ଏଇ ସମୟରେ ପାଖରାଜ୍ୟର ରାଜା ବାରାଣସୀ ଉପରେ ଆକ୍ରମଣକଲେ । ସେ ବାରାଣସୀକୁ ଚାରିଦିଗରୁ ଘେରାଉ କଲେ । ଆକ୍ରମଣକାରୀ ରାଜା ବାରାଣସୀର ରାଜାଙ୍କ ପାଖକୁ ଖବର ଦେଲେ – “ମତେ ତୁମ ରାଜ୍ୟ ଛାଡିଦେଇ ପଳାଇଯାଅ । ତା’ ନକଲେ ଲଢେଇକୁ ଆସ । ଯେ ଜିଣିବ ରାଜ୍ୟ ତା’ର ହେବ ।”
ଏ ଖବର ପାଇ ବାରାଣସୀର ରାଜା ଭୀମସେନକୁ ଆଦେଶ ଦେଲେ – “ତୁମେ ଯାଇ ଲଢେଇକର ଓ ପାଖ ରାଜ୍ୟର ରାଜାଙ୍କୁ ଆମ ରାଜ୍ୟରୁ ଘଉଡାଇଦିଅ ।”
ଭୀମସେନ ଯାଇ ଏ କଥା ବୋଧିସତ୍ୱଙ୍କୁ କହିଲା । ସେ ଭାବିଲେ – ଏଥର ଭୀମସେନ ମଲା ବୋଲି ଜାଣ । ଭୀମସେନ ତ ତାଙ୍କୁ ଆଗରୁ ଅପମାନ ଦେଇଥିଲା – ସେ କଥା ବୋଧିସତ୍ୱ ଭୁଲିଗଲେ । ସେ ଠିକ୍ କଲେ – ଯାହା ହଉ ମୁଁ ଭୀମସେନକୁ ସାହାଯ୍ୟ କରିବି ।
ବୋଧିସତ୍ୱ ନିଜେ ଯୁଦ୍ଧପୋଷାକ ପିନ୍ଧିଲେ ଓ ଭୀମସେନକୁ ପିନ୍ଧାଇଦେଲେ । ଦୁହେଁ ଗୋଟିଏ ହାତୀ ଉପରେ ବସି ଲଢେଇକୁ ବାହାରିଲେ । ବାରାଣସୀର ପାଇକମାନେ ହାତୀକୁ ମଝିରେ ରଖି ଚାଲିଲେ । ଯୁଦ୍ଧ ବାଜା ବାଜିଉଠିଲା । ସେ ବାଜା ଶୁଣି ଭୀମସେନ ଭୟରେ ଥରିବାକୁ ଲାଗିଲା । ଭୀମସେନକୁ ଡରିବା ଦେଖି ବୋଧିସତ୍ୱ ତାକୁ କହିଲେ – “ଏମିତି ଡରୁଚ କାହିଁକି? ଭାରି ସାହସରେ ତ କହୁଥିଲ ଯେ ରାଜାଙ୍କର ସବୁ କାମ ଏକା ଏକା କରିବ ବୋଲି । ସେ ସାହସ ଗଲା କୁଆଡେ? ଏବେ ତୁମର ସାହସ ଦେଖାଇବାର ବେଳ । ଥରି ଥରି ଯଦି ହାତୀ ପିଠିରୁ ତଳକୁ ଖସିପଡିବ, ତେବେ ହାତୀ ପାଦତଳେ ଚକଟିହୋଇ ମରିବ ।”
ବୋଧିସତ୍ୱଙ୍କ କଥାରେ ବି ଭୀମସେନର ଡର ଗଲାନାହିଁ । ବୋଧିସତ୍ୱ କହିଲେ – “ଭୀମସେନ ! ତୁମେ ଡରନାହିଁ । ମୁଁ ତୁମ ସାଙ୍ଗରେ ଅଛି । ତୁମକୁ ମୁଁ ରକ୍ଷାକରିବି ।”
ତେବେ ବି ଭୀମସେନଙ୍କର ଡର ଗଲାନାହିଁ । ତେଣୁ ବୋଧିସତ୍ୱ ତାକୁ ଘରକୁ ପଠାଇଦେଲେ । ନିଜେ ଶତ୍ରୁମାନଙ୍କ ସାଙ୍ଗରେ ଲଢେଇ କଲେ । ସେ ଶତ୍ରୁ ପଟର ବହୁତ ବୀରଙ୍କୁ ମାରିଦେଲେ । ବୋଧିସତ୍ୱ ଶତ୍ରୁ ରାଜାଙ୍କୁ ବାନ୍ଧିପକାଇ ବାରାଣସୀର ରାଜାଙ୍କ ପାଖକୁ ଆଣିଲେ ।
ବାରାଣସୀର ରାଜା ବୋଧିସତ୍ୱଙ୍କର ବୀରତ୍ୱ ଦେଖି ବଡ ଖୁସିହେଲେ । ସେ ତାଙ୍କୁ ବହୁତ ପ୍ରଶଂସା କଲେ । ରାଜା ବୋଧିସତ୍ୱଙ୍କୁ ଅନେକ ଟଙ୍କା ସୁନା ପୁରସ୍କାର ଦେଲେ । ସେ ତାଙ୍କୁ ନିଜ ପାଖରେ ରଖିଲେ ।
ବୋଧିସତ୍ୱ ଭୀମସେନକୁ ବହୁତ ଟଙ୍କା ସୁନା ଦେଇ ତା’ଘରକୁ ପଠାଇଦେଲେ । ସେ ତ ରାଜାଙ୍କଠାରୁ ବହୁତ ଧନ ପାଉଥିଲେ – ସେ ସବୁ ଧନ ଗରିବମାନଙ୍କୁ ବାଂଟିଦେଲେ ।