ଚାରି ଯୁବକ ପଣ୍ଡିତ ଅଭୟଦେବଙ୍କ ସହ ତାଙ୍କ ଘରକୁ ଗଲେ । ପଣ୍ଡିତଙ୍କ କକାଙ୍କ ଖାଲି ଘର ଗାଁ ମୁଣ୍ଡରେ । ଠିକ୍ ଅଧରାତି ବେଳକୁ ତହିଁ ଭିତରୁ ସଙ୍ଗୀତ ଭାସି ଆସିଲା । ବଡ ନାତି ଶ୍ରୀକୁମାର ପ୍ରଥମ ରାତିରେ ସେ ଘରେ ପଶି ଭୂତୁଣୀ ଆଗରେ ଯାଇ ବସି ପଡିଲେ । ଭୂତୁଣୀ ଗୀତ ବନ୍ଦ କରି ପଚାରିଲା, “କ’ଣ, ତମେ ମୋ ଗୀତରେ ଏତେ ଆକୃଷ୍ଟ ହୋଇ ଆସିଲ?”
ଶ୍ରୀକୁମାର କହିଲେ “ହଁ । କାରଣ ମୁଁ ଜଣେ ଗାୟକ ।” ଭୂତୁଣୀ ସେଉଠୁ ତାଙ୍କୁ ଗୀତ ଶୁଣାଇବାକୁ ଅନୁରୋଧ କଲା । ଶ୍ରୀକୁମାର ଭଲ ଗୀତଟିଏ ବୋଲିଲେ । ଭୂତୁଣୀ ଏଥିରେ ଖୁସି ହୋଇ କହିଲା, “ଚମତ୍କାର । ତମେ ଏହି ପୁରସ୍କାର ନିଅ ।” ଏହା କହି ସେ ଭୂତୁଣୀ ଶ୍ରୀକୁମାରଙ୍କୁ ଖଣ୍ଡିଏ ହୀରା ଦେଲା ।
ଶ୍ରୀକୁମାର ଦୋଦୋପାଞ୍ଚ କରି କହିଲେ, “ତମେ ଯଦି ଗୀତ ଶୁଣି ସନ୍ତୋଷ ଲାଭ କଲ, ତେବେ…”
ଭୂତୁଣୀ କହିଲା “ନା, ଏ ଘର ଛାଡିଯିବା ପାଇଁ ମୋର ଯେଉଁ ସନ୍ତୋଷ ଲୋଡା ତାହା ଏପର୍ଯ୍ୟନ୍ତ ମୋତେ ମିଳିନାହିଁ ।”
ଶ୍ରୀକୁମାର ଫେରିଯାଇ ପଣ୍ଡିତଙ୍କୁ ତାଙ୍କ ଅଭିଜ୍ଞତା ବିଷୟରେ କହିଲେ । ଶାସ୍ତ୍ରୀଙ୍କ ଦ୍ୱିତୀୟ ନାତି ଜୟକୁମାର କହିଲେ, “ଯାହା କଲେ ସେ ଭୂତୁଣୀର ସନ୍ତୋଷ ହେବ, ତାହା ମୁଁ ଠିକ୍ ଜାଣେ ।” ପରବର୍ତ୍ତୀ ରାତିରେ ଜୟକୁମାର ଯାଇ ସେ ଘରେ ପହଁଚିଲେ । ଭୂତୁଣୀ ଗୀତ ବୋଲୁଥିଲା । ଜୟକୁମାର ହାତତାଳି ଦେବାରୁ ସେ ଚୁପ୍ ହେଲା ଓ ଅନାଇଲା । ଜୟକୁମାର କହିଲେ, “ବାଃ, ତୁମକୁ ‘ପ୍ରେତପୁରୀ ଗାୟିକା ଚୂଡାମଣି’ ଉପାଧିରେ ମୁଁ ଭୂଷିତ କଲି । ଏ ରାଜ୍ୟର ଶ୍ରେଷ୍ଠ ସଙ୍ଗୀତଜ୍ଞ ହରିଶାସ୍ତ୍ରୀଙ୍କ ନାତି ଭାବରେ ତୁମକୁ ଏ ଉପାଧି ଦେବାର ଅଧିକାର ମୋର ଅଛି ।”
ଭୂତୁଣୀ କହିଲା “ଧନ୍ୟବାଦ! ଆଜିଯାଏଁ ମୋତେ କେହିବି କୌଣସି ଉପାଧି ଦେଇ ନଥିଲେ । ମୁଁ ବହୁତ ସନ୍ତୁଷ୍ଟ । ତମେ ବି ନିଶ୍ଚୟ ଜଣେ ଗାୟକ! ଗୀତଟିଏ ବୋଲିଲେ ମୁଁ ଟିକେ ଆପ୍ୟାୟିତ ହେବି ।” ଜୟକୁମାର ଗୀତ ବୋଲିଲେ ଓ ଭୂତୁଣୀ ତାଙ୍କୁ ଖଣ୍ଡିଏ ହୀରା ଦେଲା । “ଏଥର ତେବେ ଏ ଘରଛାଡି ଚାଲିଯିବ?” ଜୟକୁମାର ଏକଥା ପଚାରିବାରୁ ଭୂତୁଣୀ ନାହିଁ କଲା । ଜୟକୁମାର ହତାଶ ହୋଇ ସେଠାରୁ ଲେଉଟି ଆସିଲେ ।
ସବୁ କଥା ଶୁଣି ତୃତୀୟ ଯୁବକ ବିଜୟକୁମାର କହିଲେ “ତାକୁ ସନ୍ତୋଷ ଦେବାର ସୂତ୍ର କେବଳ ମୁଁ ହିଁ ଜାଣେ ।” ପରବର୍ତ୍ତୀ ରାତିରେ ସେ ଯାଇ ପହଁଚିବା ବେଳକୁ ଭୂତୁଣୀ ଗୀତ ବୋଲିବାକୁ ଆରମ୍ଭ କରିଥାଏ । ବିଜୟକୁମାର କହିଲେ, “ତମ ଗୀତ ସରୁ । ତା’ପରେ ମୁଁ ବୋଲି ତମ ସହ ପ୍ରତିଯୋଗିତା କରିବି ।”
ଭୂତୁଣୀ କହିଲା, “ତୁମେହିଁ ପ୍ରଥମେ ବୋଲ ।” ବିଜୟକୁମାର ବୋଲିଲେ । ଭୂତୁଣୀ କହିଲା, “ଚମତ୍କାର!” ଏହା କହି ସେ ତାଙ୍କୁ ଖଣ୍ଡିଏ ହୀରା ଧରାଇ ଦେଲା । ହୀରା ପାଇ ବିଜୟକୁମାର ପ୍ରତିଯୋଗିତା କଥା ଭୁଲି ଯାଇ ଭୂତୁଣୀକୁ ଧନ୍ୟବାଦ ଦେଇ ଚାଲି ଆସିଲେ ।
ଚତୁର୍ଥ ରାତିରେ ଶାସ୍ତ୍ରୀଙ୍କ ଚତୁର୍ଥ ନାତି ବିଦ୍ୟୁତ୍କୁମାର ସେଠାକୁ ଗଲା । ସେ ପହଁଚିବା ବେଳକୁ ଭୂତୁଣୀ ଗୀତ ଆରମ୍ଭ କରୁଥାଏ । ସେ ଅତି ମୃଦୁ ପଦ ପାତରେ ଯାଇ ଚୁପ୍ଚାପ୍ ବସି ପଡିଲା ଓ ଗୀତ ଶୁଣିଲା । ଭୂତୁଣୀ ସାରା ରାତି ଗୀତ ବୋଲିଲା । ଭୋର୍ ବେଳକୁ ସେ ତା’ ଗୀତ ଶେଷ କଲା ଓ ଚମକିପଡି ବିଦ୍ୟୁତ୍କୁମାରଙ୍କ ଆଡେ ଅନାଇ କହିଲା, “ସାରା ରାତି ବସିଛ?”
ବିଦ୍ୟୁତ୍କୁମାର କହିଲେ “ସାରା ରାତି କି କେତେ ସମୟ ତା ତ ମୁଁ ଜାଣେନା । ତମେ ଗୀତ ଆରମ୍ଭ କଲାବେଳେ ମୁଁ ଏଠାରେ ଆସି ପହଁଚିଲି । ତା’ପରେ ସମୟ ଭୁଲିଯାଇ ଶୁଣୁଛି!”
ଭୂତୁଣୀ ତାଙ୍କ ଆଡେ ଅନାଇ ରହି କହିଲା, “ତୁମେ ଜଣେ ଗାୟକ ବୋଲି ମୋର ଧାରଣା । ଗୀତଟିଏ ବୋଲିବ?”
ବିଦ୍ୟୁତ୍କୁମାର ଭୈରବ ରାଗରେ ଗୀତଟିଏ ବୋଲିଲେ । ଭୂତୁଣୀ ତାହା ମୁଗ୍ଧ ହୋଇ ଶୁଣିଲା ଓ ତା’ପରେ ତାଙ୍କୁ ଥଳିଏ ହୀରା ଧରାଇଦେଇ କହିଲା, “ଆଜି ମୋର ସନ୍ତୋଷ ହେଲା ।” ଏହାପରେ ସେ କୁଆଡେ ଅଦୃଶ୍ୟ ହୋଇଗଲା । ପର ରାତିରେ ଆଉ ସେ ଘରେ ଭୂତୁଣୀର ଗୀତ ଶୁଣାଗଲା ନାହିଁ । ପଣ୍ଡିତ ଅଭୟଦେବ ପ୍ରୀତ ହେଲେ । ତେଣେ ରବିଶାସ୍ତ୍ରୀ ମଧ୍ୟ ବିଦ୍ୟୁତକୁମାରକୁହିଁ ତାଙ୍କ ପଟ୍ଟ ଶିଷ୍ୟ ରୂପେ ମନୋନୀତ କଲେ ।
ବେତାଳ ଟିକିଏ ଚୁପ୍ ରହି ତୀବ୍ର କଣ୍ଠରେ ପଚାରିଲା, “ଭୂତୁଣୀର ବ୍ୟବହାର ମୋତେ ବଡ ବିଚିତ୍ର ଲାଗୁଛି । ଯଦି ପ୍ରଥମ ତିନିଭାଇଙ୍କ ଗୀତରେ ତା’ର ସନ୍ତୋଷ ନହେଲା, ତେବେ ଚତୁର୍ଥ ଭାଇ ଗୀତରେ ତା’ର କାହିଁକି ସନ୍ତୋଷ ହେଲା? ବିଦ୍ୟୁତ୍କୁମାର ଯେ ତାଙ୍କ ଅନ୍ୟ ଭାଇମାନଙ୍କଠାରୁ ଭଲ ଗୀତ ଗାଇ ପାରୁଥିଲେ କାହିଁ ଏକଥା ତ କେଉଁଠାରେ ହେଲେବି କୁହାଯାଇ ନାହିଁ । ତେବେ ଭୂତୁଣୀର ମତି ଏଭଳି ପରିବର୍ତ୍ତନର କାରଣ କ’ଣ? ଦ୍ୱିତୀୟରେ, ଚାରି ନାତିଙ୍କ ଭିତରୁ ରବିଶାସ୍ତ୍ରୀ ବିଦ୍ୟୁତ୍କୁମାରଙ୍କୁ ନିଜ ଶିଷ୍ୟ ରୂପେ ଗ୍ରହଣ କରିବାର କାରଣ କ’ଣ? ଅନ୍ୟମାନଙ୍କ ତୁଳନାରେ ସେ ଉତ୍ତମ ଗାୟକ ବୋଲି ଶାସ୍ତ୍ରୀ କିପରି ଜାଣିଲେ? ରାଜା! ପାରଲେ ମୋ ଏସବୁ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତିଥିବା ସତ୍ତ୍ୱେ ତୁମେ ଯଦି ନିରୁତ୍ତର ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମାର୍କ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ଉତ୍ତର ଦେଲେ, “ଭୂତୁଣୀ ନିଜେ ବି ଜଣେ ଗାୟିକା । ଥରେ ସେ ପ୍ରାଣ ଖୋଲି ଗାଇବ ଓ କେହି ମୁଗ୍ଧ ହୋଇ ତାହା ଶୁଣିବ, ଏହାହିଁ ତା’ର ଅଭିଳାଷ ଥିଲା । ପ୍ରଥମ ତିନି ଯୁବକ ସମସ୍ତେ ଧରିନେଇଥିଲେ ଯେ ସେମାନଙ୍କ ଗୀତ ଶୁଣି ଭୂତୁଣୀ ଖୁବ୍ ସନ୍ତୁଷ୍ଟ ହେବ । ସେହି ଅହଂ ଦ୍ୱାରା ଚାଳିତ ହୋଇ ସେମାନେ ଭୂତୁଣୀର ଗୀତ ପ୍ରତି ଆଦୌ ଖାତିର୍ କରୁ ନଥିଲେ । ସେମାନେ ଓଲଟି ବାରମ୍ବାର ତା’ ଗୀତରେ ବ୍ୟାଘାତ ସୃଷ୍ଟି କରୁଥିଲେ । ଏଭଳି ପରିସ୍ଥିତିରେ ସେ ଭୂତୁଣୀର ସନ୍ତୋଷ ବିଧାନ ହୁଅନ୍ତା ବା କିପରି? ବିଦ୍ୟୁତ୍କୁମାର ସାରା ରାତି ମନ ଦେଇ ତା’ ଗୀତ ଶୁଣି ତା’ର ସନ୍ତୋଷ ବିଧାନ କଲେ । ଏହା ହେଲା ତୁମ ପ୍ରଥମ ପ୍ରଶ୍ନର ଉତ୍ତର । ଆଉ ରହିଲା ରବିଶାସ୍ତ୍ରୀ ବିଦ୍ୟୁତ୍କୁମାରକୁ ଶିଷ୍ୟ କରିନେବା କଥା । ହୁଏତ ସେ ଚାରି ନାତିଯାକ ଭଲ ଗାଇ ପାରୁଥିଲେ । କିନ୍ତୁ ବିଦ୍ୟୁତ୍କୁମାର ଭିତରେ ବିନୟ ବୋଧ ଓ ଗୁଣଗ୍ରାହିତା ଥିବାର ରବିଶାସ୍ତ୍ରୀ ପ୍ରମାଣ ପାଇଲେ । ଏ ଉଭୟ ଗୁଣ ଦ୍ୱାରା ସେ ବହୁତ ପ୍ରଗତି ସାଧନ କରିପାରିବ, ତାଙ୍କର ଏ ପ୍ରତ୍ୟୟ ହେବାରୁ ସେ ତାକୁ ନିଜ ଶିଷ୍ୟ ରୂପେ ଗ୍ରହଣ କଲେ ।
ରାଜାଙ୍କ ଉତ୍ତର ଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ବି ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେ ବୃକ୍ଷ ଡାଳରେ ଝୁଲି ପଡିଲା ।