଷ୍ୟ କଲା  ଓ ବୁଝିଲା ଯେ ସେ ଜଣେ ମାର୍ଜିତ, ଶିକ୍ଷୀତ ଯୁବକ । ତାକୁ ପଚାରି ସେ ତା’ ବିଦ୍ୟାର୍ଜନ ବିଷୟରେ ସବୁ ଜାଣିଲା ଓ କହିଲା, “ବାବୁ, ତମେ ତ ଜ୍ଞାନୀ, କିନ୍ତୁ ଚତୁର କି ନାହିଁ ମୁଁ ଜାଣିବାକୁ ଚାହେଁ । ଆଚ୍ଛା କହିଲ ଦେଖି, ତମ ଆସିବା ପୂର୍ବରୁ ଆମ ଘରକୁ କିଏ ଆସିଥିଲେ?”

ସୋମଦେବ ଥରେ ପଦାକୁ ଯାଇ ଫେରି ଆସି କହିଲା, “ରାଜାଙ୍କ ଚାରିଜଣ ପ୍ରହରୀ ଏଠାକୁ ଆସିଥିଲେ ।”

ବ୍ରାହ୍ମଣ ଆଶ୍ଚର୍ଯ୍ୟ ହୋଇ ପଚାରିଲା “ବାଃ, ତମେ କିପରି ଏକଥା ଜାଣିଲ?”

ସୋମଦେବ କହିଲା “ବାହାରେ ଚାରିହଳ ପଦଚିହ୍ନ ଅଛି । ସେସବୁ ସମାନ ଭାବରେ ପଡିଛି । ରାଜପ୍ରହରୀମାନେ ଏକ ତାଳରେ ଗତି କରନ୍ତି । ସେହିସବୁ ପଦଚିହ୍ନରୁ ବୁଝିହେଲା ଆଗନ୍ତୁକମାନେ କିଏ ।”

ବ୍ରାହ୍ମଣ ପଚାରିଲା “ବାଃ, ବାଃ । ଆଚ୍ଛା ବାବୁ, ଆଉ ଗୋଟାଏ କଥା । ଆଜି ରାଣୀ ମନ୍ଦିରକୁ ଆସିଥିଲେ । ତାଙ୍କ ହାତରୁ ଖଣ୍ଡିଏ ହୀରା ଖସି ପଡିଲା । ରାଣୀ ଉଆସରେ ପହଁଚି ସେକଥା ବୁଝି ତାହା ଖୋଜିବାକୁ ଲୋକ ପଠାଇଲେ; କିନ୍ତୁ ସେତେବେଳକୁ କିଏ ହୀରା ଉଠାଇନେଇ ଗଲାଣି । ତମେ ଏ ବିଷୟରେ କିଛି କହିପାରିବ?”

“ଅପେକ୍ଷା କରନ୍ତୁ ।” ଏହା କହି ସୋମଦେବ ସେଠାରୁ ବାହାରିଗଲା । ସେ ମନ୍ଦିରର ସ୍ଥିତି ଲକ୍ଷ୍ୟ କଲା ଓ ତା’ପରେ ରାସ୍ତାରେ କିଛି ପଡିଥିବାର ଲକ୍ଷ୍ୟ କରି ଜଣେ ସୁନାରୀ ଘର ପର୍ଯ୍ୟନ୍ତ ସେ ଗଲା । ଭିତରକୁ ଯାଇ ସୁନା ଭାଉ କ’ଣ ଥରେ ପଚାରିଦେଇ ଲେଉଟି ଆସି ବ୍ରାହ୍ମଣଙ୍କୁ ସେ କହିଲା, “ଗାଁ ମୁଣ୍ଡରେ ଥିବା ସୁନାରୀ ଘରେ ଖୋଜନ୍ତୁ । ମିଳିଯିବାର ଯଥେଷ୍ଟ ସମ୍ଭାବନା ଅଛି ।”

ବ୍ରାହ୍ମଣ କହିଲା “କିନ୍ତୁ ସୁନାରୀ ଘରେ ଖୋଜା ତ ସରିଛି ।”

ସୋମଦେବ କହିଲା “ସରି ନାହିଁ । ଖୋଜା ବେଳେ ମୁଁ ନିଜେ ରହିବି ।” ବ୍ରାହ୍ମଣ ପ୍ରହରୀମାନଙ୍କୁ ଖବର ଦେଲା । ସେମାନେ ଆସି ସୋମଦେବ ନେତୃତ୍ୱରେ ସୁନାରୀ ଘରକୁ ପୁଣି ଗଲେ । ସୋମଦେବ ଗୋଟିଏ କୋଇଲା ଝୁଡି ଭିତରୁ ହୀରା ବାହାର କରିଦେଲା ।

ଏ ସମ୍ବାଦ ପାଇ ରାଜା ସୋମଦେବକୁ ଡକାଇ ସେ କିପରି ଚୋରୀ ଧରିଲା ସେକଥା ପଚାରିଲେ । ସୋମଦେବ ଉତ୍ତର ଦେଲା, “ମହାରାଜ, ଏଥିରେ କିଛି ଯୋଗାଯୋଗ ରହିଛି । ମୁଁ ପଣ୍ଡିତଙ୍କ ଘରକୁ ଆସିବା ବେଳେ ମନ୍ଦିର ପାଖରେ ଟିକିଏ ବିଶ୍ରାମ କରିଥିଲି । ସେତିକିବେଳେ ଜଣେ ଲୋକ କୋଇଲା ଦୋକାନୀକୁ ଥଟ୍ଟାରେ ପଚାରିବାର ମୁଁ ଶୁଣିଲି: ‘ତମ କୋଇଲାରେ କି ସୁନା ଅଛି ଯେ ସୁନାରୀ ନିଜେ ହଠାତ୍ କୋଇଲା କିଣି ପକାଇଲେ? ତାଙ୍କୁ ତ ମୁଁ କେବେବି କୋଇଲା ବୋଝ ନେଇ ଯିବାର ଦେଖି ନଥିଲି!” ମୁଁ ଏହା ଶୁଣି କୌତୁହଳୀ ହୋଇଥିଲି । ଯେତେବେଳେ ବ୍ରାହ୍ମଣଙ୍କଠୁଁ ମନ୍ଦିର ପାଖରୁ ହୀରା ଉଭାନ୍ ହୋଇଯିବା କଥା ଶୁଣିଲି, ମୋର କାହିଁ ଟିକେ ସନ୍ଦେହ ହେଲା । ବାଟରେ କୋଇଲା ଗୁଣ୍ଡ ପଡିଥାଏ । ତାକୁ ଲକ୍ଷ୍ୟ କରି ସୁନାରୀ ଘରଯାଏଁ ମୁଁ ଗଲି । ତାକୁ ଭେଟିଲି । ଚୋରୀ ନ କରିବା ଲୋକ ଚୋରି କଲେ ତା’ ମୁହଁରେ ଗୋଟାଏ ଆଶଙ୍କା ଭାବ ଥାଏ । ସୁନାରୀ ମୁହଁରେ ମୁଁ ଠିକ୍ ସେହି ଭାବ ଲକ୍ଷ୍ୟ କଲି । ସେ ଯେ ସନ୍ଦେହ ମୁକ୍ତ ରହିବା ପାଇଁ କୋଇଲା କିଣି ତହିଁରେ ହୀରା ଲୁଚାଇ ନେଇ ଆସିଥିଲା, ସେକଥା ବୁଝି ପାରିଲି ।”

ସୁନାରୀ ଏସବୁ ସ୍ୱୀକାର କଲା । ରାଜା ସୋମଦେବଠୁଁ ତା’ ଶିକ୍ଷାଦୀକ୍ଷା କଥା ସବୁ ଶୁଣିଲେ । ଏହା ଭିତରେ ପଣ୍ଡିତ ପଦ୍ମନାଭ ମଧ୍ୟ ରାଜାଙ୍କୁ ସୋମଦେବ ବିଷୟରେ ଚିଠି ଲେଖିଥାନ୍ତି । ସୋମଦେବ ମନ୍ତ୍ରୀ ପଦ ପାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ