ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୂତତାନ୍ତ୍ରିକ

“ମରି ଗଲିରେ, ମରିଗଲିରେ” ବୋଲି ଚିତ୍କାର କରି ପ୍ରିତୁ ନିଜେ ନିଜେ କହୁଥାଏ । “ଇଏ ମଣିଷ ନା କୌଣସି ଭୂତ?”

“ହେ ଅନ୍ନପୂର୍ଣ୍ଣା, ତୁ କେଉଁଠି ମଲୁରେ?”

“ଆସୁଛି” ଏହା କହି ଅନ୍ନପୂର୍ଣ୍ଣା ଘର ପଛ ପଟରୁ ଘର ଭିତରକୁ ଆସିଲା ଓ ଦୀପ ଜଳାଇଲା । ପ୍ରିତୁ ପାଖକୁ ଆସି ସେ ପଚାରିଲା “ଇଏ କ’ଣ? ଲୁଗା ଉପରେ ତରକାରୀର ଦାଗ, ମୁଣ୍ଡ ଉପରେ ପତରା କଥା କ’ଣ? ଇଏ ନିଶ୍ଚୟ ତାହାରି କାମ ।”

ଅନ୍ନପୂର୍ଣ୍ଣାକୁ ଧରି ବଡ କଷ୍ଟରେ କୁନ୍ଥେଇ କୁନ୍ଥେଇ ସେ ଘର ଭିତରକୁ ଯାଉ ଯାଉ ପଚାରିଲା, “କାହା କଥା କହୁଛ?” ଘରଭିତରକୁ ଆସି ଦେଖିଲା ପତର, ଭାତ, ତରକାରୀ ଏଠି ସେଠି ବୁଣି ହୋଇ ପଡିଛି । ଏସବୁ ଦେଖି ପ୍ରିତୁ ରାଗରେ ଗରଗର ହୋଇ କହିଲା, “ମୋର ଅନୁପସ୍ଥିତିରେ ଯାହାକୁ ମନ ତାକୁ ଆଣି ଖାଇବାକୁ ଦେଇଛ?”

ଅନ୍ନପୂର୍ଣ୍ଣା ଦୀପକୁ ତଳେ ରଖି କହିଲା, “ଯାହା ଇଚ୍ଛା ତାହା କହିଯାଅ । ଆଜି ସକାଳୁ କୌଣସି ପୁଣ୍ୟାତ୍ମାଙ୍କ ଦର୍ଶନ ମୁଁ ହୁଏତ ପାଇଥିଲି, ଖାଲି ସେଇଥିପାଇଁ ତମେ ଆଜି ଭଲରେ ଭଲରେ ବଂଚିଗଲ ।”

ପ୍ରିତୁ କହିଲା “କ’ଣ ସବୁ ବାଜେ କଥା କହୁଛ? ମୁଁ କ’ଣ କହୁଛି ଆଉ ତୁମେ କ’ଣ ଉତ୍ତର ଦେଉଛ ।” ସେ କ୍ରମେ ତା’ସ୍ୱର କମ୍ କରିବାରୁ ଅନ୍ନପୂର୍ଣ୍ଣା ଆଖିରୁ ଲୁହ ପୋଛି କହିଲା, “ଏବେ ପଶ୍ଚାତାପ କଲେ କ’ଣ ବା ହେବ? ତୁମେ ତାନ୍ତ୍ରିକ ନହୋଇ କ୍ଷେତବାଡି ବା ବ୍ୟବସାୟ କଲେ କେତେ ଭଲ ହୁଅନ୍ତା?”

ପ୍ରିତୁ କହିଲା, “କଣ ସବୁ କହିଯାଉଛ । ତୁମକୁ ଆଉ ଭୂତ ଲାଗିନାହିଁ ତ?”

“ଦିନେ ନା ଦିନେ ତ ତାହାହିଁ ଘଟିବ ।” ଶୁଣ ତ ଆଜି କ’ଣ ହେଲା । ତୁମେ ତ ଅନ୍ୟଗ୍ରାମକୁ ଭୂତ ଛଡେଇବାକୁ ଗଲ, ତୁମେ ଛଡାଇବା ଭୂତ ସିଧା ଏଠାକୁ ସେ ଆସିଲା । ମୋତେ ବହୁତ ଗାଳି ଦେଇ ସେ କହିଲା, “ଆରେ ହେ ଭୂତତାନ୍ତ୍ରିକ ପ୍ରିତୁର ସ୍ତ୍ରୀ; ଆମେ ଆମର ଅସମ୍ପୂର୍ଣ୍ଣ ଇଚ୍ଛା ପୂର୍ଣ୍ଣ କରିବାକୁ କାହା ଉପରେ ସବାର ହେଉ, ପେଟଭରି ଖାଇବା ଆମର ଇଚ୍ଛା । ଆଉ ତୋ ସ୍ୱାମୀ ଆମକୁ ତଡୁଛି । ଏଥର ଦେଖ୍; ସିଏ ଫେରି ନିଜର ମନ୍ତ୍ର ପୋଥି ଓ ନିମ୍ବଡାଳ ତଳେ ରଖିବାମାତ୍ରେ ମୁଁ ତା ଉପରେ ଆକ୍ରମଣ କରି ତାକୁ ମାରି ଖାଇବି ତେବେ ଯାଇ ମୋର କ୍ଷୁଧା ମେଂଟିବ ।” ତା’ପରେ ସେ ଘରେ ବସିଗଲା ।

ପ୍ରିତୁ ତା’ର ତମ୍ବା ବାଡି ଧରି ପଚାରିଲା, “କାହିଁ, ସେ କେଉଁଠି ଅଛି?” ତା’ପରେ ସେ ମନ୍ତ୍ର ଉଚ୍ଚାରଣ କରିବାକୁ ଯାଉଥିଲା, ଅନ୍ନପୂର୍ଣ୍ଣ କହିଲା, “କଥାଟା ଆଗ ଶୁଣିସାର ତ । ସେମାନେ ଚାରିଜଣ ଥିଲେ ଓ ବଡ ଭୋକିଲାବି ଥିଲେ । ମୁଁ ସେମାନଙ୍କୁ ରାନ୍ଧି ଖୁଆଇଲି । ସେମାନେ ସନ୍ତୋଷରେ ଖାଇବା ବେଳେ, ମୁଁ ସେମାନଙ୍କୁ ପ୍ରାର୍ଥନା କଲି କି ମୋ ସ୍ୱାମୀଙ୍କୁ ଆଦୌ ମାର ନାହିଁ । ଭୂତମାନେ ମୋ କଥାରେ ସମ୍ମତ ହେଲେ; କିନ୍ତୁ ସେମାନଙ୍କ ମଧ୍ୟରେ ଜଣେ ଛୋଟା ଭୂତ ଥିଲା, ସେ କହିଲା “ତୋ ସ୍ୱାମୀକୁ ମୁଁ ଏତେ ସହଜରେ କଦାପି ଛାଡୁ ନାହିଁ । ମୁଁ ତାକୁ ଟିକି ଟିକି କରି ମାରି ଖାଇବି । ମୁଁ ଏପରି ନକରେ ତ ମୁଁ ରାମପୁରର ରଙ୍ଗା ନୁହେଁ ।” ଏହା କହି ସେ ଗୋଟାଏ ଗୋଡରେ ଠିଆ ହୋଇ ଚିତ୍କାର କଲା, ରାଗିଗଲା । ମୁଁ ଭୟରେ କମ୍ପୁଥାଏ । ତା’ପରେ ତୁମେ ଆସିବାରୁ ବା ମୋ ଉପରେ ଦୟାକରି ସେମାନେ ଏଠାରୁ ପଳାଇଲେ ।

ସବୁକଥା ଶୁଣିବା ପରେ ପ୍ରିତୁ କହିଲା, “ଆଚ୍ଛା, ତାହେଲେ ସେମାନଙ୍କ ମଧ୍ୟରେ ରଙ୍ଗା ବି ଥିଲା? ତେବେ ତ ମୁଁ ବଂଚିଗଲି । ମୋତେ ପାଇଥିଲେ ସେ ତ ଟିକି ଟିକି କରି କାଟି ଖାଇଥା’ନ୍ତା ।” ଏତିକି କହିବା ପରେ ସେ ମନ୍ତ୍ରୋଚ୍ଚାରଣ କରି ପୂଜା ଘରେ ପଶି କବାଟ ବନ୍ଦକଲା ।

ତା’ପରେ ଅନ୍ନପୂର୍ଣ୍ଣା ବଡ ସନ୍ତୋଷରେ ଲମ୍ବା ନିଶ୍ୱାସ ଛାଡିଲା ଓ ମନେ ମନେ ସେ ଭୂତମାନଙ୍କୁ ବହୁତ କ୍ଷମା ମାଗିଲା । ମନେ ମନେ ଭାବିଲା ତା’ର ଏହି କଥାର ପ୍ରଭାବ ତାନ୍ତ୍ରିକ ପ୍ରିତୁ ଉପରେ ବହୁତ ପଡିଛି; ତାହା ମନ୍ତ୍ର ଭଳି କାମ କରିବ । ଅନ୍ନପୂର୍ଣ୍ଣା ହସି ହସି ଅଇଁଠା ସଫା କରିବାକୁ ଚାଲିଗଲା ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଅନ୍ଧବିଶ୍ୱାସ, ତର୍କ ହୀନତା ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ