ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୁବନସୁନ୍ଦରୀ

ସମ୍ରାଟ ଏକଥା ବିଶ୍ୱାସ କଲେ ଓ ହେମାକୁ ଯଥାଶୀଘ୍ର ତା’ର ପିତାଙ୍କ ନିକଟକୁ ପଠାଇ ଦେଲେ । ତା’ପରେ ଭାମିନୀକୁ ସେ ନିଜର ପରିଚାରିକା ରୂପେ ରଖିଲେ । ସେ ଭାବିଥିଲେ ସେ ସମ୍ରାଟ; ଯାହା ଇଚ୍ଛା ତାହା କରିବେ ଏବଂ କେହିବି ତାଙ୍କର ବିରୋଧ କରିବେ ନାହିଁ । କିନ୍ତୁ ସମ୍ରାଟଙ୍କର ଏପରି ବ୍ୟବହାରରେ ବଜ୍ରକାୟ କ୍ରୋଧରେ ଲାଲ୍ ହୋଇଯାଇ ଘୋଷଣା କଲେ, “ଏବେ ଏହି ଯୁଦ୍ଧରେ ମୁଁ ଆଉ କୌଣସି ପ୍ରକାରରେ ମଧ୍ୟ ଅଂଶ ଗ୍ରହଣ କରିପାରିବି ନାହିଁ ।”

ପୂର୍ବରୁ ତ ସେ ପ୍ରମୋଦିନୀଙ୍କୁ ଦେଖି ତାଙ୍କ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏହି ଘଟଣା ତାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହେଲା । ସେ ନିଜର ସୈନ୍ୟବାହିନୀ ଧରି ଯୁଦ୍ଧଭୂମିରୁ ଦୂରେଇ ଗଲେ ।

ବଜ୍ରକାୟଙ୍କ କଥା ଶୁଣି ଟ୍ରୋଜନଙ୍କର ଆନନ୍ଦର ଆଉ ସୀମା ରହିଲା ନାହିଁ । ସେମାନଙ୍କୁ ଲାଗିଲା ବଜ୍ରକାୟ ପରି ଯୋଦ୍ଧା ଯୁଦ୍ଧ କରିବେ ନାହିଁ ଅର୍ଥ ତାହା ଯେପରି ଦେବତାଙ୍କ ବରଦାନ । ତତ୍କ୍ଷଣାତ୍ ଟ୍ରୋଜନ୍ମାନେ ଗ୍ରୀକ୍ମାନଙ୍କ ଉପରେ ଆକ୍ରମଣ କଲେ ଓ ତାଙ୍କର ଅନେକ ସୈନ୍ୟ ଓ ଶିବିର ଛିନ୍ନଭିନ୍ନ କଲେ । ଏପରି ଅସମ୍ଭାଳ ଅବସ୍ଥା ଦେଖି ସମ୍ରାଟ ଯୁଦ୍ଧ ସମାପ୍ତ ହେଲା ବୋଲି ଏକ ଖବର ଟ୍ରୋଜାନ ରାଜାଙ୍କ ପାଖକୁ ପଠାଇଲେ ।

ଯୁଦ୍ଧ ବନ୍ଦ ହେଲା । ଭୁବନସୁନ୍ଦରୀଙ୍କ ପାଇଁ ଯୁଦ୍ଧ ହୋଇଥିଲା ଏବେ କଥା ହେଲା ଯେ ଯେଉଁ ଭୁବନସୁନ୍ଦରୀ ପାଇଁ; ମୋହନ ଓ ପ୍ରତାପ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି, ସେହି ଦୁଇଜଣ ଦ୍ୱନ୍ଦ୍ୱଯୁଦ୍ଧ କରନ୍ତୁ । ଯିଏ ଜିତିବ ସେ ଭୁବନସୁନ୍ଦରୀକୁ ନେବ । ଦୁଇପକ୍ଷରୁ ଅଯଥା ରକ୍ତପାତ କାହିଁକି ହୋଇଚାଲିଥିବ ।

ଦୁହିଁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଯୁଦ୍ଧ ହେଲେ ମଧ୍ୟ, ମଝିରେ ମୋହନ କୁଆଡେ ଅଦୃଶ୍ୟ ହୋଇଗଲୋ । କୁହାଗଲା ଯେ ମାୟାଦେବୀ ତାଙ୍କୁ ମାୟାରେ ଉଡାଇ ନେଇ ଟ୍ରୋୟନଗରୀରେ ପହଁଚାଇ ଦେଲେ ।

ଦ୍ୱନ୍ଦ୍ୱ ଯୁଦ୍ଧରେ କିଛି ବି ସ୍ଥିର ହୋଇ ପାରିଲା ନାହିଁ । କଂଟକ ନାମରେ ଜଣେ ଟ୍ରୋଜନ ବୀର ପ୍ରତାପଙ୍କ ଉପରକୁ ବାଣ ମାରିଲା । ଏହା ଦେବମୟଙ୍କୁ ଆଦୌ ଭଲ ଲାଗିଲା ନାହିଁ । ସେ ସେହିଠାରେହିଁ କଂଟକକୁ ମାରି ପକାଇଲେ । ତା’ପରେ ବୀରସିଂହ ବଜ୍ରକାୟଙ୍କୁ ଦ୍ୱନ୍ଦ୍ୱ ଯୁଦ୍ଧ ପାଇଁ ଆହ୍ୱାନ କଲେ । କିନ୍ତୁ ବଜ୍ରକାୟ ଖବର ପଠାଇଲେ କି ସେ ଯୁଦ୍ଧକ୍ଷେତ୍ରରୁ ଦୂରକୁ ଚାଲିଯାଇଛନ୍ତି ସେ ଆଉ ମୋଟେ ଯୁଦ୍ଧ କରିବେ ନାହିଁ । ତେଣୁ ଗ୍ରୀକ୍ମାନେ ବୀରସିଂହଙ୍କ ସହିତ ଭୂଧବଙ୍କୁ ଦ୍ୱନ୍ଦ୍ୱ ଯୁଦ୍ଧ କରିବା ପାଇଁ ବାଛିଲେ । ବୀରସିଂହ ଓ ଭୂଧବ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ଯୁଦ୍ଧ କଲେ । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ଜିତିଲେ ନାହିଁ କି ହାରିଲେ ନାହିଁ । ଦୁହେଁ ସମାନ ରହିଲେ । ସୂର୍ଯ୍ୟାସ୍ତ ହେବା ମାତ୍ରେ ଯୁଦ୍ଧ ବନ୍ଦ ହୋଇଗଲା । ଦୁହେଁ ପରସ୍ପରର କୌଶଳକୁ ପ୍ରଶଂସା କଲେ ଓ ଦୁହେଁ ଦୁହିଁଙ୍କୁ ପୁରସ୍କାର ଦେଲେ । ଦୁଇପକ୍ଷ ଭାବିନେଲେ ଯେ ଏବେ ଯୁଦ୍ଧର ପୂର୍ଣ୍ଣ ସମାପ୍ତି ଘଟିଲା । ଗ୍ରୀକ୍ମାନେ ତାଙ୍କର ମୃତ ସୈନିକମାନଙ୍କୁ ଗୋଟିଏ ଗାତ ଖୋଳି ପୋତି ପକାଇଲେ ଓ ସେଠାରେ ଏକ ଉଚ୍ଚ ସ୍ଥାନରେ ଦୁର୍ଗ ପରି ତିଆରି କଲେ । ତା’ ଉପରେ ଏକ କାନ୍ଥ ମଧ୍ୟ ଉଠାଇଲେ, ତା’ର ସମ୍ମୁଖରେ ଏକ ଗଭୀର ଗାତ ଖୋଳିଲେ ଓ ତା’ ପାଖରେ ଏକ ବାଡ ଲଗାଇଲେ ।

କିଛି ସମୟପରେ ଯୁଦ୍ଧ ପୁଣି ଆରମ୍ଭ ହେଲା । ସେଥିରେ ଗ୍ରୀକ୍ମାନେ ସେମାନଙ୍କୁ ବହୁତ ପିଟାପିଟି କରି ଦୂରକୁ ହଟାଇ ଦେଲେ । ସେହିଦିନ ରାତ୍ରିରେ ଟ୍ରୋଜନ୍ମାନେ ସମୁଦ୍ର ପାଖରେ ପହଁଚି ଗ୍ରୀକ୍ମାନଙ୍କ ଜାହାଜଠାରୁ ଟିକିଏ ଦୂରରେ ଡେରା ଲଗାଇଲେ, ଗ୍ରୀକମାନେ ଭାବିଲେ ଯେପରି ହେଉ ପଛେ ବଜ୍ରକାୟଙ୍କୁ ଯୁଦ୍ଧକ୍ଷେତ୍ରକୁ ନେଇ ଆସିବାକୁ ହେବ । କାରଣ ସେ ନଆସିଲେ ତାଙ୍କ ପରାଜୟ ସୁନିଶ୍ଚିତ । ରକ୍ତବର୍ଣ୍ଣ, ରୂପଧର ଓ ଅନ୍ୟ ଦୁଇଜଣ ବୀର ସମ୍ରାଟଙ୍କ ତରଫରୁ ବଜ୍ରକାୟଙ୍କୁ ବୁଝାଇ ଫେରାଇ ଆଣିବାକୁ ଗଲେ, ସମ୍ରାଟ କହି ପଠାଇଲେ, “ତୁମେ ଭାମିନୀକୁ ତୁମର ପରିଚାରିକା କରି ରଖ, କିନ୍ତୁ ଯୁଦ୍ଧ କରିବାକୁ ଫେରି ଆସ ।” ଏହା ଛଡା ସେ ତାଙ୍କ ସକାଶେ ଅନେକ ଧନରତ୍ନ ପୁରସ୍କାର ସ୍ୱରୂପ ପଠାଇଥିଲେ ।

ଭାମିନୀକୁ ବଜ୍ରକାୟଙ୍କୁ ଦେବା ପଛରେ ଅନ୍ୟ ଏକ କାରଣ ମଧ୍ୟ ଥିଲା । ତାହା ହେଲା ହେମା ତା’ ପିତାଙ୍କ ପାଖକୁ ଫେରିଯାଇ କହିଲା, “ମୁଁ ଏଠାରେ ରହିବି ନାହିଁ । ସେଠାରେ ତ ମୁଁ ସ୍ୱର୍ଗସୁଖରେ ଥିଲି ।” ତା’ପରେ ସେ ତା’ର ପିତାଙ୍କ କଥା ନଶୁଣି ସମ୍ରାଟଙ୍କ ପାଖକୁ ପୁଣି ଫେରି ଆସିଥିଲା ।

ବଜ୍ରକାୟ ସମ୍ରାଟଙ୍କ ଦୂତମାନଙ୍କ ସହିତ ବହୁତ ଭଲ ବ୍ୟବହାର କଲେ; କିନ୍ତୁ ନିଜ ନିର୍ଣ୍ଣୟରେ ଅଟଳ ରହି ସେମାନଙ୍କୁ ଫେରାଇ ଦେଲେ ଓ କହିଲେ, “ମୁଁ କାଲି ମୋର ଜାହାଜ ଓ ସୈନ୍ୟଦଳ ଧରି ନିଜ ଦେଶକୁ ଫେରି ଯାଉଛି ।”

ସେହିଦିନ ରାତ୍ରିରେ ରୂପଧର ଓ ଦେବମୟ ଟ୍ରୋଜନମାନଙ୍କ ଶିବିର ଉପରେ ଚଢଉ କରିବା ପାଇଁ ସ୍ଥିର କଲେ, ଯିବା ବାଟରେ ତାଙ୍କ ପକ୍ଷର ଜଣେ ଲୋକକୁ ଏକାକୀ ଦେଖି ତାକୁ ଖୁବ୍ ପିଟିଲେ ଓ ତା’ଠାରୁ ନାନା ଗୁପ୍ତ ସମ୍ବାଦ ଆଦାୟ କରି, ତାକୁ ମାରିପକାଇଲେ । କିନ୍ତୁ ଯେଉଁ ଗୁପ୍ତକଥା ତା’ଠାରୁ ଆଦାୟ କରିଥିଲେ ସେଥି ମଧ୍ୟରେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ଥିଲା । ତାହା ହେଲା – ତେସ ଦେଶର ରାଜା ବିଚ୍ଛେଦନ କିଛି ଦିନ ଆଗରୁ ହିଁ ଟ୍ରୋୟ ଆସିଥିଲେ । ତାଙ୍କ ସହିତ ଏକ ବଡ ସେନାବାହିନୀ ମଧ୍ୟ ଥିଲେ ଓ ସୁନ୍ଦର ଧଳାଘୋଡା ସବୁ ମଧ୍ୟ ଆଣିଥିଲେ । ଯଦି ସେମାନେ ଟ୍ରୋୟ ନଗରରେ ଘାସ ଖାଇ ତାହାର ଦକ୍ଷିଣରେ ଥିବା ସ୍କାମନ୍ଦର ନଦୀରୁ ପାଣି ପିଇ ରହିବେ, ତେବେ ଟ୍ରୋୟନଗରୀକୁ କେହି ହେଲେ ବି ଜିତି ପାରିବେ ନାହିଁ । ବିଚ୍ଛେଦନଙ୍କ ଘୋଡା ଏ ପର୍ଯ୍ୟନ୍ତ ଏଠାରେ ଚରି ନାହାଁନ୍ତି ଏବଂ ରାଜା ବିଚ୍ଛେଦନ ସେହିଦିନ ରାତିରେ ଟ୍ରୋୟ ତରଫର ଡେରାରେ ରହିଛନ୍ତି ।

ଉକ୍ତ ଗୁପ୍ତଚରକୁ ମାରି ଦେବା ପରେ ସିଧା ଯାଇ ବିଚ୍ଛେଦନଙ୍କ ଡେରାରେ ପହଁଚି, ରୂପଧର ଓ ଦେବମୟ, ସୁପ୍ତ ବିଚ୍ଛେଦନ ଓ ତାଙ୍କ ସୈନ୍ୟମାନଙ୍କୁ ହତ୍ୟା କଲେ ଓ ଶ୍ୱେତ ଅଶ୍ୱମାନଙ୍କୁ ନେଇ ନିଜ ଶିବିରକୁ ଫେରି ଆସିଲେ ।

ଏପରି ଭୟଙ୍କର ଘଟଣା ଦେଖି ବିଚ୍ଛେଦନଙ୍କର ଅନ୍ୟ ସୈନ୍ୟମାନେ ଭୟରେ ସେଠାରୁ ଦୌଡି ପଳାଇଲେ କିନ୍ତୁ ଗ୍ରୀକ୍ମାନେ ବାଟରେ ତାଙ୍କୁ ସବୁ ମାରି ପକାଇଲେ ।

ଏସବୁ ସତ୍ତ୍ୱେ ମଧ୍ୟ ପରଦିନ ଯୁଦ୍ଧକ୍ଷେତ୍ରରେ ଗ୍ରୀକ୍ମାନଙ୍କର ଅବସ୍ଥା ଭାରି ଖରାପ ଥିଲା । ସେମାନଙ୍କ ପକ୍ଷର ବୀରମାନେ ଯୁଦ୍ଧକ୍ଷେତ୍ରରେ ଆହତ ହୋଇଥିଲେ । ବୀରସିଂହ ପ୍ରକୃତରେ ନିଜ ନାମ ଅନୁସାରେ ପରମବୀର ଥିଲେ; ସିଂହପରି ଗର୍ଜନ କରି ସେ ଶତ୍ରୁଙ୍କ ଉପରେ ଆକ୍ରମଣ କରୁଥିଲେ ଓ ତାଙ୍କୁ ଛିନ୍ନଭିନ୍ନ କରୁଥିଲେ । ତାଙ୍କର ପରାକ୍ରମ ଆଗରେ କେହି ମଧ୍ୟ ଠିଆ ହୋଇ ପାରୁ ନଥିଲେ । ତା’ପରେ ସେମାନଙ୍କୁ ତଡି ନେଇ ବହୁଦୂରରେ ସେ ଛାଡି ଆସିଲେ । ସେମାନେ ଯତ୍ପରୋନାସ୍ତି ଚେଷ୍ଟା କଲେ ମଧ୍ୟ ବୀରସିଂହଙ୍କର କିଛିବି କରିପାରିଲେ ନାହିଁ ।

ଭୂଧବ ତାଙ୍କ ଉପରକୁ କୁଠାର ଫିଙ୍ଗିଲେ । ତାହା ତାଙ୍କ ଦେହରେ ବାଜିଲା । କ୍ଷଣକ ପାଇଁ ସେ ସଂଜ୍ଞାହୀନ ହୋଇ ପଡିଲେ । ପରେ ପୁଣି ଉଠି ଯୁଦ୍ଧ ପାଇଁ ସେ ଧାଇଁଲେ ଓ ତାଙ୍କ ସୈନ୍ୟମାନଙ୍କୁ ଉତ୍ସାହିତ କଲେ । ସେମାନେ ଗ୍ରୀକ୍ମାନଙ୍କ ଜାହାଜ ଓ ନୌକା ମଧ୍ୟରୁ ଚନ୍ଦ୍ରପ୍ରଭୂଙ୍କ ନୌକାରେ ଅଗ୍ନିସଂଯୋଗ କଲେ । ଏଣେ ଯୁଦ୍ଧ ସେମିତି ଚାଲିଥାଏ । ଚନ୍ଦ୍ରପ୍ରଭୂହିଁ ପ୍ରଥମେ ଟ୍ରୋୟ ଭୂମିରେ ପାଦ ଦେଇଥିଲେ । ସେଦିନ ସେ ବହୁତ ସମୟ ଧରି ଯୁଦ୍ଧ କରି ଶେଷରେ ପ୍ରାଣ ହରାଇଥିଲେ । ଜ୍ୟୋତିଷମାନେ ଭବିଷ୍ୟତ ବାଣୀ କରିଥିଲେ କି ଗ୍ରୀକ୍ମାନଙ୍କ ମଧ୍ୟରୁ ଯିଏ ପ୍ରଥମେ ଟ୍ରୋୟର ଭୂମିରେ ପାଦ ଦେବ ତାହାର ମୃତ୍ୟୁ ସୁନିଶ୍ଚିତ । ଏହା ଜାଣି ମଧ୍ୟ ବୀର ଚନ୍ଦ୍ରପ୍ରଭୂ ପ୍ରଥମେ ଟ୍ରୋୟ ଭୂମିରେ ପାଦ ପକାଇଥିଲେ । ଆଜି ତାଙ୍କର ମୃତ୍ୟୁରେ ସମସ୍ତେ ବୁଝିଗଲେ ଯେ ଜ୍ୟୋତିଷଙ୍କ ଭବିଷ୍ୟତବାଣୀ ଶେଷରେ ସତ୍ୟ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ