ରାଜାପୁର ଗ୍ରାମରେ ରଙ୍ଗନାଥ ନାମରେ ଜଣେ ଲୋକ ଥିଲା । ସେ ସବୁକଥା ଭୁଲି ଯାଉଥାଏ ଓ ସେଥିପାଇଁ ସେ ତା’ ସ୍ତ୍ରୀ ଜାନକୀଠାରୁ ଗାଳି ଖାଏ ।
ଦିନେ ଜାନକୀ ତା’ ସ୍ୱାମୀକୁ କହିଲା, “ଯାଅ ତ ପାଖ ସହରରୁ କିଛି ଜିନିଷ ନେଇଆସ ।” ରଙ୍ଗନାଥ ଏହାଶୁଣି କହିଲା, “ଶୁଣ, ତମେ ତ ଜାଣିଛ ମୁଁ ସବୁକିଛି ଭୁଲିଯାଏ; ତମେ ପୁଣି ଏତେଗୁଡାଏ ଜିନିଷ ବରାଦ କରିଛ । ତେଣୁ କାଗଜରେ ଲେଖିଦିଅ କ’ଣ କ’ଣ ଦରକାର, ସେହି ଅନୁସାରେ ମୁଁ ସଉଦା କରି ଆଣିବି ।”
ଜାନକୀ କହିଲା, ଆଚ୍ଛା, ଏତେଦିନ ପରେ ତୁମ ମୁଣ୍ଡକୁ ଏକ ଭଲ କଥା ଜୁଟିଛି । ଆଗରୁ ତ ଏ ବ୍ୟବସ୍ଥା ତୁମେ କରି ପାରିଥା’ନ୍ତ?” ତା’ପରେ ସେ ହସି ହସି ଗୋଟିଏ କାଗଜରେ ସବୁ ଜିନିଷର ତାଲିକା ଲେଖି ରଙ୍ଗନାଥକୁ ଦେଲା । ରଙ୍ଗନାଥ ଶିଘ୍ର ସହରକୁ ଯିବାର ବନ୍ଦୋବସ୍ତ କଲା । କିଛି ଦୂର ଯିବା ପରେ ରଙ୍ଗନାଥ ଭାବିଲା, “ଟିକିଏ ଦେଖିନିଏ କାଗଜଟା ଠିକ୍ ଅଛି ନା ନାହିଁ । ଯଦି ସେଇଟି ଛାଡି ଚାଲି ଆସିଥାଏ ତ ଗଲା, ଆଜି ଆଉ ମୋର ନିସ୍ତାର ନାହିଁ ।” ଦେଖିଲା ପକେଟରେ ତାଲିକା କାଗଜଟି ସେମିତି ରହିଛି । ରଙ୍ଗନାଥ ଖୁସି ହୋଇଗଲା ଓ ସହର ଆଡକୁ ଚାଲିଲା । ତା’ପରେ ସହରରେ କ’ଣ ହେଲା ସେକଥା କେବଳ ସେ ହିଁ ଜାଣେ ।
ରଙ୍ଗନାଥ ରାତିକୁ ଫେରି ଆସିଲା । ହାତରେ ତା’ର କିଛି ଜିନିଷ ନାହିଁ ଦେଖି ଜାନକୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ସବୁ ଜିନିଷର ନାମ ତ ମୁଁ ଲେଖିଥିଲି; ଫେର୍ କ’ଣ ହେଲା ଯେ ଖାଲି ହାତରେ ଆସିଲ? ପୁଣି କ’ଣ ଭୁଲିଗଲ କି? ତାଲିକା ହୋଇଥିବା କାଗଜଟି ନିଜେ ତ ଅତି ଯତ୍ନରେ ପକେଟରେ ରଖି ସହରକୁ ଗଲ?”