ଭୀମସେନର କଥା ଶୁଣି ଲୋକମାନେ ଡରିଗଲେ । ସେମାନେ ତାକୁ ବହୁତ ଟଙ୍କା ପଇସା ଦେଇ କହିଲେ- “ଆମକୁ ଛାଡିଦିଅ ।” ଭୀମସେନ କହିଲା – “ହଉ, ମୁଁ ରାଜାଙ୍କୁ ବୁଝାଇଦେବି । ତୁମେମାନେ ଏବେ ଘରକୁ ଫେରିଯାଅ ।”
ଲୋକମାନେ ଫେରିଗଲେ । ଭୀମସେନ ରାଜାଙ୍କ ପାଖକୁ ଗଲା । ବାଘକୁ ମାରିଦେଇ ଆସିଚି ବୋଲି କହିଲା । ରାଜା ଖୁସିହୋଇ ତାକୁ ପୁରସ୍କାର ଦେଲେ ।
କିଛିଦିନ ଗଲା । ଗୋଟାଏ ଅରଣା ମଇଁଷି ରାଜ୍ୟରେ ଭାରି ଉତ୍ପାତ କରିବାକୁ ଲାଗିଲା । ଲୋକମାନେ ଆସି ସେକଥା ରାଜାଙ୍କୁ ଜଣାଇଲେ । ସେ ଭୀମସେନକୁ ହୁକୁମ୍ ଦେଲେ – “ଯାଅ, ଅରଣା ମଇଁଷିଟାକୁ ମାରିଦିଅ ।”
ବୋଧିସତ୍ୱ ଭୀମସେନକୁ କହିଲେ – “ଯାଅ, ମୋ କଥା ଅନୁସାରେ କାମ କର ।” ଅରଣା ମଇଁଷି କିପରି ମରିବ ବୋଧିସତ୍ୱ ତା’ର ବାଟ ବତାଇଦେଲେ । ଭୀମସେନ ତାଙ୍କ କଥା ମାନି କାମକଲା । ଲୋକମାନେ ମଇଁଷିଟାକୁ ମାରିଦେଲେ । ଭୀମସେନ ସାଂଗେ ସାଂଗେ ସେଠାରେ ପହଁଚିଗଲା । ସେ ଲୋକମାନଙ୍କୁ କହିଲା – “ତୁମେମାନେ ମଇଁଷିଟାକୁ ମାରିଦେଲ କାହିଁକି? ରାଜାଙ୍କ ଆଦେଶ ଥିଲା ତାକୁ ଜୀଅନ୍ତା ବାନ୍ଧି ନେବାପାଇଁ । ମୁଁ ଲଇ ନେଇ ଆସୁ ଆସୁ ତୁମେମାନେ ତାକୁ ମାରିଦେଲ । ଏବେ ସମସ୍ତେ ଦଣ୍ଡ ପାଇବ ।”
ଲୋକମାନେ ଭୀମସେନର କଥା ଶୁଣି ଡରିଗଲେ । ସେମାନେ କହିଲେ – “ଆମେ ତୁମକୁ ଟଙ୍କା ଦେବୁ – ଆମକୁ ଛାଡିଦିଅ ।” ଭୀମସେନ ରାଜି ହେଲା । ଟଙ୍କା ପଇସାତକ ନେଇ ରାଜାଙ୍କ ପାଖକୁ ଗଲା । ସେ ରାଜାଙ୍କୁ କହିଲା – “ମଣିମା, ମୁଁ ସେଇ ଅରଣା ମଇଁଷିଟାକୁ ମାରିଦେଇଚି ।” ରାଜା ତା’ କଥା ଶୁଣି ଖୁସି ହେଲେ ଓ ତାକୁ ପୁଣି ପୁରସ୍କାର ଦେଲେ ।
ଏମିତି କେତେ ଦିନ ବିତିଗଲା । ଏଥର ଭୀମସେନ ଭାବିଲା – “ମୁଁ କ’ଣ ଏକାକୀ ରାଜାଙ୍କ କାମ କରିପାରିବିନି ଯେ ଚାକରଟାକୁ ସବୁଦିନେ ମୋ ଟଙ୍କାରୁ ଭାଗ ଦେବି? ଏ ଲୋକଟା ମତେ ସାହାଯ୍ୟ ନକଲେ ବି ମୁଁ ରାଜାଙ୍କ କାମ କରିପାରିବି ।” ଏପରି ଭାବି ସେ ବୋଧିସତ୍ୱଙ୍କୁ କହିଲା – “ମୋ କାମ ମୁଁ କରିପାରିବି । ତୁମେ ଏଣିକି ମତେ ସାହାଯ୍ୟ କରିବା ଦରକାର ନାହିଁ ।” ଭୀମସେନର କଥା ଶୁଣି ବୋଧିସତ୍ୱ କିଛି ଉତ୍ତର ଦେଲେନାହିଁ ।