ଭୀମ କହିଲା “ମଣିମା! ମୋ ମନ ସଦା ସର୍ବଦା ଉଦାସ ରହେ । ଏମିତି କିଛି ଔଷଧ ଦିଅନ୍ତୁ, ଯାହା ଫଳରେ ମୁଁ ସର୍ବଦା ପ୍ରସନ୍ନ ରହିବି ।”
ରାଜା ପଚାରିଲେ “ତୋର ସମସ୍ୟା କ’ଣ?” ଭୀମ ଏ ପ୍ରଶ୍ନର କୌଣସି ଉତ୍ତର ଦେଇପାରିଲା ନାହିଁ ।
ରାଜା ମଧ୍ୟ ଯେତେ ଚେଷ୍ଟା କଲେ ବି ଭୀମର ଉଦାସ ଭାବର ହେତୁ ମୋଟେ ଧରି ପାରିଲେ ନାହିଁ । ସେ କହିଲେ, “ବୋଧହୁଏ ତୁ କେବେବି ଏ ଗାଁ ବାହାରକୁ ଯାଇ ନଥିବାରୁ ଏମିତି ହେଉଛୁ । ମୋ ସହ ରାଜଧାନୀକୁ ଚାଲ । ସହରରେ କେତେ ମଜା କଥା ଦେଖିବୁ । ଫଳରେ ତୋର ମନ ଖୁସି ରହିବ । ଯେତେ ଦିନ ଇଚ୍ଛା ତୁ ସେଠାରେ ରହିବୁ ।”ଭୀମ ପ୍ରସନ୍ନ ଦେଖାଗଲା ।
ସନ୍ଧ୍ୟାବେଳେ ସେ ସରୋବର କୂଳକୁ ଗଲା । ଉଦ୍ଧେଶ୍ୟ ହେଲା ସୁନା ମୋହରଟି ବାହାର କରି ତାକୁ ନିଜ ସାଙ୍ଗରେ ସହରକୁ ନେଇଯିବ । କିନ୍ତୁ ଦେଖିବା ବେଳକୁ ସେ ଚାରାଗଛଟିକୁ ଛେଳି ଖାଇ ଦେଇଛି । କେଉଁଠି ସେ ମୋହରଟି ପୋତିଥିଲା, ସେକଥା ସେ ଆଉ ଠଉରାଇ ପାରିଲା ନାହିଁ । ଦୁଇ ତିନି ସ୍ଥାନ ଖୋଳିଲା, କିନ୍ତୁ ସେ କିଛିବି ପାଇଲା ନାହିଁ ।
ରାତିରେ ରାଜା ମଣୋହିକୁ ଯିବାବେଳେ ଦେଖିଲେ ଭୀମର ସେ ପ୍ରସନ୍ନ ଭାବ ଆଉ ନାହିଁ । ତେଣୁ ସେ ପଚାରିଲେ, “କିରେ, କ’ଣ ହେଲା?”
ଭୀମ କାନ୍ଦ କାନ୍ଦ ହୋଇ ଉତ୍ତର ଦେଲା “ମଣିମା! ନିଜ ତାକତ୍ରେ ମୁଁ ଯାହା ଉପାର୍ଜନ କରିଥିଲି, ତାହା ସରୋବର କୂଳରେ ପୋତି ଦେଇଥିଲି । ତାହା ଏବେ କୁଆଡେ ଯେ ଗଲା, ମୁଁ ତାକୁ ଖୋଜି ଖୋଜି ଆଉ ପାଉ ନାହିଁ ।”
ଦୟାର୍ଦ୍ର ରାଜା ପଚାରିଲେ “କେତେ ପୋତିଥିଲୁ?”
ଭୀମ ଏଥର ମହା ଅଡୁଆରେ ପଡିଲା । ଗୋଟାଏ ମାତ୍ର ସ୍ୱର୍ଣ୍ଣମୁଦ୍ରା ସକାଶେ, ସେ ଏଡେ ମନ ଖରାପ କରୁଥିବା କଥା ରାଜା ଜାଣିଲେ ହୁଏତ ହସିବେ । ତା’ ପାଟିରୁ ବାହାରି ଗଲା, “ମଣିମା! ଶହେ ସ୍ୱର୍ଣ୍ଣମୁଦ୍ରା!”
“ଆଚ୍ଛା, ଚିନ୍ତା କରନା । ମୁଁ ଗୋଟାଏ ମନ୍ତ୍ର ଜାଣେ । ସେ ମନ୍ତ୍ର ପଢି ଆଖି ଖୋଲିଲେ ମାଟି ତଳେ ଥିବା ଧନରତ୍ନ ମୋତେ ଦେଖାଯାଏ । ମୁଁ ତୋ ମୋହରତକ ବାହାର କରିଦେଇ ପାରିବି ବୋଲି ଆଶା କରୁଛି ।”
ଏହା କହି ରାଜା ଭୀମକୁ ସକାଳେ ଆସିବାକୁ ନିର୍ଦେଶ ଦେଲେ ।
ଭୀମ ସକାଳେ ଆସି ପହଁଚିବାରୁ ରାଜା ତାକୁ ଧରି ସରୋବର କୂଳକୁ ଗଲେ ଓ ଠାଏଁ ଖୋଳିବାକୁ କହିଲେ । ସେଠା ଖୋଳିବାରୁ ଗୋଟିଏ କନା ପୁଟୁଳା ବାହାରିଲା । ରାଜା ଭୀମକୁ କହିଲେ “ଖୋଲି ଦେଖିଲୁ ସେଥିରେ ଶହେ ସ୍ୱର୍ଣ୍ଣମୁଦ୍ରା ଅଛି କି ନାହିଁ!”
ଭୀମର ହାତ ଥରୁଥାଏ । ସେ ଗଣି ଦେଖିଲା, ବାସ୍ତବିକ ତହିଁରେ ଶହେ ସ୍ୱର୍ଣ୍ଣମୁଦ୍ରା ଅଛି!
ରାଜା ତା’ ପିଠି ଥାପୁଡେଇ ଦେଇ କହିଲେ “ପାଇଗଲୁ! ଏଣିକି ତୁ ଖୁସି ରହ ।”
କିନ୍ତୁ ଭୀମ ରାଜାଙ୍କ ଗୋଡତଳେ ପଡିଯାଇ କହିଲା, “ମଣିମା! ଏହା କିନ୍ତୁ ମୋର ନୁହେଁ । ମୁଁ କିଏ, ଆଉ ଏ ଶହେ ସୁନା ମୋହର କିଏ! ମୋତେ ଜମିଦାର ଆପଣେ ଗୋଟିଏ ମୋହର ଦେଇଥିଲେ । ମାତ୍ର ମୁଁ ସେତେବଳେ ଆପଣଙ୍କ ଆଗରେ ଲାଜରେ ଶହେ ବୋଲି କହି ପକାଇଥିଲି । ଏହା ନିଶ୍ଚୟ ଆଉ କାହାର ସମ୍ପତ୍ତି ।”
ରାଜା କହିଲେ, “ସେ ଯାହାର ହେଉ, ଏବେ ତୋତେ ତ ତାହା ମିଳିଗଲା!”
ଭୀମ ହାତଯୋଡି କହିଲା, “ମଣିମା! ଗୋଟାଏ ସୁନା ମୋହର ହରାଇ ମୁଁ କେତେ ମନଦୁଃଖ କରୁଛି । ଯିଏ ଶହେ ସୁନା ମୋହର ହରାଇବ, ତା’ର ମନ କେଡେ ଦୁଃଖ ନ ହେଉଥିବ! ନା, ମଣିମା, ଏହାକୁ ନେଇ ମୁଁ କେବେବି ଶାନ୍ତିରେ ରହିପାରିବି ନାହିଁ ।”
ଏକଥା ଶୁଣି ସେ ରାଜା ହସିଲେ ଓ କହିଲେ, “ଭୀମ! ଏ ମୋହର ତକ ଆଉ କାହାରି ନୁହେଁ, ଏହା ମୋର । ତୁ ଯେ ଶହେ ସୁନା ମୋହର କଦାପି ମଧ୍ୟ ରଖି ନଥିବୁ, ଏକଥା ମୁଁ ଭଲଭାବେ ଜାଣିଥିଲି । ତଥାପି ବି ତୋତେ ଖୁସି କରିବା ସକାଶେ ମୁଁ ଗତ ରାତିରେ ମୋ ଲୋକକୁ ପଠାଇ ଏତକ ଏହିଠାରେ ପୋତାଇଥିଲି । ବର୍ତ୍ତମାନ ଜାଣିଲୁ ତ? ଏ ସମ୍ପତ୍ତି ମୁଁ ତୋତେ ଦେଇଛି । ଆନନ୍ଦରେ ନେଇ ନେ । ବର୍ତ୍ତମାନ ମୋ ସାଥିରେ ଯିବାକୁ ବାହାରିପଡ ।
ଭୀମ ମୁହଁ ପ୍ରସନ୍ନ ଦେଖାଗଲା । ଦୁଇ ଘଂଟା ପରେ ସେ ଆସି ରାଜାଙ୍କୁ ଭେଟିବା ବେଳକୁ କିନ୍ତୁ ତା ମୁହଁ ପୁଣି ଶୁଖିଲା ଦିଶୁଛି ।
ରାଜା ପଚାରିଲେ “କିରେ, ଯିବାକୁ ପ୍ରସ୍ତୁତ ତ?”
ଭୀମ କହିଲା “ମଣିମା! ତେବେ କ’ଣ ମୁଁ ଉପାର୍ଜନ କରିଥିବା ସେହି ମୋହରଟି ଚିରଦିନ ପାଇଁ ହଜିଯିବ? ତାକୁ ନ ପାଇବା ଯାଏଁ ମୁଁ ସହରକୁ ଯାଇ କିପରି ଶାନ୍ତି ପାଇବି?”
ରାଜା ପ୍ରଥମେ କିଛି କହିଲେ ନାହିଁ । ସେ ଖାଲି ଭୀମକୁ ଚାହିଁ ରହିଲେ । ତା’ପରେ କହିଲେ, “ସେ ମୋହରଟି ପାଇଗଲେ ବି ତୁ ଆଦୌ ଶାନ୍ତି ପାଇବୁ ନାହିଁ । ଶହେ ମୋହରରେ ତୁ ଯଦି ଖୁସି ନହେଲୁ, ତେବେ ଗୋଟିକରେ ତୁ କିପରି ଖୁସି ହେବୁ? ତୋ ମନ ଏମିତି ଯେ ତୁ ଅସନ୍ତୁଷ୍ଟ ରହିବାକୁ ଭାରି ଭଲ ପାଉ । ତୋ ଭାଗ୍ୟରେ ମୁଁ ସିନା ସୁଯୋଗ ଯୁଟାଇ ଦେବି, ହେଲେ ସୁଖ ଯୁଟାଇବାର ଶକ୍ତି ମୋର କାହିଁ? ତୁ ଏକା ତୋ ମନୋଭାବ ବଦଳାଇଲେ ଯାଇ ଖୁସିରେ ରହି ପାରିବୁ ।”