ଥରେ ରାଜ୍ୟରେ ଗୋଟିଏ ବାଘ ମାତିଲା । ସେ ଅନେକ ଗୋରୁ, ଗାଈ ଓ ମଣିଷ ମାରି ଖାଇଲା । ପ୍ରଜାମାନେ ଯାଇ ରାଜାଙ୍କ ପାଖରେ ଗୁହାରି କଲେ । ରାଜା ଭୀମସେନକୁ ଡାକି କହିଲେ – “ରାଜ୍ୟରେ ଗୋଟେ ବାଘ ମାତିଛି । ଜନ୍ତୁଟା ଭାରି ଉତ୍ପାତ କରୁଚି । ତୁମେ ଯାଇ ତାକୁ ମାରିଦିଅ ।”
ଭୀମସେନ ସଂଗେ ସଂଗେ କହିଲା – “ମଣିମା, ଏଇଟା ମୋ ପାଇଁ ବଡକଥା ନୁହେଁ । ଆପଣ କହିଲେ ମୁଁ ବାଘଟାକୁ ମାରିଦେବି ବା ବାନ୍ଧିକରି ଛାମୁଙ୍କ ପାଖକୁ ନେଇଆସିବି ।”
ଭୀମସେନ ସିନା ରାଜାଙ୍କ ଆଗରେ ଏ କଥା କହିଦେଲା, କିନ୍ତୁ ବାଘ ନାଁ ଶୁଣି ସେ ଖୁବ୍ ଡରିଯାଇଥିଲା । ସେ ଘରକୁ ଆସି ବାଘକଥା ବୋଧିସତ୍ୱଙ୍କୁ କହିଲା । ବୋଧିସତ୍ୱ କହିଲେ – “ମୋ କଥା ମାନି କାମକଲେ ବାଘ ମରିବ ।” ତୁମେ ବଣକୁ ଯିବ, କିନ୍ତୁ ବାଘ ପାଖକୁ ଯିବନି । ତୁମେ ଯାଇ ସେଠାର ଲୋକମାନଙ୍କୁ କହିବ – ରାଜା ହୁକୁମ୍ ଦେଇଛନ୍ତି ଯେ ଦୁଇହଜାର ଲୋକ ଧନୁଶର ଧରି ବାଘକୁ ଘଉଡାଇବେ । ତୁମେ ଗୋଟିଏ ଜାଗାରେ ଲୁଚିକରି ଥିବ ଓ ଚାରିଆଡକୁ ଚାହୁଁଥିବ । ଲୋକମାନେ ବାଘକୁ ମାରିଦେବେ । ତାପରେ ତୁମେ ଗୋଛାଏ ଲଇ ଧରି ଯିବ ଓ ଲୋକଙ୍କୁ କହିବ – ରାଜାଙ୍କ ହୁକୁମ୍ ଥିଲା ବାଘକୁ ଜୀଅନ୍ତା ବାନ୍ଧି ନେବା ପାଇଁ । ମୁଁ ଲଇ ଆଣିବାକୁ ଯାଇଥିଲି । ତା ଭିତରେ ତୁମେମାନେ ତାକୁ ମାରିଦେଲ । ଯେଉଁମାନେ ବାଘକୁ ମାରିଚନ୍ତି ସେମାନେ ଦଣ୍ଡ ପାଇବେ । ଏ କଥା ଶୁଣିଲେ ଲୋକମାନେ ଡରିଯିବେ । ତୁମକୁ ଟଙ୍କା ପଇସା ଦେଇ ଖୁସିକରାଇବେ । ତା’ପରେ ତୁମେ ରାଜାଙ୍କ ପାଖକୁ ଯାଇ ବାଘକ ମାରିଦେଇଚ ବୋଲି କହିବ । ରାଜା ତୁମକୁ ପୁଣି ପୁରସ୍କାର ଦେବେ ।”
ଭୀମସେନ ବୋଧିସତ୍ୱଙ୍କ କଥା ମାନି ବଣକୁ ଗଲା । ବାଘକୁ ଘଉଡାଇବା ପାଇଁ ଲୋକମାନଙ୍କୁ କହିଲା ଓ ନିଜେ ଲୁଚିରହିଲା । ଲୋକମାନେ ବାଘକୁ ମାରିଦେଲେ । ଏହାପରେ ଭୀମସେନ ମଲା ବାଘଟା ପାଖରେ ଗୋଛାଏ ଲଇ ଧରି ପହଁଚିଗଲା । ସେ ଲୋକମାନଙ୍କୁ ଧମକାଇ କହିଲା – “ତୁମେମାନେ ବାଘକୁ ମାରିଲ କାହିଁକି? ମୁଁ ତ ଲଇ ନେଇ ଆସୁଥିଲି, ତାକୁ ଜୀଅନ୍ତା ବାନ୍ଧି ନେଇଥାନ୍ତି । ରାଜା ସେଇପରି ହୁକୁମ୍ ଦେଇଥିଲେ । ତୁମେମାନେ ସମସ୍ତେ ଦଣ୍ଡପାଇବ ।”